ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ, ସମାଜସେବୀ, ସୁଲେଖକ, ଅନୁବାଦକ ତଥା ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ବୈଷ୍ଣବ ପରିଡ଼ାଙ୍କର ଆଜି ୭୭ ବର୍ଷରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ କ୍ୟାନସର୍ ରୋଗରେ ପୀଡ଼ିତ ଥିଲେ । ୪ ଦିନ ତଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ରି ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଭେଣ୍ଟେଲେଟର ରେ ରଖାଯାଇଥିଲା । ମାତ୍ର ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ଆଖି ବୁଜିଦେଇଥିଲେ । ବୈଷ୍ଣବଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ନୟାପଲ୍ଲୀସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ଭିଡ଼ ହୋଇଛି ।
୧୯୪୧ ମସିହାରେ ଯାଜପୁର ଜିଲ୍ଲା ଶ୍ରୀରାମପୁରରେ ବୈଷ୍ଣବ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କୋଲକତାର ଏକ ଝୋଟ କଳରେ ଶ୍ରମିକ କାର୍ଯ୍ୟ କରୁଥିଲେ । ମାଟ୍ରିକ୍ ପାସ୍ ପରେ ବୈଷ୍ଣବ ଉଚ୍ଚଶିକ୍ଷା ପାଇଁ କୋଲକତା ଯାଇଥିଲେ । କୋଲକତା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ଏମଏ ପାସ୍ କରିଥିଲେ । ପରେ ସେ ମସ୍କୋ ବିଶ୍ୱବିଦ୍ୟାଳୟରୁ ଏମଫିଲ କରିଥିଲେ । କାର୍ଲ ମାକ୍ସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସିପିଆଇ ଦଳରେ ଯୋଗଦେଇଥିଲେ ୧୯୬୦ରେ । ୧୯୯୨ ମସିହା ପର୍ଯ୍ୟନ୍ତ ସେ ଦଳର ସଦସ୍ୟ ଥିଲେ । ସେହି ସମୟରେ ସେ ପଶ୍ଚିମବଙ୍ଗରେ ଟ୍ରେଡ ୟୁନିଅନ ଆନ୍ଦୋଳନ ସହ ଜଡ଼ିତ ହୋଇଥିଲେ । ୧୯୭୪ ମସିହାରେ ବୈଷ୍ଣବ ନିଜ ପରିବାର ସହ ସୋଭିଏତ ୟୁନିୟନ୍ ର ମସ୍କୋକୁ ଚାଲିଯାଇଥିଲେ । ଭାରତ-ସୋଭିଏତ୍ ସମନ୍ୱୟର ଏକ ସ୍ୱତନ୍ତ୍ର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଥିଲା । ସେଠାରେ ତାଙ୍କର ରହଣୀ ସମୟରେ ସେ ବିଭିନ୍ନ ଖବରକାଗଜରେ ସାମ୍ବାଦିକତା କରିବା ସହ ଅନେକ ପୁସ୍ତକ ରଚନା କରିଥିଲେ । ଅନୁବାଦ ପୁସ୍ତକ ରଚନାରେ ମଧ୍ୟ ସେ ଥିଲେ ପାରଙ୍ଗମ । ୧୯୮୯ରେ ସେ ଭାରତ ଫେରି ଆସିଥିଲେ ।
୧୯୯୩ ମସିହାରେ ସେ କଂଗ୍ରେସ ଦଳରେ ଯୋଗଦେଇ ମୁଖପାତ୍ର ଦାୟିତ୍ୱ ସମ୍ଭାଳିଥିଲେ । ତେବେ ୧୯୯୮ ମସିହାରେ ସେ କଂଗ୍ରେସ ଛାଡ଼ିଦେଇଥିଲେ । ପରବର୍ଷ ସେ ସମାଜବାଦୀ ପାର୍ଟିରେ ଯୋଗଦେଇ ରାଜ୍ୟ ସଭାପତି ହୋଇଥିଲେ । ୨୦୦୮ ରେ ସେ ସମାବଜବାଦୀ ପାର୍ଟି ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ । ୨୦୧୦ରେ ବିଜେଡ଼ି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ୨୦୧୬ ରେ ରାଜ୍ୟସଭା ସାଂସଦ ପଦରୁ ଅବ୍ୟାହତି ନେବା ପରେ ସେ ଓଡ଼ିଆ ଭାଷା ଆନେ୍ଦାଳନରେ ନିଜକୁ ଅଧିକ ସକ୍ରିୟ କରିଥିଲେ । ଓଡ଼ିଆକୁ ସରକାରୀ ଭାଷା କରାଯାଇଥିବା ଆନ୍ଦୋଳନର ସେ ଥିଲେ ପୁରୋଧା ।
ଏକାଧାରରେ ସମାଜସେବା, ଲେଖକ, ରାଜନୀତି ଓ ଓଡ଼ିଆ ଭାଷା ଆନେ୍ଦାଳନରେ ନିଜକୁ ନିଜକୁ ସାମିଲ କରିଥିବା ବୈଷ୍ଣବ ପରିଡ଼ା ଜଣେ ମେଳାପୀ ଓ ଭଲ ମଣିଷ ଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନ ହରାଇଲା ବୋଲି ବିଭିନ୍ନ ମହଲରୁ ଶୋକବାର୍ତ୍ତା ପହଞ୍ଚୁଛି ।