ଭୁବନେଶ୍ୱର: ଓଟିଭି ଯାହା ଖବର କରୁଛି ତାହା ସବୁ ଲୋକ ଦେଖୁଛନ୍ତି । ଅପାଠୁଆ ମୂର୍ଖ ଲୋକ ବି କହିଲେଣି, ଓଟିଭି ବିଜେଡ଼ି ପଛରେ ପଡ଼ିଛି । ଓଟିଭି ପାଣ୍ଡିଆନ୍ ପଛରେ ପଡ଼ିଛି.. । ସୁତରାଂ ଏଥିରେ କଳିକଜ୍ଜା, ବାଦବିବାଦ କାହିଁକି ବୋଲି ଅନେକ ପଚାରୁଛନ୍ତି । କୁହାଯାଉଛି, ୧୭ ବର୍ଷ ଧରି ଏହି ଓଟିଭି ବିଜେଡ଼ି ପକ୍ଷ ନେଉଥିଲା । ଏବେ ତାଙ୍କୁ ମାଡ଼ ହେଲା ବୋଲି କାନ୍ଦ କାହିଁକି ? ତେବେ ଯେଉଁମାନେ ଏହିକଥା କହୁଛନ୍ତି ସେମାନେ ସ୍ୱୀକାର କରୁଛନ୍ତି ଯେ ଓଟିଭି କେବେ ବି ନିରପେକ୍ଷ ଖବର ପରିବେଷଣ କରେନାହିଁ । ନିଜର ଫାଇଦା ଏବଂ ନିଜକୁ ସୁହାଇଲା ଭଳି ଖବର କରେ । ସୁତରାଂ ଓଟିଭି ମାଲିକ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସବୁବେଳେ ତାଙ୍କ ଟିଭିକୁ ଆୟୁଧ କରିଆସିଛନ୍ତି ବୋଲି ସମ୍ଭବତଃ ବୁଝାପଡ଼ୁଛି ।
ବୁଦ୍ଧୀଜୀବୀ ମହଲର ଆଲୋଚନା ଅନୁଯାୟୀ, ଓଟିଭିର ପକ୍ଷପାତିତାକୁ ନେଇ ଆଗରୁ ଏତେ ଚର୍ଚ୍ଚା ହୋଇ ନ ଥିଲା । ମାତ୍ର ଏବେ ଓଟିଭିର ଏକପାଖିଆ ଖବର ପରିବେଷଣ ସୀମା ଡେଇଁଯାଇଛି । ଓଟିଭି ଏଜେଣ୍ଡା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଓଟିଭି ଖୋଲିବା ମାତ୍ରେ ଖାଲି ସେଇ ପାଣ୍ଡିଆନ୍.. ତୃତୀୟ ମହଲା ଅଣଓଡ଼ିଆ ଅଫିସର.. । ବିଜେଡ଼ି ଓ ସରକାରୀ ବିରୋଧୀ ଖବରଗୁଡ଼ିକ ଜବରଦସ୍ତ ଓ ପ୍ରାୟୋଜିତ ବୋଲି ଧରାପଡ଼ିଯାଉଛି । ଏଥିରେ ଓଟିଭିର ସ୍ପଷ୍ଟୀକରଣ କି ବୈଜୟନ୍ତ ପଣ୍ଡାଙ୍କ ଚାର୍ଟର ପାଠ ଅନ୍ଧକୁ ଲଣ୍ଠନ ଦେଖାଇବା ସହ ସମାନ । ନିଜକୁ ଚାଲାକ୍ ଭାବି ସାଧାରଣ ଲୋକଙ୍କୁ ବୋକା ବନାଇବାର ଅହଂକାର ସାଂଘାତିକ । ଗଣମାଧ୍ୟମର ବିଶ୍ୱସନୀୟତା ଓ ସାମ୍ବାଦିକତାର ମୂଲ୍ୟବୋଧକୁ ଏହା ବଳିପକାଇବା ସଦୃଶ ବୋଲି କୁହାଯାଉଛି ।
ମିଡ଼ିଆ ସମାଲୋଚନା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହନଶୀଳ ଓ ପ୍ରତିକ୍ରିୟାଶୂନ୍ୟ ବୋଲି ଓଡ଼ିଶାର ଗଣମାଧ୍ୟମ ଜାଣେ । ମାତ୍ର ଓଟିଭିର ଏହି ଆଭିମୁଖ୍ୟକୁ ନେଇ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ଅପବ୍ୟବହାର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଚତୁର୍ଥ ସ୍ତମ୍ଭ ଭାବ ପରିଗଣିତ ଗଣମାଧ୍ୟମର ବ୍ୟାପକ କ୍ଷମତା ରହିଛି । ମାତ୍ର ସେହି କ୍ଷମତାର ଅପବ୍ୟବହାରକୁ ଅପରାଧ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି । ଆଜି ମଧ୍ୟ ବାପୁଙ୍କ କଥାର ପ୍ରାସଙ୍ଗିକତା ଥିବା କହିଛନ୍ତି । ଅର୍ଥାତ୍ ଓଟିଭିର ପକ୍ଷପାତିତା ମୁଖ୍ୟମନ୍ତ୍ରୀଙ୍କୁ କ୍ଷୁବ୍ଧ କରିଥିବା ଏହା ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ମିଡ଼ିଆ ଉପରେ ରାଜନୈତିକ ଛାଟ ମାରି ଚର୍ଚ୍ଚାକୁ ଆସିସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମିଡ଼ିଆ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଏକଥା ଜଣାଅଛି । ଏବେ କିନ୍ତୁ ସେହି ଧର୍ମେନ୍ଦ୍ର ନୈତିକତାର ପାଠ ପଢ଼ାଇଛନ୍ତି । ସାମ୍ବାଦିକମାନଙ୍କ ପ୍ରତି ବିଜୁବାବୁଙ୍କ ଉଦାରତାର ଉଦାହରଣ ଦେଇ ନବୀନ ବାବୁ ତାଙ୍କ ପିତାଙ୍କଠାରୁ ନୈତିକତା ଶିଖିଲେ ନାହିଁ ବୋଲି କ୍ଷୋଭ ଦେଖାଇଛନ୍ତି । ମିଡ଼ିଆ ପ୍ରତି ଧର୍ମେନ୍ଦ୍ରଙ୍କର ଏତେ ସମ୍ମାନ ଓ ନୈତିକତାବୋଧ କେବେଠୁଁ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।
ବିଜେଡ଼ିର ଅଭିଯୋଗ ପରେ ବୈଜୟନ୍ତ ପଣ୍ଡା ନିଜ ସ୍ପଷ୍ଟୀକରଣରେ ଓଟିଭି ପରିଚାଳନାଠାରୁ ନିଜକୁ ପର କରିବାକୁ ଚେଷ୍ଟା କରିଛନ୍ତି । ତେବେ ଏକଥାର ସତ୍ୟତା ସମସ୍ତଙ୍କୁ ଜଣା । ବୈଜୟନ୍ତଙ୍କ ଉକ୍ତିକୁ ଅନେକ ଲଜ୍ଜାଜନକ ବୋଲି କହିଛନ୍ତି । କ୍ରମାଗତ ଭାବେ ଓଟିଭି ଯେଉଁ ଖବର କରୁଛି ସେଥିରେ କାହାକୁ ଟାର୍ଗେଟ୍ କରାଯାଉଛି ତାହା ଓଡ଼ିଶାବାସୀ ଜାଣୁଛନ୍ତି । ଲୋକ ଜାଣୁନାହାନ୍ତି ବୋଲି ଯଦି କିଏ ଭାବୁଥାଏ ତାହାହେଲେ ତାଙ୍କଠାରୁ ଗଣ୍ଡମୂର୍ଖ କେହି ନାହାନ୍ତି ବୋଲି ଧରାଯିବ । ସରଳ ଲୋକଙ୍କୁ ଭକୁଆ ବନାଇବାକୁ ଚେଷ୍ଟା କରୁଥିବା ବୁଦ୍ଧିମାନ ଲୋକ ନିଜେ ଭକୁଆ ହୋଇଯିବେ ବୋଲି ବେଙ୍ଗାଲୁରୁରେ ରହୁଥିବା ଜଣେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ମତ ଦେଇଛନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ବୈଜୟନ୍ତ ପଣ୍ଡାଙ୍କ ବ୍ୟବସାୟିକ ଓ ରାଜନୈତିକ ସ୍ୱାର୍ଥ କଥା କେହି କ’ଣ ଜାଣିନାହାନ୍ତି ? ୨୦୧୪ ନିର୍ବାଚନ ପରଠୁ ସେ ବିଜେପି କଡ଼ ଲେଉଟାଇଥିବା କେହି କ’ଣ ଜାଣନ୍ତିନି ? ବିନା ତଥ୍ୟ ପ୍ରମାଣରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ବେଜିତ୍ କରି ଚାଲିବା ପଛରେ ତାଙ୍କର ଉଦ୍ଦେଶ୍ୟ କେହି କ’ଣ ଜାଣିନାହାନ୍ତି ? ବିଜେପି ସହ ତାଙ୍କର ଭାଗମାପ କେହି କ’ଣ ଜାଣନ୍ତିନି ? ଓଟିଭିକୁ ଖୋଲାଖୋଲି ଭାବେ ସେ ନିଜ ବ୍ୟକ୍ତିଗତ ସ୍ୱାର୍ଥସାଧନରେ ଲଗାଇଥିବା କେହି କ’ଣ ଦେଖୁନାହାନ୍ତି ? ଓଡ଼ିଆମାନେ ଜଡ଼ କି ଅନ୍ଧ ନୁହଁନ୍ତି ଯେ କିଛି ଜାଣୁନାହାନ୍ତି । ବୈଜୟନ୍ତ ବାବୁ ନିରୀହ ଓଡ଼ିଆଙ୍କୁ ବୋକା କି ଜଡ଼ ଭାବୁଛନ୍ତି କି ? ଏସବୁ ପ୍ରଶ୍ନର ଜବାବ ତାଙ୍କୁ ଦେବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି ।
ଜଣାଶୁଣା ମହଲର କହିବା କଥା, ପ୍ରସଙ୍ଗ ବିଜେଡ଼ି କି ବିଜେପିର ନୁହେଁ । ପ୍ରସଙ୍ଗ, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏକ ପ୍ରତିଷ୍ଠିତ ଗଣମାଧ୍ୟମର ଦୂରୁପଯୋଗ । ବିଚ୍ ରାସ୍ତାରେ ସମସ୍ତଙ୍କ ସାମନାରେ ଲୁଣ୍ଠନ କରି ନିଜକୁ ସାଧୁ ବୋଲାଇବା ଯାହା ଓଟିଭି ନିଜକୁ ନିରପେକ୍ଷ ଦାବି କରିବା ତାହା । ଏସି ରୁମ୍ ରେ ଟୁଇଟ୍ ହାଣ୍ଡଲ୍ ଧରି ବାହାର ଲୋକଙ୍କ ଭାବନାକୁ ମାପି ହୁଏ ନାହିଁ । ନିଜ ଚାନେଲ ବୋଲି ମନଇଚ୍ଛା ସମ୍ବାଦ କରିବା ଏବଂ କାହାରି ସମ୍ମାନ ଓ ଇଜ୍ଜତ ଲୁଟିବା କୌଣସି ବଡ଼ ଅପରାଧଠାରୁ କମ୍ ନୁହେଁ ।