ଭୁବନେଶ୍ୱର: ବିଜେପୁରରେ ବିଜେଡ଼ି ଭଲ ଭୋଟ ବ୍ୟବଧାନରେ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଯିବା ପୂର୍ବରୁ ଦମ୍ଭ ଦେଖାଇଛନ୍ତି । ୧୫ରୁ ୨୦ ହଜାର ଭୋଟ ବ୍ୟବଧାନରେ ଜିତିବୁ ବୋଲି ଦଳର ନେତାମାନେ ବେଟ୍ ମାରୁଛନ୍ତି । ସେହିଭଳି, ବିଜେପି ମଧ୍ୟ ଆମେ ନିଶ୍ଚିତ ଜିତିବୁ ବୋଲି ଦମ୍ଭ ଦେଖାଉଛି । ତେବେ ଏସବୁ ଦାବି, ଦମ୍ଭ ଏବେ କେବଳ ହାୱା ଭିତରେ ସୀମିତ ରହିଛି । ବାସ୍ତବ ସ୍ଥିତି ପରଖିବା ସମସ୍ତଙ୍କ ପାଇଁ ମୁସ୍କିଲ୍ ହୋଇଯାଇଛି ।
ସତକଥା ହେଉଛି, ନବୀନ ପଟ୍ଟନାୟକ ଓ ବିଜେଡ଼ି ନାଁରେ ଥିବା ଭୋଟ ହିଁ ଏଯାଏଁ ରୀତା ସାହୁଙ୍କ ପାଇଁ ଭରସା ହୋଇଛି । ତାଙ୍କର ବ୍ୟକ୍ତିଗତ ଭୋଟହାର ସୀମିତି ରହିଛି । ରୀତାଙ୍କ ସାଥୀରେ ନା ତାଙ୍କ ଦିବଙ୍ଗତ ସ୍ୱାମୀଙ୍କ ଆଖିଦୃଶିଆ କଂଗ୍ରେସ ସାଥୀ ଅଛନ୍ତି ନା ତାଙ୍କ ସପକ୍ଷରେ ଅନୁକମ୍ପା ଭୋଟ ବହୁଛି । ବରଂ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଦଳୀୟ ଭୋଟ ବାଦ୍ ନିଜସ୍ୱ ଭୋଟ ଯୋଗାଡ଼ିବାରେ ଅଧିକ ସମର୍ଥ ହେଉଛନ୍ତି । ମୋଟାମୋଟି କହିଲେ, ଆଜିକା ଦିନରେ ବିଜେଡ଼ି ସପକ୍ଷ ହାୱା ଆଗରେ ଥିଲେ ବି ତାହା ଆଗୋଉନାହିଁ । ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷ ହାୱା ଧୀରେ ଧୀରେ ବଢ଼ୁଛି ।
ଗ୍ରାଉଣ୍ଡରୁ ମିଳୁଥିବା ସୂଚନା ଅନୁଯାୟୀ, ବିଜେପୁର ଓ ବରପାଲୀ ବ୍ଲକ୍ ରେ ବିଜେଡ଼ି-ବିଜେପି ମଧ୍ୟରେ କଡ଼ା ମୁକାବିଲା ହେଉଥିବା ବେଳେ ଓ ଗାଇସିଲଟ୍ ବ୍ଲକ୍ ରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ସୁଦୃଢ଼ ଅଛି । ଗାଇସିଲଟ୍ ରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ସପକ୍ଷରେ ୬୦ ପ୍ରତିଶତରୁ ଅଧିକ ଭୋଟ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି । ସେଠି ସମର୍ଥନ ଯୋଗାଡ଼ କରିବାରେ ବିଜେଡ଼ି ଓ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ମଧ୍ୟ ଭୋଟରଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ଓଲଟି ପ୍ରଣୟଙ୍କ ସ୍ଥିତି ଦୁର୍ବଳ ଥିବା ବିଜେପୁର ଓ ବରପାଲୀରେ ଦିନକୁ ଦିନ ସ୍ଥିତି ସବଳ ହେଉଛି । ଘରକୁ ଘର ବୁଲି ପ୍ରଣୟଙ୍କ ଲୋ ପ୍ରୋଫାଇଲ୍ ପ୍ରଚାର ଭୋଟରଙ୍କୁ ଆକର୍ଷିତ କରୁଛି ।
ବିଜେପୁର ଏବଂ ବରପାଲୀ ବ୍ଲକ୍ ରେ ବିଜେପି ଓ ବିଜେଡ଼ି କଡ଼ା ଟକ୍କର ଦେଉଛନ୍ତି । ଉଭୟ ଦଳ ସେମାନଙ୍କ ସ୍ଥିତି ବହୁତ ଭଲ ବୋଲି ଦାବି କରିଛନ୍ତି । ଦଳୀୟ ନେତାମାନଙ୍କ ଛକାଛକି ଭିତରେ ପ୍ରକୃତରେ ସେଠି କାହାର ସ୍ଥିତି ଭଲ ତାହା ଆକଳନ କରିହେଉନି । ତେବେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବ୍ୟକ୍ତିଗତ ଭାବେ ବିଜେପୁରରେ ଅଧିକ ଫାଇଦାରେ ଥିବା କୁହାଯାଉଥିବା ବେଳେ ବରପାଲୀରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ବ୍ୟକ୍ତିଗତ ଫାଇଦା ଅଧିକ ବୋଲି କୁହାଯାଉଛି । ଦୁହିଁଙ୍କ ଛକାଛକିରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଫାଇଦା ନେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳେଇଛନ୍ତି ।
ପ୍ରଚାରରେ ବିଜେଡ଼ି ଏ ପର୍ଯ୍ୟନ୍ତ ଆଗରେ ଅଛି । ଦଳର ରଣନୀତିକୁ ବ୍ୟବସ୍ଥିତ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯାଉଛି । ତିନିଟି ଜାଗାରେ ୱାର୍ ରୁମ୍ ଖୋଲାଯାଇ ପ୍ରଚାର ଓ ରଣନୀତି କାର୍ଯ୍ୟକାରୀ କରାଯାଉଛି । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂଙ୍କ ନେତୃତ୍ୱରେ ବିଜେଡ଼ିବାହିନୀ ସବୁଆଡ଼େ ମାଡ଼ି ରହିଛନ୍ତି । ଦଳୀୟ ନେତା,ବିଧାୟକ ଓ ଛାମୁଆ ସଂଗଠନର ନେତାମାନେ ଗାଁ ଗାଁ ବୁଲି ଭୋଟଭିକ୍ଷା କରୁଛନ୍ତି । ଆସନ୍ତା ୧୯ ଓ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ସେଠି ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ଦଳର ସ୍ଥିତି ଅଧିକ ଉନ୍ନତି କରିବ ବୋଲି ନେତାମାନେ ଆଶା ରଖିଛନ୍ତି ।
ସେହିଭଳି ବିଜେପି ରଣନୀତି ଓ ପ୍ରଚାରର ମଙ୍ଗ ଧରିଛନ୍ତି କନକ ବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତ । ଦଳର ଅନ୍ୟାନ୍ୟ ନେତୃବୃନ୍ଦ ବିଭିନ୍ନ ଜାଗାରେ କ୍ୟାମ୍ପ ପକାଇ ପ୍ରଚାର କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସନ୍ତୋଷ ଗଙ୍ଗୱାର ପ୍ରଥମ ପର୍ଯ୍ୟାୟ ପ୍ରଚାର କରି ଫେରିଥିବା ବେଳେ ସମୁଦାୟ ୭ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ମଧ୍ୟ ପ୍ରଚାର ପାଇଁ ଆସୁଛନ୍ତି । ଛତିଶଗଡ଼ରୁ ବିଜେପି ନେତାମାନେ ବିଜେପୁରରେ ଡେରା ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଗସ୍ତକୁ ବିଜେପି ରୋକିଥିଲେ ମଧ୍ୟ ତାଙ୍କଠାରୁ ସମସ୍ତ ସହଯୋଗ ପାଉଛି ।
କଂଗ୍ରେସ ପ୍ରଚାରର ମଙ୍ଗ ନିଜେ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ହାତରେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, କିଶୋର ପଟେଲ ପ୍ରଭୃତି ଦଳର ମଙ୍ଗୁଆଳ ଭାବେ ସେଠି ଡେରା ପକାଇଥିଲେ ମଧ୍ୟ ପ୍ରଣୟ ନିଜ ପାଇଁ ନିଜେ କାଫି ହୋଇଛନ୍ତି । ତାଙ୍କ ନିଜର ଲୋକପ୍ରିୟତା ଓ ସାଂଗଠନିକ ଦକ୍ଷତା ତାଙ୍କୁ ଶୀର୍ଷ ନେତାଙ୍କ ପ୍ରଚାର ସହଯୋଗ ଦରକାର କରୁନି । ବିଭିନ୍ନ ଜାଗାରେ ଭୋଟରଙ୍କ ଦ୍ୱାରା ସେ ଯଥେଷ୍ଟ ଆଦୃତ ହେଉଥିବା ଲକ୍ଷ୍ୟ କରାଯାଉଛି ।
ବିଡ଼ମ୍ବନା, ପ୍ରଚାର ଜୋରଦାର ହୋଇଥିଲେ ମଧ୍ୟ ନେତାମାନେ ଭୋଟରଙ୍କ ମତିଗତି ଠଉରାଇ ପାରୁନାହାନ୍ତି । ଫଳରେ ଉପରେ ଦମ୍ଭ ଦେଖାଉଥିଲେ ମଧ୍ୟ ସବୁ ଦଳର ନେତାମାନେ ଦ୍ୱନ୍ଦରେ ପଡ଼ିଛନ୍ତି । ସ୍ଥାନୀୟ ଭୋଟରମାନଙ୍କ ଉପରେ ଉପକୂଳିଆ ନେତାଙ୍କ ପ୍ରଚାର ପ୍ରଭାବ ପଡ଼ୁନାହିଁ ବୋଲି ବିଭିନ୍ନ ଦଳୀୟ ଶିବିରରେ ଆଶଙ୍କା ପ୍ରକାଶ ପାଇଛି । ଭୋଟରଙ୍କ ସହ କଥାବାର୍ତ୍ତରେ ସମସ୍ୟା ନେତାଙ୍କୁ ଅକଳରେ ପକାଇଛି । ନା ସେମାନେ ଭୋଟରଙ୍କ ମନନେଇ ବୁଝାଇପାରୁଛନ୍ତି ନା ସେମାନେ ବୁଝୁଛନ୍ତି । ତେଣୁ ପଶ୍ଚିମାଞ୍ଚଳ ନେତାଙ୍କ ଉପରେ ସବୁଦଳର ପ୍ରଚାରଭାର ଅଧିକ ପଡୁଥିବା ଲକ୍ଷ୍ୟ କରାଯାଉଛି ।
ସେହିଭଳି କୁନ୍ଦୁଲି, ବାଲେଶ୍ୱର କି ଅଇଁଠାପାଲି ଭଳି ଘଟଣାର କିଛି ବି ପ୍ରଭାବ ପଡ଼ୁନି ଭୋଟରଙ୍କ ଉପରେ । ରାଜ୍ୟ ରାଜନୀତିରେ କ’ଣ ଘଟୁଛି, କିଏ କାହା ବିରୋଧରେ ପଡ଼ିଛି ଭୋଟରଙ୍କ ଠାରେ ତାହାର ସାମାନ୍ୟତମ ଛାପ ବାରିହେଉନି । ତେବେ ସବୁଦଳର ହେଭିୱେଟ୍ ନେତାଙ୍କ ପ୍ରଚାର ଆଗକୁ ଥିବାରୁ ବିଜେପୁର ଉପନିର୍ବାଚନ କ୍ଷେତ୍ର ଦିନକୁ ଦିନ ଅଧିକ ସରଗରମ ହେଉଛି । ଭୋଟରଙ୍କ ନିର୍ଣ୍ଣୟ ସବୁ ଦଳର ନେତାଙ୍କୁ ଛାନିଆଁ କରିରଖିଛି ।