ଭୁବନେଶ୍ୱର: ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ଉନ୍ମୋଚିତ ବିଜୁବାବୁଙ୍କ ଜୀବନୀ ସମ୍ବଳିତ ପୁସ୍ତକ ‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଉପହାର ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ହୋଇଥିଲା । ତେବେ ଉଭୟଙ୍କ ଏହି ଅଚାନକ ଭେଟଘାଟ ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି । ଏହାକୁ ନେଇ ବିଭିନ୍ନ ଆଲୋଚନା ଚାଲିଛି ।
୪ ଦିନିଆ ଦିଲ୍ଲୀଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଭୁବନେଶ୍ୱର ଛାଡ଼ିଥିଲେ । ହକି ଇଣ୍ଡିଆ ଉତ୍ସବରେ ଯୋଗଦେବେ ବୋଲି ସେ ସୂଚନା ଦେଇଥିଲେ । ଏଥିସହ ବିଜେପୁର ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଭଲ ଭୋଟ ବ୍ୟବଧାନରେ ଜିତିବେ ବୋଲି ସାମ୍ବାଦିକଙ୍କୁ କହି ଯାଇଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ସମ୍ପର୍କରେ ସେ କୌଣସି ସୂଚନା ଦେଇ ନ ଥିଲେ । ମାତ୍ର ହଠାତ ସଂଧ୍ୟାରେ ଖବର ଆସିଲା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ‘ଦି ଟଲ୍ ମ୍ୟାନ୍’ ପୁସ୍ତକ ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସୋସିଆଲ୍ ମିଡ଼ିଆରେ ଏହି ଖବର ଦେଇଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗୋପନ ରଖିବା ନେଇ ବିଭିନ୍ନ ଆଲୋଚନା ହେଉଛି । ଉଭୟଙ୍କ ମଧ୍ୟରେ ୨୦ ମିନିଟ୍ କାଳ କ’ଣ ଆଲୋଚନା ହେଲା ? ରାଜ୍ୟ ଓ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହୋଇଛି କି ? ବିଜେପୁର ଉପନିର୍ବାଚନ ସଂକ୍ରାନ୍ତରେ କିଛି ଆଲୋଚନା ହୋଇଛି କି ? ମହାନଦୀ ସମ୍ପର୍କରେ କିଛି ମନ୍ତ୍ରଣା ହୋଇଛି କି ? ଏମିତି ନାନା ପ୍ରଶ୍ନ ଉଠିଛି । ତେବେ ସେ ଯାହା ହେଉ ନା କାହିଁକି ଏଇ ରାଜନୈତିକ ଘଡ଼ିସନ୍ଧି ମୁହୁର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଭେଟଘାଟ ସମସ୍ତଙ୍କୁ ରହସ୍ୟରେ ପକାଇଛି ।