– ନବୀନଙ୍କୁ ଦିଲ୍ଲୀରେ ଭେଟିଲେ ନରସିଂହ
– ରାଗିଲେ ସୁର, ସଂଧ୍ୟା
– ବାଉଳା ହେଲା ବିଜେପି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏବେକା ଦିଲ୍ଲୀଗସ୍ତ କାଳରେ ଗୋଟିଏ ପରେ ଗୋଟେ ଚକମା ଦେଖିବାକୁ ମିଳୁଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଅଚାନକ ଭେଟିଥିବା ବେଳେ ଆଜି ନବୀନଙ୍କୁ ଅଚାନକ ଭେଟିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଦିଲ୍ଲୀରେ ହକି ଇଣ୍ଡିଆ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ତାଙ୍କର ଅବଦୁଲ୍ଲ କାଲାମ୍ ମାର୍ଗସ୍ଥିତ ବାସଭବନକୁ ଫେରିଲା ପରେ ଉଭୟଙ୍କ ଭେଟଘାଟ ହୋଇଥିଲା । ଉଭୟ ପ୍ରାୟ ଅଧଘଣ୍ଟାଏ କାଳ ଆଲୋଚନା କରିଥିବା ସୂଚନା ମିଳିଛି । ଏହି ଭେଟଘାଟ୍ ର ଉଦ୍ଦେଶ୍ୟ କ’ଣ, ସେଠି କ’ଣ ଆଲୋଚନା ହେଲା ତାହା ଜଣାପଡ଼ିନାହିଁ । ତେବେ ବିନା ସୂଚନାରେ ଦିଲ୍ଲୀରେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଏବଂ ଆଜି ବିରୋଧୀ ଦଳ ନେତାଙ୍କ ସହ ତାଙ୍କର ଏକାନ୍ତ ସାକ୍ଷାତ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଦେଇଛି । ନବୀନଙ୍କ ହାତ ଧରି ନରସିଂହ ବିଜେଡ଼ିକୁ ଫେରିଆସିବେ କି ବୋଲି ଚର୍ଚ୍ଚା ହେଉଛି ।
୪ ଦିନିଆ ଦିଲ୍ଲୀଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ‘ଦି ଟଲ୍ ମ୍ୟାନ୍’ ପୁସ୍ତକ ଉପହାର ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ସଫେଇ ଦିଆଯାଇଥିଲେ ମଧ୍ୟ ନରସିଂହଙ୍କୁ ଭେଟିବା ପଛର କାରଣ ଜଣାପଡୁନାହିଁ । ନବୀନ ନିଜ ଆଡୁ ନରସିଂହଙ୍କୁ ଭେଟିବାକୁ ଦିଲ୍ଲୀ ଆମନ୍ତ୍ରଣ କରିଥିଲେ ନା ନରସିଂହ ନିଜଆଡୁ ନବୀନଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଥିଲେ ତାହା ସ୍ପଷ୍ଟ ହେଉନାହିଁ । ଭୁବନେଶ୍ୱରରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଏହି ଭେଟଘାଟ୍ ପଛରେ କୌଣସି ରାଜନୈତିକ ଅଭିସନ୍ଧି ନ ଥିବା ସଫେଇ ଦେଇଛନ୍ତି । ହକି ଇଣ୍ଡିଆ ଉତ୍ସବରେ ଯୋଗଦେବାକୁ ସମସ୍ତଙ୍କୁ ଆମନ୍ତ୍ରଣ ହୋଇଥିଲା । ଆମନ୍ତ୍ରଣ ରକ୍ଷା କରି ବିରୋଧୀ ଦଳ ନେତା ଦିଲ୍ଲୀ ଯାଇଥିବା ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବିରୋଧୀ ଦଳ ନେତା କାହିଁକି ଯାଇଥିଲେ ଓ କ’ଣ ଆଲୋଚନା କଲେ ବିଜେଡ଼ି ମୁଖପାତ୍ର ତାହାର ଉତ୍ତର ଜାକି ଦେଇଛନ୍ତି ।
ଅନ୍ୟପକ୍ଷରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତାଙ୍କ ଗୋପନ ଭେଟଘାଟ୍ କୁ କଂଗ୍ରେସ ନେତାମାନେ ଗ୍ରହଣ କରିନାହାନ୍ତି । ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି, ନରସିଂହ ବାବୁ ଜଣେ ବରିଷ୍ଠ ଆଇନଜୀବୀ ସତ ହେଲେ ତାଙ୍କର ବାଡ଼ବତା ନାହିଁ । ବିଜେପୁର ଉପନିର୍ବାଚନର ଘଡ଼ିସନ୍ଧି ମୁହୁର୍ତ୍ତରେ ଦିଲ୍ଲୀ ଯାଇ ନବୀନଙ୍କୁ ଭେଟିବା ପଛରେ ସଲାସୁତୁରା ଥିବା ଲୋକେ ବୁଝିଲେଣି । ସେହିଭଳି ବରିଷ୍ଠ ନେତ୍ରୀ ସଂଧ୍ୟାରାଣୀ ମହାପାତ୍ର କହିଛନ୍ତି, ନରସିଂହ ମିଶ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ଆଚରଣ ଓ ଉଦ୍ଦେଶ୍ୟ ଏବେ ସନ୍ଦିହାନ ହୋଇପଡ଼ିଛି । ଗତକାଲି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଭେଟଘାଟ ଉପରେ ନିରବ ଥିବା ବିଜେପି ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତାଙ୍କ ଭେଟ୍ କୁ ସମାଲୋଚନା କରିଛି । ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, କଂଗ୍ରେସ ଯେ ବିଜେଡ଼ିର ଆଶାବାଡ଼ି ଏହା ତାହାର ପ୍ରମାଣ ଦେଉଛି ।