ଭୁବନେଶ୍ୱର: ଯାଆଁଳା ଭାଇ ଜଗା-ବଳିଆଙ୍କ ଯୋଡାମୁଣ୍ଡ ଶେଷରେ ଅଲଗା ହୋଇଛି । ଦିଲ୍ଲୀ ଏମସରେ ୧୧ ଘଣ୍ଟାର ଅପରେସନ୍ ପରେ ଜଗା-ବଳିଆ ଅଲଗା ହୋଇଛନ୍ତି । ଦୁହିଁଙ୍କ ମୁଣ୍ଡକୁ ଅଲଗା କଲା ପରେ ଡାକ୍ତରମାନେ ପ୍ରାୟ ୭ ଘଣ୍ଟା ଧରି ପ୍ଲାଷ୍ଟିକ୍ ସର୍ଜରୀ ଅପରେସନ୍ କରିଥିଲେ । ରାତି ପ୍ରାୟ ୨.୪୫ ମିନିଟ୍ ରେ ସେମାନଙ୍କୁ ଅପରେସନ୍ ଥିଏଟରରୁ ବାହାର କରାଯାଇ ଆଇସିୟୁରେ ରଖାଯାଇଛି । ଦୁଇଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏମସ ପକ୍ଷରୁ ସୂଚନା ମିଳିଛି । ୭୨ ଘଣ୍ଟା ପର୍ଯ୍ୟନ୍ତ ଦୁହିଁଙ୍କୁ ଅବସରଭେସନ୍ ରେ ରଖାଯିବ । ଜଗା-ବଳିଆଙ୍କ ଯୋଡାମୁଣ୍ଡର ବିରଳ ଜଟିଳ ଅସ୍ତ୍ରୋପଚାରରେ ଏମସ ଡାକ୍ତରମାନଙ୍କୁ ସଫଳତା ମିଳିବା ସହ ଚିକିତ୍ସା ଜଗତରେ ମାଇଲଖୁଣ୍ଟ ହୋଇଯାଇଛି । ଓଡ଼ିଶା ସମେତ ସାରା ଦେଶରେ ଏହା ଖୁସିର ଲହରି ଖେଳାଇଦେଇଛି । ଜଗା-ବଳିଆଙ୍କ ସୁସ୍ଥତା ପାଇଁ ରାଜ୍ୟବାସୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଜଗା-ବଳିଆଙ୍କ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ପାଇଁ ଗତକାଲି ଭୋର୍ ୫ଟାରେ ଜଗା-ବଳିଆଙ୍କୁ ନ୍ୟୁରୋ ସାଇନ୍ସ ପ୍ରାଇଭେଟ୍ ୱାର୍ଡରୁ ଓଟି ଭିତରକୁ ନିଆଯାଇଥିଲା । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସକାଳ ୯ ଟାରେ ଆରମ୍ଭ ହୋଇଥିଲା ଅପରେସନ୍ । ନ୍ୟୁରୋ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୪୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଅପରେସନ୍ ରେ ସାମିଲ ହୋଇଥିଲେ । ଟିମ୍ ରେ କୌଣସି ବିଦେଶୀ ଡାକ୍ତର ନ ଥିଲେ । ଅପରେସନ୍ ଅନବରତ ଚାଲିବା ପରେ ରାତି ପ୍ରାୟ ୯ଟା ବେଳେକୁ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଡାକ୍ତରମାନେ ସଫଳତାର ସହ ଅଲଗା କରିଥିଲେ । ଶେଷ ଖବର ଅନୁଯାୟୀ ଦୁଇ ଭାଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରମାନେ ଖୁବ୍ ଆଶାବାଦୀ ରହିଛନ୍ତି ।
ଜଗା-ବଳିଆ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ । ପ୍ରଭୃ ଜଗନ୍ନାଥଙ୍କ ନିକଟରେ ମିଡ୍ ଡ଼େ ଓଡ଼ିଶା ପରିବାର ଏତିକି ପ୍ରାର୍ଥନା କରୁଛି ।