ଭୁବନେଶ୍ୱର: ୨୦୧୭ ଖରିଫ୍ ଋତୁରେ ୩୩ ପ୍ରତିଶତ ଏବଂ ତାଠାରୁ ଅଧିକ ଫସଲହାନୀ କରିଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ମରୁଡ଼ି ପ୍ୟାକେଜ୍ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଏବଂ ଅଧିକ ଫସଲ ହରାଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସରକାର କୃଷି ଇନପୁଟ୍ ସବସିଡ଼ି ଦେବେ । ଅଣ ଜଳସେଚିତ ଅଞ୍ଚଳ ଚାଷୀଙ୍କ ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଏବଂ ଜଳସେଚିତ ଅଞ୍ଚଳର ଚାଷୀଙ୍କ ପାଇଁ ୧୩,୫୦୦ ଟଙ୍କା ପ୍ରଦାନ କରାଯିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଛଡ଼ା ୨ ହେକ୍ଟର ଚାଷଜମି ଥିବା ଅନ୍ୟାନ୍ୟ ଚାଷୀଙ୍କୁ ମୁଣ୍ଡପିଛା ସମାନ ଇନପୁଟ୍ ସବସିଡ଼ି ରାଶି ମିଳିବ । ପ୍ରକୃତ ଚାଷୀଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚଳିତ ଖରିଫ୍ ଋତୁରେ ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ରବି ଚାଷ ପାଇଁ ଫ୍ରେସ୍ ଫାଇନାନସ୍ ବ୍ୟବସ୍ଥା କରାଯିବ । ଏଥିସହ ଖରିଫ ଚାଷୀଙ୍କ ସର୍ଟ ଟର୍ମ ଲୋନ୍ କୁ ମିଡ଼ିୟମ୍ ଟର୍ମ ଲୋନ୍ ରେ ପରିଣତ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳ ଚାଷୀଙ୍କ ଖରିଫ୍ ସର୍ଟ ଟର୍ମ ଲୋନ୍ ପରିଶୋଧ ସମୟସୀମା ୨୦୧୮, ସେପ୍ଟେମ୍ବର ୩୦ କୁ ବୃଦ୍ଧି କରାଯାଇଛି । ୫୦ ପ୍ରତିଶତ ସବସିଡ଼ିରେ ୫ ହଜାର ପମ୍ପସେଟ୍ ସହ ମରୁଡ଼ି କ୍ଷତିଗ୍ରସ୍ତ ଜିଲ୍ଲାରେ ଚାଷୀଙ୍କୁ ୫୦ ଦିନର ଅତିରିକ୍ତ ମନରେଗା କାମ ଦିଆଯିବ । ପ୍ରଭାବିତ ଜିଲ୍ଲାର ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ କଲେଜ ପିଲାଙ୍କ ସ୍କୁଲ ଟିଉସନ୍ ଫି ଓ ପରୀକ୍ଷା ଫି ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗାଁ ସାହୁକାର କିମ୍ବା ସୁଧ ପ୍ରଦାନକାରୀ ବ୍ୟକ୍ତିବିଶେଷଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ କବଳରୁ ବିପଦଗ୍ରସ୍ତ ଚାଷୀଙ୍କ ରକ୍ଷା ପାଇଁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।