ଭୁୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧାଂଶୁ ଶେଖର ରଥ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ(ଓପିଏସସି)ର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସେମାନଙ୍କ ନିଯୁକ୍ତିନାମା ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶା କୋଅପରେଟିଭ୍ ସୋସାଇଟିସ୍ ରେଜିଷ୍ଟ୍ରାର ପଦରେ ଅବସରଗ୍ରହଣ କରିଥିବା ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକ ଜଣେ ଦକ୍ଷ ପ୍ରଶାସକ ଭାବେ ଜଣାଶୁଣା । ଝାରସୁଗୁଡ଼ା ଜିଲ୍ଲାପାଳ, ପର୍ଯ୍ୟଟନ ନିର୍ଦ୍ଦେଶକ, ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ପିଡବ୍ଲୁଡି କଲ୍ୟାଣ ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସେ ସୁଚାରୂଭାବେ ତୁଲାଇଥିଲେ । ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ଥିଲା ।
ପ୍ରଫେସର ସୁଧାଂଶୁ ଶେଖର ରଥ ରାଜ୍ୟର ଜଣେ ଜଣାଶୁଣା ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସଫଳତାର ସହ କାର୍ଯ୍ୟ କରିଥିବା ପ୍ରଫେସର ରଥ ଆପ୍ଲାଏଡ଼ ଇକୋନମିକସ୍, ଫାଇନାନସ୍ ଏବଂ ମ୍ୟାନେଜଣ୍ଟ ଉପରେ ଦୀର୍ଘବର୍ଷର ଶିକ୍ଷାଦାନ ଓ ଗବେଷଣା ଅଭିଜ୍ଞତା ରଖିଛନ୍ତି । ଶିକ୍ଷାଦାନ ଓ ପ୍ରଶାସନିକ କାର୍ଯ୍ୟ ସହ ଜଡ଼ିତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ କାର୍ଯ୍ୟ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲ୍ ରେ ତାଙ୍କର ଗବେଷଣାମୂଳକ ନିବନ୍ଧ ପ୍ରକାଶିତ ହୋଇ ଆସୁଛି । ବିଶ୍ୱବ୍ୟାଙ୍କ, ୟୁଏନଡିପି, ଏନଆଇପିଏଫପି, ଆଇଆଇପିଏ ପ୍ରାୟୋଜିତ ବିଭିନ୍ନ ପ୍ରକଳ୍ପରେ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ତାଙ୍କ କୃତିତ୍ୱର ଆଉ ଏକ ଫର୍ଦ୍ଦ ।