କରୋନା ସଂକ୍ରମଣ ଜାତୀୟ ହାର ୮.୬୯%
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଛି । ଏବେ ଦୈନିକ ପ୍ରାୟ ୨୨୦୦ରୁ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗଞ୍ଜାମ ପରେ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଅଧିକ ବିଗିଡ଼ି ଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ ଟେଷ୍ଟିଂ ହେଉଥିବାରୁ ସେହି ତୁଳନାରେ ଏହି ସଂକ୍ରମଣ ହାର ଯଥେଷ୍ଟ କମ୍ ।
ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, କୋଭିଡ୍ ସଂକ୍ରମଣ ହାର( ପଜିଟିଭିଟି ରେଟ୍) ରେ ହ୍ରାସ୍ ଆଣିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି । ତାମିଲନାଡୁ, କେରଳ, ବିହାର, ଆସାମ ଓ ଗୁଜୁରାଟ ଭଳି ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାର ସ୍ଥିତି ଭଲ । ଓଡ଼ିଶାରେ କରୋନା ସଂକ୍ରମଣ ହାର ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଛି । ଓଡ଼ିଶାର ହାର ୬% ଥିବା ବେଳେ ଜାତୀୟ ହାର ହେଉଛି ୮.୬୯% । ହିମାଚଳ ପ୍ରଦେଶ ସବୁଠାରୁ ଭଲ ସ୍ଥିତିରେ ଅଛି । ରାଜ୍ୟରେ ସଂକ୍ରମଣ ହାର ମାତ୍ର ୨% ଥିବା ବେଳେ ରାଜସ୍ଥାନରେ ୪%, ପଞ୍ଜାବ ୪.୧୦%, ମଧ୍ୟପ୍ରଦେଶ ୪.୬୦%, ଉତ୍ତରପ୍ରଦେଶ ୪.୬୦% ରହିଛି ।
ଅନ୍ୟପକ୍ଷରେ ଗୁଜୁରାଟରେ ସଂକ୍ରମଣ ହାର ୬.୪୦%, ଆସାମ ୬.୫୦%, ବିହାର ୭.୧୦%, ଗୋଆ ୭.୧୦%, କେରଳ ୭.୮୦% ଏବଂ ତାମିଲନାଡୁରେ ୮.୨୦% ରହିଛି ।
ଓଡ଼ିଶାରେ କୋଭିଡ୍ ପରିଚାଳନାରେ ନିରବଚ୍ଛିନ୍ନ ଉଦ୍ୟମ ଏବଂ କୋଭିଡ୍ ଯୋଦ୍ଧାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସଂକ୍ରମଣ ହାରକୁ ଯଥେଷ୍ଟ ରୋକା ଯାଇପାରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ।