ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ଜଗନ୍ନାଥ ଲେଙ୍କା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଓ ପ୍ରଫେସର ଭାବେ ସେ ନିକଟରେ ଅବସର ଗ୍ରହଣ କରିଛନ୍ତି ।
ଅର୍ଥନୀତିରେ ଗୋଲଡ୍ ମେଡାଲିଷ୍ଟ୍ ପ୍ରଫେସର ଲେଙ୍କା ଜଣେ ଉଚ୍ଚକୋଟିର ଶିକ୍ଷକ ଭାବେ ବେଶ୍ ଜଣାଶୁଣା । ବିଜେବି କଲେଜ, ରେଭେନସା ବିଶ୍ୱବିଦ୍ୟାଳୟଠାରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ତାଙ୍କର ଦୀର୍ଘ ଅଧ୍ୟାପନା କାଳରେ ସେ ଛାତ୍ରଛାତ୍ରୀମହଲରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ୩୦ ବର୍ଷର ଅଧ୍ୟାପନା ସହ ତାଙ୍କର ୨୦ ବର୍ଷର ଗବେଷଣା ଅଭିଜ୍ଞତା ରହିଛି । ତାଙ୍କ ଅଧୀନରେ ୭ ଜଣ ପିଏଚଡି ଡିଗ୍ରୀ ହାସଲ କରିଥିବା ବେଳେ ୧୯ ଜଣ ଏମଫିଲ୍ ଡିଗ୍ରୀ ହାସଲ କରିଛନ୍ତି । ଅର୍ଥନୀତିର ଜଟିଳ ବିଷୟବସ୍ତୁ ଉପରେ ପ୍ରଫେସର ଲେଙ୍କା ୮ଟି ପୁସ୍ତକ ଲେଖିଛନ୍ତି । ଏଥିସହ ଜାତୀୟ ଓ ଆନ୍ତର୍ଜାତୀୟ ବିଭିନ୍ନ ଜର୍ଣ୍ଣାଲ୍ ରେ ତାଙ୍କର ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି ।