ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗତ ଏପ୍ରିଲ୍ ୮ ତାରିଖରେ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଓରଟେଲ୍ କମ୍ୟୁନିକେସନ୍ ସଂସ୍ଥାକୁ ଏକ ଚିଠି ଲେଖିଥିଲେ । ସଚିବାଳୟ ଚାମ୍ବରରେ ଟିଭି ଦେଖୋଉଥିବା ଓରଟେଲ୍ ସଂସ୍ଥାର ନିମ୍ନମାନର ସେବା ଉପରେ ବର୍ଷିଥିଲେ ରାଜ୍ୟ ସରକାରଙ୍କ ଏହି ବିଭାଗ । ଖୋଦ୍ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଅଫିସ୍ ପକ୍ଷରୁ ବାରମ୍ବାର ଅଭିଯୋଗ କଲେ ବି ସଂସ୍ଥା ଗାଲୁ ମାରୁଛି । କନେକ୍ସନ୍ ସଜାଡ଼ିବାକୁ କେହି ଆସୁନାହାନ୍ତି । ତେଣୁ ତୁରନ୍ତ ସଂଯୋଗ କାଟିଦିଅ ବୋଲି ସଂସ୍ଥାକୁ ନିର୍ଦେଶ ହୋଇଥିଲା । ଖାଲି ସେତିକି ନୁହେଁ, ସେଟ୍ ଅପ୍ ବକ୍ସ ଓ ମାସିକିଆ ବିଲ୍ ବାବଦରେ ନେଇଯାଇଥିବା ୨୦ ହଜାର ଟଙ୍କା ଅବିଳମ୍ବେ ଫେରାଇ ଦେବାକୁ ସଂସଦୀୟ ବ୍ୟାପାର ବିଭାଗ ଓରଟେଲ୍କୁ ତାଗିଦ୍ କରିଥିଲେ ।
ଓରଟେଲ୍ କେବୁଲ୍ ସଂସ୍ଥାର ଅଳିଆ ସେବା ଉପରେ ଏହା ହେଉଛି ରାଜ୍ୟ ସରକାରଙ୍କ ଉପଲବ୍ଧି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରେ ଟିଭି କେବୁଲ୍ ସଜାଡ଼ିବାକୁ ସଂସ୍ଥା ଗାଲୁ ମାରୁଛି ସେଠି ସାଧାରଣ ଗ୍ରାହକଙ୍କ ଅବସ୍ଥା କିଭଳି ହୋଇଥିବା ତାହା ସହଜରେ ଅନୁମେୟ । ଓରଟେଲ୍ କେବୁଲ୍ ବିଛା ହୋଇଥିବା ରାଜ୍ୟର ଯେ କୌଣସି ଜାଗାକୁ ଯାଆନ୍ତୁ ଗ୍ରାହକମାନେ ଓରଟେଲ୍ ନାଁ ଶୁଣିଲେ ବହେ ଶୋଧିବାଟା ଥୟ । ଖୋଦ୍ ଭୁବନେଶ୍ୱରରେ ଗ୍ରାହକମାନେ ଓରଟେଲ୍ ନାଁ ଶୁଣିଲେ ନାକ ଟେକୁଛନ୍ତି । ଟିଭି କିମ୍ବା ନେଟ୍ ସଂଯୋଗ ସଜାଡ଼ିବାକୁ ଅଭିଯୋଗ କରି କରି ନୟାନ୍ତ ହେଲେ ବି କେହି ଶୁଣୁନାହାନ୍ତି । ଫଳରେ ଗ୍ରାହକମାନେ ଏମିତିକି ମାସ ମାସ ଧରି ଟିଭି କି ନେଟ୍ ସେବାରୁ ବଞ୍ଚିତ ରହୁଛନ୍ତି । ସେବା ଉପରେ ଆଦୌ ଧ୍ୟାନ ଦେଉ ନ ଥିବା ସଂସ୍ଥା କିନ୍ତୁ ମାସିକିଆ ବିଲ୍ ଆଦାୟ କରିବାରେ ବେଶ୍ ଧୂରନ୍ଧର । ଲୋକଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରିବାକୁ କମ୍ପାନୀ ହୃଷ୍ଟପୃଷ୍ଟିଆ ଗୁଡ଼ାଏ ଗୁଣ୍ଡାଙ୍କୁ ନିୟୋଜିତ କରିଛି । ଦିନ ଦ୍ୱିପ୍ରହରେ ବର୍ଷ ବର୍ଷ ଧରି ଲୋକଙ୍କୁ କିଭଳି ଶୋଷଣ କରାଯାଏ ଓରଟେଲ୍ ସଂସ୍ଥା ତାହାର ଏକ ଜ୍ୱଳନ୍ତ ଉଦାହରଣ ।
ତେବେ ଓଡ଼ିଶାବାସୀଙ୍କ ପାଇଁ ଆକାଶରୁ ଲୁହ ଗଡ଼ାଉଥିବା ବାବୁ ବୈଜୟନ୍ତ ପଣ୍ଡାଙ୍କ ଏହି ସଂସ୍ଥା ନିଜକୁ ସୁଧାରିବା ପରିବର୍ତ୍ତେ ଡିହ ଗାଲୁ ମାରି ନିଜକୁ ସତୀ ବୋଲାଉଛନ୍ତି । ଓରଟେଲ୍ କର୍ତ୍ତୃପକ୍ଷ ଟ୍ୱିଟ୍ କରି ଏହାକୁ ସଂସ୍ଥା ବିରୋଧରେ କିଛି ଲୋକଙ୍କ ଷଡ଼ଯନ୍ତ୍ର ବୋଲି ଆକ୍ଷେପ କରିଛନ୍ତି । ସେହି ବ୍ୟକ୍ତିମାନେ ସୋସିଆଲ୍ ମିଡ଼ିଆ ଜରିଆରେ କୁଆଡେ ମିଛ ଅପପ୍ରଚାର ଚଳେଇଛନ୍ତି । ସଂସ୍ଥା ମୁଖିଆଙ୍କ କହିବା କଥା, ଅଭିଯୋଗକାରୀ ଗ୍ରାହକଙ୍କୁ କଷ୍ଟମର୍ ନମ୍ବର ମାଗିଲେ ସେମାନେ ଦେଉନାହାନ୍ତି । କଷ୍ଟମର ନମ୍ବର ପାଉ ନ ଥିବାରୁ ସେବା ଯୋଗାଇ ହେଉନି ବୋଲି ଅତ୍ୟନ୍ତ ନିର୍ଲଜ ସଫେଇ ଦେବାକୁ ସଂସ୍ଥା କର୍ତ୍ତୃପକ୍ଷ ପ୍ରୟାସ କରିଛନ୍ତି । କର୍ତ୍ତୃପକ୍ଷ ଏଭଳି ନିର୍ଲ୍ଲଜ ଟ୍ୱିଟ୍ କରି ଗ୍ରାହକମାନଙ୍କୁ ପାଗଳ ବନାଇଛନ୍ତି ।
ନିଜ ଦୋଷ ଲୁଚାଇବାକୁ ସଂସ୍ଥା କର୍ତ୍ତୃପକ୍ଷ କିଭଳି ଡାହା ମିଛ ମାରୁଛନ୍ତି ତାହାର ଅନେକ ଉଦାହରଣ ରହିଛି । ଏକ ନିର୍ଦ୍ଦିଷ୍ଟ ପ୍ରମାଣ ହେଉଛି, ସଂସ୍ଥା ପରିଚାଳନା ମୁଖିଆଙ୍କ ମୋବାଇଲ୍ ନମ୍ବର ୯୯୩୭୦୪୧୫୭୪ କୁ ଗତ ଫେବୃଆରୀ ୨୫ ତାରିଖରେ ଏକ ଅଭିଯୋଗ ଦିଆଯାଇଥିଲା । ସଂପୃକ୍ତ ଗ୍ରାହକଙ୍କ ନେଟ୍ କନେକ୍ସନ୍ ୧୫ ଦିନ ପୂର୍ବରୁ କଟିଯାଇଥିଲା ଏବଂ ୧୫ ଦିନରେ ସେ ୩୦ ଥର ସଂସ୍ଥା ଅଫିସରେ ଅଭିଯୋଗ ଦେଇଥିଲେ । ସବୁଥର ଉତ୍ତର ମିଳିଥିଲା ଆଜି ସଂଧ୍ୟାରେ ଠିକ୍ ହୋଇଯିବ । ତେବେ ଶେଷରେ ନିରାଶ ହୋଇ ସଂସ୍ଥା ମୁଖିଆଙ୍କ ସାହାଯ୍ୟ ଲୋଡିଲେ ଗ୍ରାହକ । ତାଙ୍କୁ ଫୋନ୍ କଲେ । ମୁଖିଆ ଫୋନ୍ ଉଠାଇ ଅଭିଯୋଗ ଶୁଣିଲା ମାତ୍ରେ ଫୋନ୍ କାଟି ଦେଇଥିଲେ । ଆଉ ଯେତେ ଫୋନ୍ କଲେ ବି ଉଠାଇଲେନି । ଶେଷରେ ହତାଶ ଗ୍ରାହକ ତାଙ୍କୁ ଏସଏମଏସ୍ କରି ନିଜର ନାଁ, କଷ୍ଟମର୍ ନମ୍ବର ଏବଂ ଅଭିଯୋଗ ଲେଖିଥିଲେ । ହେଲେ କିଛି ବି ଆଶ୍ୱାସନା ମିଳିଲା ନାହିଁ । ଲାଗ ଲାଗ ଏ ନେଇ ରିମାଇଣ୍ଡର୍ ମେସେଜ୍ ବି ଦିଆଗଲା । ହେଲେ ଉତ୍ତର ମିଳିଲାନି କି ସଂଯୋଗ ସଜଡ଼ା ଗଲାନି । ଶେଷରେ ଗ୍ରାହକ ସଂଯୋଗ କାଟିବାକୁ ବାଧ୍ୟ ହେଲେ ।
ଖାଲି କିଛି ନିର୍ଦ୍ଦିଷ୍ଟ ଗ୍ରାହକ ନୁହଁନ୍ତ ଭୁବନେଶ୍ୱରର ଘର ଘର ବୁଲି ଓରଟେଲ୍ ସଂସ୍ଥାର ସେବା ଉପରେ ଚର୍ଚ୍ଚା କଲେ ଗୁଡ଼ାଏ ଗାଳି ଶୁଣିବାକୁ ପଡ଼ିବ । ଯେ କୌଣସି ଛକ ଖଟିରେ ଅରଟେଲ ନାଁ ପଡ଼ିଲେ ଦୋ ଅକ୍ଷରି ଛଡ଼ା ଭଲ ପଦେ କଥା ଶୁଣିବାକୁ ମିଳିବନି । ସଂସ୍ଥା କର୍ତ୍ତୃପକ୍ଷଙ୍କ ସାହାସ ଥିଲେ ଗ୍ରାହକଙ୍କ ମତ ନିଅନ୍ତୁ ଏବଂ ଚକ୍ରାନ୍ତର ଆଖ୍ୟା ଦେଇ ଇଆଡୁ ସିଆଡୁ ଟ୍ୱିଟ୍ ନ କରି ନିଜ ଭୁଲ୍ ସୁଧାରନ୍ତୁ । ବେପାରୀ ସର୍ବସ୍ୱ ମନ ଛାଡ଼ି ସଂସ୍ଥାର ୱାର୍କ କଲଚର୍ ବଢ଼ାଇପାରିଲେ ଓଡ଼ିଶାବାସୀ ଉପକୃତ ହେବେ । ସଂସ୍ଥା କର୍ତ୍ତୃପକ୍ଷଙ୍କର ମଙ୍ଗଳ ହେବ ।