ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କଟକ ବାରବାଟୀ ବିଧାୟକ ଦେବାଶିଷ ଓରଫ୍ ଋଷି ସାମନ୍ତରାୟଙ୍କ ଫୁଟାଣି ଭାଙ୍ଗିଯାଇଛି । ଦଳୀୟ ଅର୍ନ୍ତଦ୍ୱନ୍ଦ ତଥା ଭାଇବୋହୁ ଶିଖା ସାମନ୍ତରାୟଙ୍କ ପ୍ରଚାର ୠଷିଙ୍କୁ ମହଙ୍ଗା ପଡ଼ିବା ସହ ବିଜେଡ଼ିକୁ ଚିତ୍ପଟ୍ଟାଙ୍ଗ କରିଛି । ମହାନଗର ନିଗମର ୨୧ ନମ୍ବର ୱାର୍ଡ ଉପନିର୍ବାଚନରେ ସବୁ କଳ, ବଳ ଓ କୌଶଳ ଖଟାଯାଇଥିଲେ ମଧ୍ୟ ଶାସକ ବିଜେଡ଼ିକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଖାଲି କଟକ ନୁହେଁ, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବୁଗୁଡ଼ା ଏନଏସି ଉପନିର୍ବାଚନରେ ମଧ୍ୟ ବିଜେଡ଼ି ପ୍ରାର୍ଥୀଙ୍କୁ ଲୋକ ଛି ଛାକର କରି ଘଉଡ଼େଇ ଦେଇଛନ୍ତି । ପୂର୍ବରୁ ଏହି ଦୁଇଟି ଆସନ ଶାସକ ଦଳର ଅକ୍ତିଆରରେ ଥିଲା । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦୁଇ ଦୁଇଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ଶାସକ ଦଳକୁ ଲଜ୍ଜିତ କରିବା ସହ ଭବିଷ୍ୟତ ଟଳମଳ କରିଛି ।
କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡଟି ଥିଲା ପୂର୍ବତନ ମେୟର ଅନୀତା ବେହେରାଙ୍କର । ମେୟର ପଦବୀରେ ଥାଇ ତାଙ୍କ ନାଁରେ ରାସନ୍ କାର୍ଡ ଇସ୍ୟୁ ବିବାଦରେ ପଡ଼ି ସେ ଉଭୟ ମେୟର ଓ କର୍ପୋରେଟର ପଦରୁ ଇସ୍ତଫା ଦେଇଥିଲେ । ଅନୀତାଙ୍କ ବିଦାୟ ପଛରେ ସ୍ଥାନୀୟ ବିଧାୟକ ଋଷିଙ୍କ ଷଡ଼ଯନ୍ତ୍ର ଥିବା ଚର୍ଚ୍ଚା ହୋଇଥିଲା । ସେ ଯାହା ହେଉ, ଏହି ୱାର୍ଡ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ କରିଥିଲା ତୁଳସୀ ବେହେରାଙ୍କୁ । ଆସନଟିକୁ ଜିତିବା ଋଷିଙ୍କ ପାଇଁ ନିହାତି ଇଜ୍ଜତର ପ୍ରଶ୍ନ ଥିଲା । ସେଥିପାଇଁ ସେ ନିଜର ଜାନ୍ ଖଟାଇଥିଲେ । ତେବେ ତାଙ୍କର ପ୍ରତିପତ୍ତି, ଗର୍ବ ଓ ଅଂହକାରକୁ ପାନେ ଦେବା ପାଇଁ ଭିତିରିଆ ଷଡ଼ଯନ୍ତ୍ର ରଚିଥିଲେ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ପ୍ରଭାତ ବିଶ୍ୱାଳ । ୱାର୍ଡରେ ସେମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ମଧ୍ୟ ଭିତରେ ଭିତରେ ଋଷିଙ୍କ ଗୋଛି କାଟିବା ଉଦ୍ୟମରେ ଥିବା କୁହାଯାଉଛି ।
ସେପଟେ ଧଳସାମନ୍ତ ବ୍ରଦର୍ସ ଲିଙ୍କଡ୍ ଋଷି ତାଙ୍କର ଚେଲା ଚାମଣ୍ଡା ଧରି ଆସନଟିକୁ ଯେନତେଣ ଉପାୟରେ ହାତେଇ ରଖିବାକୁ ଲାଗିପଡ଼ିଥିଲେ । ତେବେ ଦଳୀୟ ନେତାଙ୍କ ରୋଷରେ ପଡ଼ିଥିବା ଋଷିଙ୍କୁ ଆଉ ଏକ କାଳ ହୋଇଗଲେ ତାଙ୍କ ଭାଇବୋହୁ ଶିଖା । ଋଷିଙ୍କ ଅପକର୍ମକୁ ସେ ଦ୍ୱାର ଦ୍ୱାର ବୁଲି ପ୍ରଚାର ଚଳାଇଲେ । ନିଜ ଭାଇବୋହୁଙ୍କ ପ୍ରଚାର ଋଷିଙ୍କ ହୋସ୍ ଉଡାଇଦେଲା । ପ୍ରଚୁର ଟଙ୍କାବଳ ଭୋଟରଙ୍କୁ ପ୍ରଭାବିତ କରିପାରିଲାନି । ଦଳୀୟ ପ୍ରାର୍ଥୀ ତୁଳସୀ ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସଙ୍କଠାରୁ ୨୧୭ ଖଣ୍ଡ ଭୋଟରରେ ପରାଜିତ ହେଲେ । ଏବେ ଋଷିଙ୍କ ବଦନାମର ଭାର ବୋହିବାକୁ ପଡ଼ିଛି ବିଜୁ ଜନତା ଦଳକୁ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ବୁଗୁଡ଼ା ଏନଏସିରେ ବି ବିଜେଡ଼ିର ସମାନ ଅବସ୍ଥା । ୯ ନମ୍ବର ୱାର୍ଡ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ କୃତିବାସ ସ୍ୱାଇଁ କଂଗ୍ରେସ ପ୍ରାର୍ଥୀ ନାଗଭୂଷଣ ଆଚାରୀଙ୍କଠାରୁ ୧୦୬ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀଙ୍କ ପରାଜୟ ପଛରେ ଦଳୀୟ ଅର୍ନ୍ତଦ୍ୱନ୍ଦକୁ ସେଠାରେ ମୁଖ୍ୟ କାରଣ ବୋଲି କୁହାଯାଉଛି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦୁଇ ଦୁଇଟି ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କ ପରାଜୟ ଖୋଦ୍ ସୁପ୍ରିମୋଙ୍କୁ ବିବ୍ରତ କରିଛି । ଚତୁର୍ଥ ଟର୍ମର ଦୁଇବର୍ଷ ଶାସନର ସଫଳତା ପ୍ରଚାର କରୁଥିବା ବିଜେଡ଼ି ପାଇଁ ଏହି ଦୁଇଟି ଯାକ ଉପନିର୍ବାଚନ ଲିଟମସ୍ ଟେଷ୍ଟ ଭଳି ହୋଇଛି । କଟକରେ ଖୋଦ୍ ବିଦାୟୀ ମେୟରଙ୍କ ୱାର୍ଡରେ ଦଳର ଏଭଳି ଶୋଚନୀୟ ପରାଜୟକୁ ବରିଷ୍ଠ ନେତାମାନେ ହଜମ କରିନାହାନ୍ତି । କଟକ ଫଳାଫଳ ସମଗ୍ର ରାଜ୍ୟରେ ବିଜେଡ଼ି ପ୍ରତି ଲୋକଙ୍କ ପ୍ରତିକୂଳ ଭାବ ସୃଷ୍ଟି କରିବାର ଆଶଙ୍କା ସେମାନେ କରିଛନ୍ତି । ଲୋକଙ୍କ ଭାବ ଜାରି ରହିଲେ ଆଗକୁ ବିଜେଡ଼ି ପାଇଁ ଭୟଙ୍କର ବିପଦ ଟାଣି ଆଣିବ ବୋଲି କୁହାଗଲାଣି । ୧୬ ବର୍ଷ ଶାସନର ଗର୍ବ ଅହଂକାର ଭୁଲି ଦଳରୁ ଋଷିଙ୍କ ଭଳି ନିର୍ମୂଳିଙ୍କୁ ସଫା ନ କଲେ ନେଡ଼ିଗୁଣ କହୁଣୀକୁ ବୋହିଯିବ ବୋଲି ନବୀନଙ୍କୁ ଏହା ଚେତାବନୀ ହୋଇଛି ।