ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନୟାଗଡ଼ ଜିଲ୍ଲା ଫତେଗଡ଼ ପୁଲିସ ଦ୍ୱାରା ଭୟଙ୍କର ନିର୍ଯାତିତ ୯୦ ବର୍ଷୀୟ ବୃଦ୍ଧ ବାନାମ୍ବର ସ୍ୱାଇଁଙ୍କ ଅବସ୍ଥା ଗୁରୁତର । ୪୩ ଡିଗ୍ରୀ ଖରାରେ ପୁଲିସ ଦିନସାରା ବସାଇବା ଏବଂ ରାତି ଅଧରେ ଘରୁ ଉଠାଇ ଜେଲ୍ ପଠଇବା ପରଠୁଁ ତାଙ୍କ ଶେଷ ଜୀବନଟି ଯନ୍ତ୍ରଣାମୟ ହୋଇପଡ଼ିଛି । ଉଭୟ ମାନସିକ ଓ ଶାରୀରିକ ଭାବେ ସେ ଏବେ ଗୁରୁତର ଅସୁସ୍ଥ । ପୁଲିସର ଭୟ ଓ ଆତଙ୍କ ତାଙ୍କୁ ଗୁରୁତର ଅସୁସ୍ଥ କରିଦେଇଛି । କଟକ ଏସସିବି ମେଡ଼ିକାଲ କଲେଜ ପ୍ରଫେସର ଚିତ୍ତରଞ୍ଜନ କରଙ୍କ ଚିକିତ୍ସାରେ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାନାମ୍ବର । ଜୀବନର ଶେଷ ପାହାଚ ଛୁଇଁଥିବା ଦୃଢ଼ ମନୋବଳଧାରୀ ବାନାମ୍ବରଙ୍କୁ ପୁଲିସ ମୁକ, ଜଡ଼ା ଓ ପଙ୍ଗୁ କରିଦେଇଛି ।
୯୦ ବର୍ଷ ବୟସ ପାର୍ କରିଛନ୍ତି ଭାପୁର ବ୍ଲକ୍ ରାମପଡ଼ା ଗ୍ରାମର ବାନାମ୍ବର ସ୍ୱାଇଁ । ଜୀବନତମାମ ସେ କେବେ ରୋଗରେ ପଡ଼ି ମେଡ଼ିକାଲ୍ ଯାଇଥିବା ପରିବାର ଲୋକ ଜାଣିନାହାନ୍ତି । ମନରେ ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଏହି ପରିଣତ ବୟସରେ ବି ଚଳଚଞ୍ଚଳ କରି ରଖିଥିଲା । ବଡ଼ବୋହୁ ଦ୍ୱାରା ଘରୁ ତଡ଼ାଖାଇ ୮ ବର୍ଷ ହେଲା ବୃଦ୍ଧ ଦମ୍ପତ୍ତି ଗାଁ ନିକଟରେ ଏକ କୁଡ଼ିଆ ଘରେ ଭଡ଼ାରେ ରହୁଛନ୍ତି ଏବଂ ଭୁବନେଶ୍ୱରରେ ପେଟ ପାଇଁ ସଂଘର୍ଷ କରୁଥିବା ମଝିଆ ପୁଅର ସ୍ୱଳ୍ପ ରୋଜଗାରରେ ପେଟକୁ ଦାନା ପାଉଛନ୍ତି । ବଡ଼ପୁଅ ଓ ସାନପୁଅକୁ ହରାଇବାର ଦୁଃଖ ସାଙ୍ଗକୁ ବଡ଼ବୋହୁର ନିର୍ମମ ଅତ୍ୟାଚାର ବୃଦ୍ଧ ଦମ୍ପତ୍ତିଙ୍କ ଜୀବନକୁ ଦୁର୍ବିସହ କରିଥିଲେ ମଧ୍ୟ ଭାଙ୍ଗିପଡ଼ି ନ ଥିଲେ ବାନାମ୍ବର । ତେବେ ଗତ ଏପ୍ରିଲ୍ ୧୩ ତାରିଖ ବାନାମ୍ବରଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି । ବଡ଼ବୋହୁ ଦ୍ୱାରା ମାଡ଼ଖାଇ ପୁଲିସଠାରୁ ନ୍ୟାୟ ପାଇବା ପରିବର୍ତ୍ତେ ପୁଲିସର ଥାର୍ଡ ଡିଗ୍ରୀ ଓ ଜେଲ୍ଦଣ୍ଡ ବୃଦ୍ଧ ବାନାମ୍ବରଙ୍କ ଜୀବନ ଦ୍ୱୀପକୁ ଅସ୍ତମିତ କରିଦେଇଛି ।
ସୂଚନାଯୋଗ୍ୟ, ବଡ଼ବୋହୁ ଦ୍ୱାରା କାଠଫାଳିଆରେ ମାଡ଼ ଖାଇ ବାନାମ୍ବର ଓ ପତ୍ନୀ ନ୍ୟାୟ ଭିକ୍ଷା କରି ଯାଇଥିଲେ ଫତେଗଡ଼ ଥାନାକୁ । ପୂର୍ବରୁ ଭାପୁର ମେଡ଼ିକାଲ୍ରେ ଚିକିତ୍ସିତ ହେବାକୁ ଯାଇଥିଲେ ମଧ୍ୟ ଡାକ୍ତର ବାବୁ ତାଙ୍କୁ ଚିକିତ୍ସା କରି ନ ଥିଲେ । କାରଣ ଥିଲା, ସେହି ଡାକ୍ତରଖାନାର ଡ୍ରାଇଭର ପ୍ରଭାତ ବଳିଆରସିଂ ହେଉଛନ୍ତି ଆକ୍ରମଣକାରୀ ବଡ଼ବୋହୁର ଭାଇ । ତାଙ୍କ ପତ୍ନୀ ବିଜେଡ଼ି ଦଳର ସରପଞ୍ଚ ଥିବାରୁ ପ୍ରଭାତଙ୍କ ପତିଆରା ଯଥେଷ୍ଟ । ଗୁଣ୍ଡାଗର୍ଦ୍ଦିଆ ପ୍ରଭାତ ସ୍ଥାନୀୟ ବାହୁବଳୀ ବିଜେଡ଼ି ନେତା ଗୟାଧର ପରିଡ଼ା ଓ ନିକଟରେ ଭିଜିଲାନସ୍ ଦ୍ୱାରା ଗିରଫ ଖଣ୍ଡପଡ଼ା ବ୍ଲକ୍ ଅଧ୍ୟକ୍ଷ ଶିଶିର ସାହୁଙ୍କ ଡାହାଣହାତ । ଏହି ହିସାବରେ ଫତେଗଡ଼ ପୁଲିସ ଉପରେ ଏହି ଗୋଷ୍ଠୀର ନିୟନ୍ତ୍ରଣ ଜଣାଶୁଣା ।
ବୋହୁ ଦ୍ୱାରା ମାଡ଼ ଖାଇଲା ପରେ ସେମାନଙ୍କୁ ନ୍ୟାୟ ମିଳିବ କ’ଣ ଓଲଟି ବଡ଼ବୋହୁର ପାଲଟା ଏତଲାକୁ ଧରି ହିଂସ୍ର ହୋଇଯାଇଥିଲେ ଥାନାବାବୁ । ଏପ୍ରିଲ୍ ୧୪ ତାରିଖରେ ବାନାମ୍ବର ଓ ତାଙ୍କ ୮୫ ବର୍ଷର ପତ୍ନୀଙ୍କୁ ଆଇଆଇସି ସୁଧାକର ସାହୁ ଥାନା ବାହାରେ ଦିନତମାମ ୪୩ ଡିଗ୍ରୀ ଖରାରେ ସିଝାଇଥିଲେ । ଖାଲି ସେିତିକି ନୁହେଁ ଦିନକ ପରେ ରାତି ଅଧରେ ବାନାମ୍ବରଙ୍କୁ ଘରୁ ଉଠାଇ ଜେଲ୍ ପଠାଇଦେଇଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରବଳ ଚାପ ଯୋଗୁଁ ବୁଢ଼ାକୁ ଆରେଷ୍ଟ କରିବାକୁ ପଡ଼ିଲା ବୋଲି ଖୋଦ୍ ଫତେଗଡ଼ ଥାନାର ଜନୈକ ଅଧିକାରୀ ସ୍ୱୀକାର କରିଥିଲେ । ଆଉ ମନ୍ତ୍ରୀ ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ନିରବତା ତାଙ୍କ ଭୂମିକାକୁ ଏବେ ବି ସନ୍ଦେହ ଘେରରେ ରଖିଛି ।
ଉଲ୍ଲେଖଯୋଗ୍ୟ, ବିଜେଡ଼ି କୁଜିନେତାଙ୍କ ଦ୍ୱାରା ଉଠବସ୍ ହେଉଥିବା ଫତେଗଡ଼ ଥାନା ଆଇଆଇସି ସୁଧାକର ସାହୁ ହେଉଛନ୍ତି ମନ୍ତ୍ରୀ ଅରୁଣ ସାହୁଙ୍କର କଲେଜ ସାଙ୍ଗ । ଅରୁଣଙ୍କ ଇଚ୍ଛାରେ ସେ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇ ଆସିଛନ୍ତି । ତେବେ ରାଜନୈତିକ ଆନୁଗତ୍ୟ ଓ ଚାମଚାଗିରିରେ ଆଇଆଇସି ସାହୁ ତାଙ୍କର ମଣିଷପଣିଆ ଭୁଲିଯିବା ବୁଦ୍ଧିଜୀବୀମାନଙ୍କୁ ବିବ୍ରତ କରିଛି । ବାପା ମାଆଙ୍କର ଠିକ୍ ପୁଅ ହୋଇଥିଲେ ଏଭଳି ଅମାନବୀୟ କାର୍ଯ୍ୟକୁ ମନ ଯାଇ ନ ଥାଆନ୍ତା ବୋଲି ସେମାନେ କହିଛନ୍ତି । ଏବେ ରୋଗଶଯ୍ୟାରେ ଯନ୍ତ୍ରଣାରେ ଛଟପଟ ବାନାମ୍ବରଙ୍କ ଆଖିରୁ ଲୁହ ବୋହିବା ବନ୍ଦ ହେଉନି । ତାଙ୍କୁ ଏଭଳି ଅବସ୍ଥାକୁ ନେଇଥିବା ଅମଣିଷମାନେ ସେହି ଲୁହରେ ଯେ ଧ୍ୱଂସ ହୋଇ ନ ଯିବେ ତାହା କିଏ କହିବ ?