ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ନବୀନ ନିବାସ ସୁରକ୍ଷାକର୍ମୀ ଶୁଭମ୍ ପାତ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଏକାଧିକ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଶୁଭମ୍ ନିଜ ଉଚ୍ଚଶିକ୍ଷିତା ଚାକିରିଆ ପତ୍ନୀଙ୍କୁ ପ୍ରବଳ ପିଟୁଛନ୍ତି । ଦୁଇବର୍ଷ ତଳେ କିରୋସିନୀ ଢ଼ାଳି ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ । ଶରୀରର କିଛି ଅଂଶ ପୋଡ଼ିଯାଇଥିଲେ ମଧ୍ୟ ବଞ୍ଚିଯାଇଥିଲେ ସେ । ବିବାହ ପରଠୁଁ ସ୍ୱାମୀଙ୍କ ନିର୍ଯାତନା ସମ୍ପର୍କରେ ସେ ପୁଲିସରଠାରୁ ଆରମ୍ଭ କରି ମହିଳା କମିଶନ ଯାଇଥିଲେ ମଧ୍ୟ ନିରାଶ ହୋଇଛନ୍ତି । ନିଜ ୪ ମାସ ଝିଅକୁ ଧରି ଏବେ ସେ ଭୟ ଓ ଆତଙ୍କରେ ଜୀବନ କାଟୁଛନ୍ତି । ଉଭୟ ମାଆ ଓ ଝିଅଙ୍କ ଉପରେ ଦିନକୁ ଦିନ ନିର୍ଯାତନା ଅସହ୍ୟ ହେଉଥିବାରୁ ଆଜି ସଂପୃକ୍ତ ମହିଳା ଡିସିପି ଓ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯାଉଛନ୍ତି ।
ଶୁଭମ୍ଙ୍କ ବିରୋଧରେ ପତ୍ନୀଙ୍କ ଅଭିଯୋଗ ଯେତିକି ଲୋମହର୍ଷକ ସେତିକି ସାଂଘାତିକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ବେଡ ଗାର୍ଡ ଡିଉଟିରେ ନିୟୋଜିତ ଅଛନ୍ତି ଶୁଭମ । କ୍ଷମତାର ଗର୍ବ ଓ ଫୁଟାଣୀ ତାଙ୍କୁ ଅମଣିଷ କରିଦେଇଛି । ପ୍ରତିଦିନ ମଦ ପିଇ ବିଭିନ୍ନ ମହିଳା ଓ ଯୁବତୀଙ୍କ ସହ ରାତ୍ରିଯାପନ କରିବା ତାଙ୍କର ସଉକ ପାଲଟିଯାଇଛି । ଏଥିଯୋଗୁଁ ସେ ଘରକୁ ନିୟମିତ ନ ଆସି ପରଘରେ କି ହୋଟେଲରେ ରାତି କାଟନ୍ତି । ଏହା ଆଜିକାଲିକା ଘଟଣା ନୁହେଁ, ଜୁନ୍ ୨, ୨୦୧୨ରେ ବାହାଘର ପରଠୁଁ ତାଙ୍କର ଏଭଳି ସ୍ୱଭାବ ଜାଣିଥିଲେ ପତ୍ନୀ । ଏହାର ପ୍ରତିବାଦ କରିବାରୁ ପ୍ରତିଦିନ ନିର୍ଧୁମ୍ ମାଡ଼ ଖାଇବା ସହ ଦୁର୍ବିସହ ଜୀବନ ଜୀଉଁଛନ୍ତି ।
ବାହାଘରର କିଛି ଦିନ ପରେ ସେ ସ୍ୱାମୀଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ପୁଲିସ ଓ ମହିଳା କମିଶନଙ୍କୁ ଅବଗତ କରାଇଥିଲେ ମଧ୍ୟ ସ୍ୱାମୀଙ୍କ ପାୱାର୍ ଆଗରେ ହାର୍ ମାନିଛନ୍ତି । ୨୦୧୩ ଡିସେମ୍ବରରେ ସ୍ୱାମୀ ତାଙ୍କୁ କିରୋସିନୀ ଢ଼ାଲି ପୋଡି ଦେବାକୁ ଉଦ୍ୟମ କରିଥିଲେ । ଦେହର ବିଭିନ୍ନ ଅଂଶ ତାଙ୍କର ପୋଡ଼ିଯାଇଥିଲେ ମଧ୍ୟ ସେ ବଞ୍ଚିଯାଇଥିଲେ । ତେବେ ଶ୍ୱଶୁର ଘର ଲୋକଙ୍କ ଭୟ ଓ ପ୍ରରୋଚନାରେ ପଡ଼ି ସେ ପାଟି ଚୁପ୍ କରିଥିଲେ । ଇତିମଧ୍ୟରେ ତାଙ୍କର ୪ ମାସର ଝିଅଟିଏ ଅଛି । ହେଲେ ପର ନାରୀ ସହ ରାତ୍ରିଯାପନ ଅଭ୍ୟାସ ଯୋଗୁଁ ପତ୍ନୀଙ୍କୁ ନିର୍ଯାତନା ମାତ୍ରା କମିବା ପରିବର୍ତ୍ତେ ଆହୁରି ହିଂସ୍ର ହୋଇଛି । ରାତି ହେଲା ମାତ୍ରେ ଭୟ ଓ ଆତଙ୍କରେ ସମୟ କାଟୁଛନ୍ତି ମହିଳା । ମଦ୍ୟପ ସ୍ୱାମୀଙ୍କଠାରୁ ପ୍ରବଳ ମାଡ଼ ଖାଉଛନ୍ତି । ସ୍ୱାମୀଙ୍କ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ଅସହାୟ ଏହି ମହିଳା ଜଣଙ୍କ କେତେଥର ଆତ୍ମହତ୍ୟା ଉଦ୍ୟମ ବି କରିଛନ୍ତି ।
ଶାସ୍ତ୍ରୀନଗର ୧୪୭୩ ନମ୍ବର ପ୍ଲଟ୍ ରେ ଶୁଭମ୍ ତାଙ୍କର ଏହି ଅଲୋଡ଼ା ପରିବାରକୁ ନେଇ ଭଡ଼ାରେ ରହୁଛନ୍ତି । ନିର୍ଯାତନାରେ ସଢ଼ି ପଡ଼ିଥିବା ଅଭିଯୋଗକାରୀ ପତ୍ନୀ ଆଇଡ଼ିବିଆଇ ବ୍ୟାଙ୍କରେ ପିଓ ଭାବରେ କାର୍ଯ୍ୟ କରୁଛନ୍ତି । ସ୍ୱୀମୀ ନିଜ ଦରମା ଟଙ୍କାକୁ ଆଦୌ ଘର ଖର୍ଚ୍ଚ ପାଇଁ ନ ଦେଇ ମଦ ଓ ପର ନାରୀ ପିଛା ଖର୍ଚ୍ଚ କରୁଥିବା ପତ୍ନୀ ଅଭିଯୋଗ କରିଛନ୍ତି । ନିଜ ଦରମା ପଇସା ଅଣ୍ଟୁ ନ ଥିବାରୁ ତାଙ୍କ ଦରମା ପଇସାକୁ ଅନାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି । ସ୍ୱାମୀଙ୍କୁ ବାଟକୁ ଆଣି ଭଲ ମଣିଷ କରିବାକୁ ସେ ବହୁ ଉଦ୍ୟମ କରି ଫେଲ୍ ହେବା ପରେ ଏବେ ମୁହଁ ଖୋଲିଛନ୍ତି ପତ୍ନୀ ଶ୍ରୀମତୀ ଦାସ । ପତ୍ନୀଙ୍କ ଅଭିଯୋଗ ସଂକ୍ରାନ୍ତରେ ଆମେ ଶୁଭମ୍ ଙ୍କ ପ୍ରତିକ୍ରିୟା ଜାଣିବାକୁ ବହୁ ଚେଷ୍ଟା କରିଥିଲୁ । ମାତ୍ର ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।