ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମଧ୍ୟପ୍ରଦେଶର ନାମଜାଦା ଆଇଏଏସ୍ ଅଫିସର ତଥା ଜିଲ୍ଲାପାଳ ଅଜୟ ସିଂ ଗଙ୍ଗୱାର୍ଙ୍କୁ ରାଜ୍ୟ ସରକାର ରାତାରାତି ବଦଳି କରିଛନ୍ତି । ତାଙ୍କୁ ସଚିବାଳୟରେ ଏକ ପନିସ୍ମେଣ୍ଟ ପୋଷ୍ଟରେ ଅବସ୍ଥାପିତ କରାଯାଇଛି । ତାଙ୍କର ଦୋଷ, ନିଜ ଫେସ୍ବୁକ୍ ଆକାଉଣ୍ଟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଧର୍ମନିରପେକ୍ଷତାକୁ ସେ ପ୍ରଂଶସା କରିଛନ୍ତି । ଏହି ଫେସ୍ବୁକ ପୋଷ୍ଟକୁ ନେଇ କିଛି ମହଲରେ ଚର୍ଚ୍ଚା ଆରମ୍ଭ ହେଲା କ୍ଷଣି ଗଙ୍ଗୱାର୍ ତାହାକୁ ଉଠାଇ ଦେଇଥିଲେ । ମାତ୍ର ବିଜେପି ସରକାରଙ୍କ ନଜରରେ ସେ ଦୋଷୀ ହୋଇଛନ୍ତି । ସରକାରୀ ଅଧିକାରୀମାନଙ୍କର ପଲଟିକାଲ୍ ଆଫିଲିଏସନ୍ ରହିବା ଉଚିତ୍ ନୁହେଁ ଏବଂ ଏହାକୁ ସେମାନେ ସେୟାର୍ କରିବା ମୌଳିକ ନିୟମର ଉଲ୍ଲଂଘନ । ଚାକିରୀ ଆଚରଣବିଧିର ଉଲ୍ଲଂଘନସ୍ୱରୂପ ଗଙ୍ଗୱାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମଧ୍ୟପ୍ରଦେଶ ସରକାର ସଫେଇ ଦେଇଛନ୍ତି ।
ମଧ୍ୟପ୍ରଦେଶ ଉଦାହରଣରେ ସରକାରଙ୍କ ଆଭିମୁଖ୍ୟ ଯାହା ହେଉ ନା କାହିଁକି ଜଣେ ସରକାରୀ କର୍ମଚାରୀ କୌଣସି ରାଜନୈତିକ ଦଳ କିମ୍ବା ଆଦର୍ଶ ସହ ସଂଶ୍ଲିଷ୍ଟ ହୋଇ ତାହାର ପ୍ରଚାର କରିପାରିବେ ନାହିଁ ତାହା ସ୍ପଷ୍ଟ । ମାତ୍ର ଆମ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ନିଜ ହ୍ୱାଟସ୍ ଆପ୍ରେ ମୋଦି ସରକାରଙ୍କ ପ୍ରଚାରରେ ମାତିଥିଲେ ମଧ୍ୟ ସରକାର ତାହାକୁ ସହ୍ୟ କରିବା ସମସ୍ତଙ୍କୁ ବିସ୍ମିତ କରିଛି । ଲିଙ୍ଗରାଜ ବାବୁଙ୍କ ହ୍ୱାଟସ୍ ଆପ୍ ବାର୍ତ୍ତାକୁ ପୂର୍ବରୁ ମିଡ଼-ଡେ ଓଡ଼ିଶା ପ୍ରକାଶ କରିଥିଲା । ସଂପୃକ୍ତ ଅଧିକାରୀଙ୍କ ଏଭଳି କାର୍ଯ୍ୟର ଖବରକୁ ନେଇ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚା ହୋଇଛି । ମାତ୍ର ସରକାର ତାଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ପୁରସ୍କୃତ କରିବାର ପୁରୁଣା ଯୋଜନାରୁ ହଟିନାହାନ୍ତି । ତାଙ୍କୁ ପଦୋନ୍ନତି ଦେଇ ବିଡ଼ିଏର ସୃଷ୍ଟି ହୋଇଥିବା ନୂଆ ଭାଲ୍ୟୁଏସନ୍ ଅଫିସର ପଦବୀରେ ଥଇଥାନ କରିବାକୁ ଯୋଜନା କରିଛନ୍ତି ।
ସୂଚନାଯୋଗ୍ୟ, ପୁରୀ-କୋଣାର୍କ ଡେଭଲପ୍ମେଣ୍ଟ ଅଥରିଟି ବା ପିକେଡିଏର ପ୍ଲାନିଂ ମେମ୍ବର ଭାବେ କାର୍ଯ୍ୟ କରୁଛନ୍ତି ଲିଙ୍ଗରାଜ ପଟ୍ଟନାୟକ । ପୁରୀରେ ଇସ୍କନ୍ର ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ବିବାଦରେ ସେ ହେଉଛନ୍ତି ଅଭିଯୁକ୍ତ । ଆରଡ଼ିସି ଏହି ମାମଲାର ତଦନ୍ତ କରୁଛି । ମାତ୍ର ତଦନ୍ତ ସରି ନ ଥିବା ବେଳେ ସରକାର ଏହି ବିବାଦୀୟ ଅଫିସରଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରିବାକୁ ଯାଉଛନ୍ତି । ଆଉ ଠିକ୍ ଏତିକିବେଳେ ଲିଙ୍ଗରାଜ ବାବୁ ନରେନ୍ଦ୍ର ମୋଦି ସରକାରଙ୍କ ଦୁଇବର୍ଷର ସଫଳତାକୁ ନିଜର ହ୍ୱାଟସ୍ ଆପ୍ ମାଧ୍ୟମରେ ବାଣ୍ଟି ଆହୁରି ବିବାଦୀୟ ହୋଇପଡ଼ିଛନ୍ତି । ତୃତୀୟ ମହଲାରେ ଚେର ଖେପିଥିବା ଏଲପିପି ବାବୁ ଖାଲି ନରେନ୍ଦ୍ର ମୋଦିଙ୍କ ପ୍ରେମରେ ପଡ଼ିନାହାନ୍ତି ବରଂ ପ୍ରଚାର ଓ ପ୍ରସାର ଦାୟିତ୍ୱର ଏକପ୍ରକାର ଠିକା ନେଇଯାଇଛନ୍ତି । ମୋଦିଙ୍କ ସଫଳ ରିପୋର୍ଟ କାର୍ଡକୁ ନିଜର ଚିହ୍ନାଜଣାଙ୍କୁ ବାଣ୍ଟିଛନ୍ତି । ହ୍ୱାଟସ୍ ଆପ୍ ବାର୍ତ୍ତାରେ ଖୁଦ୍ ପଡ଼ିଏ, ଲୋଗୋ କୋଁ ଭି ପଢ଼ାଇୟେ..ବୋଲି ଲେଖିଛନ୍ତି ପଟ୍ଟନାୟକ ସାର୍ ।