ଭୁବନେଶ୍ୱର: ଚନ୍ଦ୍ରଶେଖରପୁରସ୍ଥିତ ବିଡ଼ିଏ କଲୋନୀରେ ଥିବା ଓରଟେଲ୍ ଅଫିସ ସାମ୍ନାରେ ଆଜିଠାରୁ ଆମରଣ ଅନଶନ ଆରମ୍ଭ ହୋଇଛି । ସିଟିଜେନ୍ କମିଟି ପକ୍ଷରୁ ଅଜିତ୍ କୁମାର ଦାଶଙ୍କ ନେତୃତ୍ୱରେ ସ୍ଥାନୀୟ ବିଭିନ୍ନ ସଂଘ ଓ ସଂଗଠନର ପ୍ରତିନିଧିମାନେ ଏହି ଅନଶନରେ ବସିଛନ୍ତି । ସେମାନଙ୍କର ମୁଖ୍ୟ ଦାବି ହେଉଛି, ଜବରଦଖଲରେ ଥିବା ସି-୧ କମର୍ସିଆଲ୍ କମ୍ପ୍ଲେକ୍ସରୁ ଓରଟେଲ୍ କୁ ହଟାଇ ମଲ୍ଟି ସପିଂ କମ୍ପ୍ଲେକ୍ସ ନିର୍ମାଣ କରାଯାଉ । ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା ଓରଟେଲ୍ କମ୍ପାନୀ କ୍ଷମତାର ଅପବ୍ୟବହାର କରି ବେଆଇନ ଭାବେ ଏହି ଜାଗାକୁ ମାଡ଼ି ବସିଥିବା ସେମାନେ ଅଭିଯୋଗ କରିଛନ୍ତି ।
ସେମାନଙ୍କ ଅଭିଯୋଗ, ଓରଟେଲ୍ ଅଫିସ ହୋଇଥିବା ଉକ୍ତ ଜାଗାଟି ପୂର୍ବରୁ ବିବେକାନନ୍ଦ ସ୍କୁଲ ଦଖଲରେ ଥିଲା । ସ୍କୁଲର ଖେଳପଡ଼ିଆ ଭାବେ ଏହା ବ୍ୟବହୃତ ହେବା ସହ ବିଡ଼ିଏ କଲୋନୀର ଯୁବଗୋଷ୍ଠୀଙ୍କ ବ୍ୟବହାରରେ ଲାଗୁଥିଲା । ପରବର୍ତ୍ତୀ ସମୟରେ ବିଡ଼ିଏ ଉକ୍ତ ଜାଗାରେ ଆପାର୍ଟମେଣ୍ଟ ନିର୍ମାଣ କରି ବିକ୍ରୀ କରିବାକୁ ଯୋଜନା କରିଥିଲେ ମଧ୍ୟ ୨୦୦୪ ମସିହାରେ ପଣ୍ଡା ପରିବାରର ଆଖି ପଡ଼ିଥିଲା । କ୍ଷମତାର ଅପବ୍ୟବହାର କରି ସେହି ଜାଗାକୁ ବେଆଇନ ଭାବେ ନିଜ ଅକ୍ତିଆରକୁ ନେଇ ସେଠାରେ ଓରଟେଲ୍ କମ୍ପାନୀର ଅଫିସ ନିର୍ମାଣ କରିଥିଲେ । ଦୀର୍ଘ ଦିନରୁ ସ୍ଥାନୀୟବାସୀଙ୍କ ମଧ୍ୟରେ ଏଆ ଅସନ୍ତୋଷର ନିଆଁ ଜଳଉଥିଲା ବୋଲି ଅଭିଯୋଗ ହୋଇଛି ।
ତେବେ ସରକାରଙ୍କ ସହ ବୈଜୟନ୍ତଙ୍କ ଅପଡ଼ ପଡ଼ିବା ପରେ ସ୍ଥାନୀୟବାସୀ, ବିଭିନ୍ନ ସଂଘ ଓ ସଂଗଠନ ଓରଟେଲ୍ କମ୍ପାନୀ ବିରୋଧରେ ଏକାଠି ହୋଇଛନ୍ତି । ଉକ୍ତ ଜାଗାରୁ କମ୍ପାନୀ ବିଲଡିଂକୁ ଉଚ୍ଛେଦ କରି ସେଠାରେ ଉଠା ଦୋକାନୀ, ବରିଷ୍ଠ ନାଗରିକ, ଅସହାୟ ମହିଳା, ବେକାର ଯୁବକଯୁବତୀ, ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମାଗଣାରେ ଦୋକାନ ଘର ପ୍ରଦାନ ସହ ଏକ ମଲ୍ଟି ସପିଂ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଦାବି କରିଛନ୍ତି । ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ପାଇଁ ସେମାନେ ଚନ୍ଦ୍ରଶେଖରପୁର ଥାନାକୁ ପୂର୍ବରୁ ନୋଟିସ୍ ଦେଇଥିଲେ । ପୁଲିସ ତାହାକୁ ଅନୁମତି ଦେଇଥିଲେ ମଧ୍ୟ ଗତକାଲି ରାତିରେ ଭୟଭୀତ କରି ଅନଶନରୁ ହଟିବା ପାଇଁ ଚାପ ପକାଇଛି ବୋଲି ଅନଶନକାରୀମାନେ ଅଭିଯୋଗ କରିଛନ୍ତି । ଉକ୍ତ ଜାଗାରେ ପୁଲିସ ୧୪୪ ଧାରା ଜାରି କରି ନାଲିଆଖି ଦେଖାଉଛି ବୋଲି ସେମାନେ କହିଛନ୍ତି । ତେବେ କୌଣସି ପରିସ୍ଥିତିରେ ଅନଶନରୁ ହଟିବାର ପ୍ରଶ୍ନ ନାହିଁ ଏବଂ ଦାବି ପୂରଣ ପର୍ଯ୍ୟନ୍ତ ଅନଶନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ।