ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କାମାକ୍ଷା ପ୍ରସାଦ ସିଂହଦେଓ ବିଜେପିରେ ମିଶିଲେ । ଦିଲ୍ଲୀଠାରେ ସେ ଦଳୀୟ ନେତାମାନଙ୍କ ସହ ଆଲୋଚନା କଲା ପରେ ବିଜେପିରେ ଯୋଗଦେଇଛନ୍ତି । ଗତକାଲି ରାଜ୍ୟର ଏକ ନମ୍ବର ଟିଭି ଚାନେଲ୍ରେ ଏହା ତାଜା ଖବର ଭାବେ ଆସିଥିଲା ସଂଧ୍ୟା ପ୍ରାଇମ୍ ଟାଇମ୍ରେ । ପିଟିଆଇ ସୂତ୍ରର ଖବର ଦର୍ଶାଇ ବ୍ରେକିଂ ନ୍ୟୁଜ୍ରେ ପଡ଼ିଥିଲା ଖବରଟି । ଆଉ କିଛି ଟିଭି ଚାନେଲ୍ ଏକ ନମ୍ବର ଟିଭି ଦେଖାଦେଖି ଖବରଟିକୁ ବ୍ରେକିଂ ଖବରରେ ପକାଇଥିଲେ । ଖବରଟିକୁ ନେଇ ସମଗ୍ର ରାଜନୈତିକ ମାହୋଲ୍ରେ କମ୍ପନ ସୃଷ୍ଟି ହେଲା । ମାତ୍ର ଲଜ୍ଜାର କଥା, କିଛି ସମୟ ପରେ ଖବରଟି ଫୁସ୍ ହୋଇଗଲା । ନିଜେ କେ.ପି. ଏହାକୁ ଖଣ୍ଡନ କରି ବିବୃତି ଛାଡ଼ିଲେ । ଖବରଟି ସମ୍ପୂର୍ଣ୍ଣ ଗୁଜବ ଏବଂ ସେ କଂଗ୍ରେସ ଛାଡ଼ିନାହାନ୍ତି ବୋଲି କ୍ଷୁବ୍ଧ ଭାଷାରେ ଜଣାଇଦେଲେ । ଯେଉଁ ଟିଭି ଏହାକୁ ବ୍ରେକିଂ ଖବର କରି ବାହାଦୁରି ନେବାକୁ ଚେଷ୍ଟା କରିଥିଲେ ମାତ୍ର କେଇ ମିନିଟ୍ ପରେ ସେହି ଟିଭି ତାକୁ ମିଛ ଦର୍ଶାଇ ବ୍ରେକିଂ ଖବର କରିଥିଲେ । ଖାସ୍ କରି ନିଜ ଛେପ ନିଜେ ଢ଼ୋକି ରାଜ୍ୟବାସୀଙ୍କୁ ଭକୁଆ ବନେଇ ଦେଲା ଏକ ନମ୍ବର ଟିଭି ଚାନେଲ୍ ।
କେ.ପି.ସିଂହଦେଓ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ଖବରଟି ଗଣମାଧ୍ୟମ ପାଇଁ ନିଶ୍ଚିତ ଭାବେ ବଡ଼ ଖବର । ଏମିତିକା ବଡ଼ ଖବର ଆସିଲା ବେଳେ ଗଣମାଧ୍ୟମର ଦାୟିତ୍ୱ ବି ଅଧିକ ବଢ଼ିଯାଏ । ପରିବେଷଣ ପୂର୍ବରୁ ଭଲ ଭାବେ ଖବରଟିର ସତ୍ୟତା ପରଖିବା ସାଧାରଣ କଥା । ପିଟିଆଇ ଦେଶର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠିତ ଖବର ସରବରାହ ସଂସ୍ଥା ସେଥିରେ କାହାର ଦ୍ୱିମତ ନାହିଁ । ମାତ୍ର ଦିଲ୍ଲୀରୁ ଏଭଳି ଖବର ମିଳିଲା ପରେ କେ.ପି.ସିଂହଦେଓଙ୍କୁ ସିଧାସଳଖ ମୋବାଇଲ୍ ଫୋନ୍ରେ ପଚାରିଦେବା ରାଜ୍ୟର ଯେ କୌଣସି ଗଣମାଧ୍ୟମର ପ୍ରଥମ ଦାୟିତ୍ୱ । କେ.ପି.ଙ୍କୁ ଫୋନ୍ କରିଦେଇଥିଲେ ଏତେବଡ଼ ଭୁଲ୍ ହୋଇ ନ ଥାଆନ୍ତା । ହେଲେ ତଥାକଥିତ ଦିଲ୍ଲୀ ଖବରକୁ ଅନ୍ଧ ଭାବେ ପ୍ରାଇମ୍ ଟାଇମ୍ରେ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବା ଗର୍ହିତ ଅପରାଧଠାରୁ କମ୍ ନୁହେଁ । ଭୁଲ୍ ଖବର ଥୋଇ କିଛି ସମୟ ପାଇଁ ଲୋକଙ୍କୁ ବିଭ୍ରାନ୍ତ କରିବା ନିଶ୍ଚିତ ଭାବେ ଅକ୍ଷମଣୀୟ ଅପରାଧ । ଗତକାଲି ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଖୋଦ୍ ସଂସ୍ଥା ମାଲିକ ଟ୍ୱିଟ୍ କରିବାକୁ ବାଧ୍ୟ ହୋଇଛନ୍ତି । ନିଜ ଟିଭି ସଂସ୍ଥାର ପ୍ରସାରିତ ଖବରକୁ ପ୍ରଶ୍ନ ଖେପି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି ।
ଖାଲି କେ.ପି. ଖବର ନୁହେଁ ତିନି ବର୍ଷ ତଳେ ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମୃତ୍ୟୁ ଖବରକୁ ବ୍ରେକିଂ ଆକାରରେ ପ୍ରସାର କରିଥିଲା ଏକ ନମ୍ବର ଟିଭି । ନିକଟ ଅତୀତରେ ଟୁରିଷ୍ଟ ଅପହରଣକୁ ଟେରରିଷ୍ଟ ଅପହରଣ ଖବର କରି ଖାଲି ବିଭ୍ରାନ୍ତ ନୁହେଁ ବରଂ ସରକାରୀ କଳର ହୋସ୍ ଉଡାଇ ଦେଇଥିଲା ଏହି ଟିଭି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ଏକ ବେନାମୀ ଚିଠିକୁ ଅସଲି ରଙ୍ଗ ଦେବା ହେଉ କି ତାରା ବାହିନୀପତିଙ୍କୁ ପୁଲିସ ନୋଟିସ୍ ପ୍ରସଙ୍ଗ ହେଉ ଖବରର ସତ୍ୟତା ନ ବୁଝି ଏକ ନମ୍ବର ଖବର ଭାବେ ମାର୍କେଟ୍ ଛାଡ଼ିବାର ନଜିର ରହିଛି ଟିଭି ପଛରେ । ଭଣ୍ଡ ସାରଥୀ ବାବାଙ୍କ ଖବର ପ୍ରସାରରେ ପଛୁଆ ପଡ଼ି ମାଲିକଙ୍କ ରାଜନୈତିକ ହାନୀ କରିଥିବା ଏହି ଟିଭି ସବୁ ଖବରକୁ ଆଗୁଆ ଦେବାର ଦୃଢ଼ ସଂକଳ୍ପବଦ୍ଧତା ସ୍ୱାଗତଯୋଗ୍ୟ । ମାତ୍ର ଲୋକଙ୍କ ପାଖରେ ଖବରର ବିଶ୍ୱନୀୟତା ଅତୁଟ ରହିବା ନିହାତି ଜରୁରୀ ।