ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ ଆକ୍ଷେପ କରିଥିଲେ ଆଇନମନ୍ତ୍ରୀ ଅରୁଣ ସାହୁ । ବୁଢ଼ା ହୋଇଯାଇଥିବାରୁ ତାଙ୍କର ମତିଭ୍ରମ ହୋଇଛି ବୋଲି ମାନ୍ୟବର ମନ୍ତ୍ରୀ କଟୁକ୍ତି କରିଥିଲେ । ବାପା ବୟସର ନରସିଂହ ମିଶ୍ରଙ୍କୁ ଏଭଳି ଆକ୍ଷେପ କରି ଅରୁଣ ଗଡ଼ ଜିଣି ପକେଇବା ଭଳି ମନେ କଲେ । ଅବଶ୍ୟ ଆଜି ସେ ଗର୍ବ କରୁଥିବେ ଯେ ତାଙ୍କ ଡାଇଲଗ୍ ପଦକ ନିଜ ଦଳର ନେତାମାନଙ୍କ ପାଇଁ ବିପଦରେ ସାହା ହୋଇଛି । କିଛି ନ ମିଳିଲେ ଆତ୍ମରକ୍ଷା ପାଇଁ ଏଭଳିଆ ପାଠ ଶିଖାଇ ଦେଇଛନ୍ତି ଅରୁଣ । ଦଳର ବିଧାୟକ, ସାଂସଦ ଆଉ ମୁଖପାତ୍ରମାନେ ବିରୋଧୀଙ୍କ ଆକ୍ରମଣର ଜବାବ ଏହି ଡାଇଲଗ୍ ଖଣ୍ଡରେ ସାରି ଝଡ଼ାଝଡ଼ି ହୋଇଯାଉଛନ୍ତି ।
ବିଜେଡ଼ିରେ ବଡ଼ ନେତା ବନିଥିବା ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାନ୍ତି ଓ ପପୁ ପମ୍ ପମ୍ ପଡ଼ିଛନ୍ତି ଚିଟ୍ଫଣ୍ଡ ଜାଲରେ । ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ବନ୍ଧା ହୋଇଥିବା ଫିଲ୍ମ ନିର୍ଦ୍ଦେଶକ ପ୍ରଭାସ ରାଉତଙ୍କ ଓସ୍କାର ଚିଟ୍ଫଣ୍ଡ ସଂସ୍ଥାର ପ୍ରଚାର କରିଥିଲେ ଏହି ତିନି ଷ୍ଟାର୍ । ଖାଲି ପ୍ରଚାର ନୁହଁ, ପ୍ରଭାସଙ୍କ ଠକେଇ ଟଙ୍କାରେ ଯାବତୀୟ ଅୟସ କରିଥିଲେ । ଚିଟ୍ଫଣ୍ଡ ଟଙ୍କାରେ ମସ୍ତି କରିଥିବା ଏହି ସିନେଷ୍ଟାର୍ଙ୍କୁ ବାନ୍ଧିବାକୁ ଗତକାଲି ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ତେବେ ଏହାର ଜବାବ ଦେବାକୁ ଯାଇ ଅନୁଭବ ମହାନ୍ତି ଅରୁଣଙ୍କ ଡାଇଲଗ୍ ଛାଡିଛନ୍ତି । ସମୀର ମହାନ୍ତିଙ୍କୁ ସାଇକୋ ଦର୍ଶାଇ ତାଙ୍କ ପାରିବାରିକ ସ୍ଥିତି ଠିକ୍ ନାହିଁ ବୋଲି ଆକ୍ଷେପ କରିଛନ୍ତି । ନିଜର ସଂପୃକ୍ତି ଅଭିଯୋଗ ଉପରେ ଠୋସ୍ ସଫେଇ ଦେବାରେ ବିଫଳ ଅନୁଭବ ବିଜେପି ନେତାଙ୍କୁ ବାୟା ବନାଇ ନିଜକୁ ସୁରକ୍ଷା ଦେବାକୁ ପ୍ରୟାସ କରିଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କୁ ବି ମାନସିକ ରୋଗୀ ସାର୍ଟିଫିକେଟ୍ ଦେଇଛନ୍ତି ବିଜେଡ଼ି ମୁଖପାତ୍ର । ବିଜେଡ଼ି ଆକାଉଣ୍ଟରୁ ୪୫ ଲକ୍ଷ ଟଙ୍କା ଦେଣନେଣ ପ୍ରସଙ୍ଗ ଉପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ବ୍ରଜ ତ୍ରିପାଠୀ । ମାତ୍ର କୌଣସି ତଥ୍ୟ ନ ଜାଣି ସଙ୍ଗେ ସଙ୍ଗେ ଏହାକୁ କାଉଣ୍ଟର୍ କରିଥିଲେ ପ୍ରତାପ ଜେନା । ମନ୍ତ୍ରୀ ଅରୁଣ ସାହୁଙ୍କ ସେଇ ଡାଇଲଗ୍ ଛାଡ଼ିଲେ । ବ୍ରଜ ମାନସିକ ଭାରସାମ୍ୟ ହରାଇ ଏମିତିକା ଅଭିଯୋଗ ଆଣିଛନ୍ତି ବୋଲି କାଉଣ୍ଟର୍ କରିଥିଲେ । ନିକଟରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ବି ସମାନ ଢ଼ଙ୍ଗରେ କାଉଣ୍ଟର୍ କରିଥିଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ଧର୍ମେନ୍ଦ୍ରଙ୍କ ବୌଦ୍ଧିକ ବିକାର ଘଟିଛି ବୋଲି ପ୍ରତାପ ଆକ୍ଷେପ କରିଥିଲେ ।
ଏଭଳି ଭାବେ ଅରୁଣଙ୍କ ମତିଭ୍ରମ ଡାଇଲଗ୍ ଉପରେ ଇଂରାଜୀ ଓ ଓଡ଼ିଆ ଶବ୍ଦକୋଷର ନୂଆ ନୂଆ ପ୍ରୟୋଗ କରି ପ୍ରତିପକ୍ଷଙ୍କୁ ମୁକାବିଲା କରିବାର କୌଶଳ ଆପଣେଇଛନ୍ତି ବିଜେଡ଼ି ନେତା । ବିଜେଡ଼ି ନେତାଙ୍କ ଏହି ଆତ୍ମରକ୍ଷା ଚାଲ୍ ଲୋକଙ୍କ ମନକୁ କିଭଳି ଛୁଉଁଛି ତାହା ସମୟ କହିବ । ହେଲେ ବିରୋଧୀଙ୍କ ଆକ୍ରମଣରୁ ଆତ୍ମରକ୍ଷା ପାଇଁ ଏଭଳି ପଦିକିଆ ଡାଇଲଗ୍ର ସାହାରା ଧରି ବିଜେଡ଼ି ନେତାମାନେ ନିଜକୁ ଆଶ୍ୱସ୍ତ ମଣୁଛନ୍ତି । ବିଜେଡ଼ି ଯଦି ସେଥିରୁ ଲାଭବାନ ହେଉଛି କି ଆଗକୁ ହେବ ତେବେ ତାହାର ନିଶ୍ଚିତ ଶ୍ରେୟ ମନ୍ତ୍ରୀ ଅରୁଣ ସାହୁଙ୍କର ।