ଭୁବନେଶ୍ୱର: ଅସାଧୁ ସରକାରୀ କର୍ମଚାରୀଙ୍କ ଦମନ କ୍ଷେତ୍ରରେ ବାଛବିଚାର ଅଭିଯୋଗଟି ପୂର୍ବରୁ ଚାଲୁଥିଲା । ବଡ଼ ମୁଣ୍ଡଙ୍କୁ ସୁରକ୍ଷା ଦେଇ ସରକାର ଛୋଟ ମୁଣ୍ଡ ପଛରେ ପଡ଼ିଥିବା କୁହାଯାଉଥିଲା । ତେବେ ଟପ୍ ବ୍ୟୁରୋକ୍ରାଟ୍ ଓ ଦଳୀୟ ନେତାଙ୍କ ଦେହରେ ରାଜ୍ୟ ସରକାର ହାତ ମାରିବା ପରେ ସ୍ୱର ବଦଳିଯାଇଛି । ପଶିଛି ଓଡ଼ିଆ-ଅଣଓଡ଼ିଆ ସ୍ଲୋଗାନ୍ । ନିଜର ସ୍ଥିତି ପାଇଁ ସଂଘର୍ଷ କରୁଥିବା ବିରୋଧୀ ରାଜନୈତିକ ଦଳଗୁଡ଼ିକ ଏହା କହିବାରେ ମନା ନାହିଁ । ମାତ୍ର ଓଡ଼ିଆ-ଅଣଓଡ଼ିଆ ବିଭେଦ ଷଡ଼ଯନ୍ତ୍ରର ପୃଷ୍ଠପୋଷକ ସାଜିଛନ୍ତି ଖୋଦ୍ ରାଜ୍ୟର ବଡ଼ ମିଡ଼ିଆ ମୁଣ୍ଡ । ରାସ୍ତା ଗଣ୍ଡଗୋଳରୁ ପ୍ରଶାସନିକ ପଦକ୍ଷେପ, ସବୁଥିରେ ଓଡ଼ିଆ-ଅଣଓଡ଼ିଆ ଭାବନା ତିଆରି ହେଉଛି ନ୍ୟୁଜ୍ ରୁମ୍ ରୁ ।
ବିଜୟ ଶର୍ମା ଡିଜିପି ପଦରୁ ହଟିବା ହେଉ କି ବିଜୟ କେତନ ଉପାଧ୍ୟାୟଙ୍କ ଗିରଫଦାରୀ ହେଉ ତାହାକୁ ଓଡ଼ିଆ-ଅଣଓଡ଼ିଆ ବାଛବିଚାରର ଆଖ୍ୟା ଦିଆଯାଇ ଜୋରସୋର୍ ପ୍ରଚାର କରାଯାଉଛି । ଏହି ଦୁଇ ଟପ୍ ଅଧିକାରୀଙ୍କ ବିରୋଧରେ ଅଭିଯୋଗକୁ ଗୁରୁତ୍ୱହୀନ କରାଯାଇ ଓଡ଼ିଆ-ଅଣଓଡ଼ିଆ ଖିଅ ଭିଡ଼ାଯାଉଛି । ବିନା ତଥ୍ୟ ଏବଂ ପ୍ରମାଣରେ ଗଦା ଗଦା ପ୍ରଶ୍ନ ଫିଙ୍ଗୁଛନ୍ତି । ଏମିତି ଚିତ୍ର ଦିଆଯାଉଛି ସତେ କି ଅଣଓଡ଼ିଆ ଅଫିସରମାନେ ଅସ୍ପୃଶ୍ୟ । ସେମାନଙ୍କର ଯୋଗ୍ୟତା ନାହିଁ । ଦୟାରେ ଚାକିରି ପାଇଛନ୍ତି । ଅନ୍ୟପକ୍ଷରେ ସ୍ୱାଭିମାନର ଭାଷା କହି ସେମାନେ ଓଡ଼ିଆ ଅଫିସରଙ୍କୁ ପରୋକ୍ଷରେ ଛୋଟ କରୁଥିବା ବୋଧେ ଜାଣିପାରୁନାହାନ୍ତି ।
ଡିଜିପି ପଦରୁ ବିଜୟ ଶର୍ମାଙ୍କ ବିଦା ପରେ ଜାତିଗୋତ୍ରକୁ ନେଇ ବହୁ ଛନଛନି ଖବର ହେଲା । ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ବେଳେ ଯେଉଁମାନେ ସରକାରଙ୍କ ଅପାରଗତା କହି ଖବରରେ ପିଟୁଥିଲେ ସେମାନେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନରେ ଅନିୟମିତତାକୁ ସମର୍ଥନ କରିବାକୁ ବାହାରିପଡ଼ିଲେ । ଏବେ ଦୁର୍ନୀତି ଜାଲ୍ ରେ ପଡ଼ିଥିବା ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ଜେଲ୍ ଯିବା ଘଟଣାକୁ ସେମାନେ ହଜମ କରୁନାହାନ୍ତି । ବିଜୟ କେତନ ଓଡ଼ିଆ-ଅଣଓଡ଼ିଆ ଭେଦଭାବର ଶିକାର ହୋଇଛନ୍ତି ବୋଲି ଗଳା ଫଟାଉଛନ୍ତି । ସାମ୍ବାଦିକ ସମ୍ମିଳନୀ କରିଥିବା ତାଙ୍କ ପତ୍ନୀଙ୍କୁ ଉସକାଇ ତାଙ୍କ ମୁହଁରୁ ଏହି ମସଲା ଆଦାୟ କରାଯାଇଛି ବୋଲି ଖୋଦ୍ ସେଠାରେ ଉପସ୍ଥିତ କିଛି ସାମ୍ବାଦିକ କହିଛନ୍ତି ।
ବିଜୟକେତନ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନସ୍ ଦ୍ୱାରା ଧରାପଡ଼ିଲେ । ତନାଘନା ବେଳେ ତାଙ୍କ ବିରୋଧରେ ଯେଉଁ ତଥ୍ୟ ଆସୁଛି ତାହା ମାରାତ୍ମକ । ସହଯୋଗୀ ତଥା ଘରୋଇ ବ୍ୟାଙ୍କ ଅଧିକାରୀ ସନ୍ତୋଷ ପଟ୍ଟନାୟକଙ୍କ ମାଧ୍ୟମରେ ୭ ବର୍ଷ ଭିତରେ ସେ ବିଭିନ୍ନ ସରକାରୀ ସ୍କିମ୍ ର ପ୍ରାୟ ୭୯ କୋଟି ଟଙ୍କା ବେଆଇନ ଭାବେ ଘରୋଇ ବ୍ୟାଙ୍କରେ ଜମା କରିଥିଲେ । ସନ୍ତୋଷ ଯେଉଁ ବ୍ୟାଙ୍କରେ ଚାକିରି କରୁଥିଲେ ବିଜୟ କେତନ ସେହି ବ୍ୟାଙ୍କରେ ତାଙ୍କ ସରକାରୀ ବିଭାଗର ଆକାଉଣ୍ଟ ଖୋଲି ଅନ୍ୟ ବ୍ୟାଙ୍କରୁ ଟଙ୍କା ସ୍ଥାନାନ୍ତର କରୁଥିଲେ । ଜୁନ୍ ମାସରେ ସନ୍ତୋଷ ୟେସ୍ ବ୍ୟାଙ୍କରେ ଯୋଗଦେବା ପରେ ଫନି କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିର ସ୍ୱତନ୍ତ୍ର ପ୍ୟାକେଜ୍ ୫୦ କୋଟି ଟଙ୍କା ସଂପୃକ୍ତ ବ୍ୟାଙ୍କ ଖାତାରେ ଜମା କରିଥିଲେ ବିଜୟ କେତନ ।
ଏହି କାରବାର ପାଇଁ ବିଜୟ କେତନ ସନ୍ତୋଷଙ୍କ ସହ ସଲାସୁତୁରାରେ ମୋଟା ଅଙ୍କର ଟଙ୍କା ନେଉଥିଲେ । ସନ୍ତୋଷ ବି ସରକାରୀ ଟଙ୍କାକୁ ଘରୋଇ ବ୍ୟାଙ୍କ ଆଣିବାରେ ସମର୍ଥ ଥିବାରୁ ମାସକୁ ଦୁଇ ଲକ୍ଷ ଟଙ୍କିଆ ଚାକିରି ପାଇଥିଲେ । ସୁତରାଂ ବିଜୟ କେତନ ଯେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏହା ଭିଜିଲାନସ୍ ଖୋଳତାଡ଼ରୁ ସ୍ପଷ୍ଟ ହୋଇଛି । ଏଭଳି ଉଚ୍ଚ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ବଦଳରେ ତାହାକୁ ଭିନ୍ନ ଭାବେ ଚିତ୍ରିତ କରି ଓଡ଼ିଆ-ଅଣଓଡ଼ିଆ ଭେଦଭାବର ବିଷ ମଂଜି ବୁଣାଯିବାକୁ ନେଇ ବହୁ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି ।
ଏ ପରିପ୍ରେକ୍ଷୀରେ ଆହୁରି ସାଂଘାତିକ କଥାଟି ହେଉଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ପରିବିନ୍ଦର ପାଲ୍ ଆକ୍ରମଣ ଘଟଣା । ରାସ୍ତା ଉପରେ ଗାଡ଼ି ରଖିଥିବା ଯୁବକଙ୍କୁ ସାଇଡ୍ ମାଗିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ ହେଲା । ତାହା ପୁଣି ଖୋଦ୍ ପିସିଆର୍ ସାମନାରେ । ଏହି ଅମାନବୀୟ ଘଟଣାକୁ ସବୁଆଡୁ ନିନ୍ଦା କରାଗଲା । ପୁଲିସ ୩ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିବା ବେଳେ ପିସିଆର୍ ଇନଚାର୍ଜଙ୍କୁ ଅବିଳମ୍ବେ ଚାକିରିରୁ ବରଖାସ୍ତ କରାଗଲା । ଆକ୍ରମଣର ଶିକାର ପରବିନ୍ଦର ଶିଖ୍ ବ୍ୟକ୍ତି ହୋଇଥିଲେ ମଧ୍ୟ ଉକ୍ତ ଗଣ୍ଡଗୋଳ ସହ ଜାତି, ସମ୍ପ୍ରଦାୟର କୌଣସି ସମ୍ପର୍କ ହିଁ ନଥିଲା । ମାତ୍ର ପ୍ରମୁଖ ଦୁଇଟି ଟିଭି ଘଟଣାକୁ ସଂମ୍ପ୍ରଦାୟର ରୂପ ଦେବାକୁ ପ୍ରତିଯୋଗିତା ଚଳାଇଛନ୍ତି ।ଶିଖ୍ ସମ୍ପ୍ରଦାୟ ମନରେ ଖାଲି ବିଦ୍ୱେଷର ମଂଜି ବୁଣୁନାହାନ୍ତି ବରଂ ଓଡ଼ିଶା ସେମାନଙ୍କ ପାଇଁ ନିରାପଦ ନୁହେଁ ବୋଲି ପ୍ରଚାର କରୁଛନ୍ତି ।
କହିବା ବାହୁଲ୍ୟ ଯେ ଓଡ଼ିଶାବାସୀଙ୍କ ସଂସ୍କୃତି, ପରମ୍ପରା, ଭାଇଚାରା ଓ ଶିଷ୍ଟାଚାର ଅନନ୍ୟ । ମାତ୍ର ଓଡ଼ିଆ-ଅଣଓଡ଼ିଆ ଭାବନା ଗଢ଼ୁଥିବା ମିଡ଼ିଆ ଏବଂ ବ୍ୟକ୍ତିବିଶେଷ ଏହାଦ୍ୱାରା ଜାତୀୟସ୍ତରରେ ଓଡ଼ିଆଙ୍କ ପ୍ରତି ହୀନମନ୍ୟତା ସୃଷ୍ଟି କରୁଛନ୍ତି । ଟିଭି ଷ୍ଟୁଡ଼ିଅରେ ଭାଷଣ ଦେଇ ଓଡ଼ିଆଙ୍କୁ ଖାଲି ଛୋଟ କରୁନାହାନ୍ତି ବରଂ ଓଡ଼ିଆ ଜାତିର ମର୍ଯ୍ୟାଦା ଲୁଟି ଚାଲିଛନ୍ତି ବୋଲି ଅନେକ ସମାଲୋଚନା କରିଛନ୍ତି ।
ଜଣେ ଯେଉଁ ଜାତି, ଭାଷା, ସମ୍ପ୍ରଦାୟର ବ୍ୟକ୍ତି ହୁଅନ୍ତୁ ନା କାହିଁକି କାହାରି ପ୍ରତି ଅନ୍ୟାୟ ଏବଂ ଶାରୀରିକ ଆକ୍ରମଣକୁ ଓଡ଼ିଆ ଜାତି କେବେହେଲେ ବରଦାସ୍ତ କରିନାହିଁ । ତେଣୁ ପରବିନ୍ଦର୍ ଙ୍କ ପ୍ରତି ସମସ୍ତଙ୍କର ସହାନୁଭୂତି ରହିଛି । ମାତ୍ର ସହାନୁଭୂତି ନାଁରେ ଜାତିଭେଦ ସୃଷ୍ଟି କରୁଥିବା ଗଣମାଧ୍ୟମକୁ ଅଧିକାଂଶ ଦର୍ଶକ ପସନ୍ଦ କରିନାହାନ୍ତି । ଏହାଦ୍ୱାରା ଓଡ଼ିଆ ଜାତିର ସମ୍ମାନ ଜାତୀୟସ୍ତରରେ କ୍ଷୂର୍ଣ୍ଣ ହେଉଛି । ଓଡ଼ିଆ ଜାତି ଛୋଟ ହୋଇଯିବା ସହ ଓଡ଼ିଶାରେ ବସବାସ କରୁଥିବା ଅଣଓଡ଼ିଆଙ୍କ ମନରେ ଆତଙ୍କ ସୃଷ୍ଟି କରାଯାଉଛି । ଅଣଓଡ଼ିଆ ବ୍ୟୁରୋକ୍ରାଟ୍ ଙ୍କୁ ଟାର୍ଗେଟ୍ କରୁଥିବା ଗଣମାଧ୍ୟମ ଏକ ରାସ୍ତା ଗଣ୍ଡଗୋଳରେ ଆକ୍ରମଣର ଶିକାର ଅଣଓଡ଼ିଆ ବ୍ୟକ୍ତିଙ୍କୁ ସତରେ ଦରଦ ଦେଖାଉଛନ୍ତି ନା ଓଡ଼ିଆଙ୍କ ବିରୋଧରେ ବିଦ୍ୱେଷ ସୃଷ୍ଟି କରିବାକୁ ଉସକାଉଛନ୍ତି ତାହା ବୁଝାପଡୁନି ।
ସାଧାରଣ ଖଟିରେ ଚର୍ଚ୍ଚା ହେଉଛି, ପ୍ରଶାସନିକ ମହଲରେ ଓଡ଼ିଆ-ଅଣଓଡ଼ିଆ ବିଭାଜନ ସୃଷ୍ଟିକାରୀ ଗଣମାଧ୍ୟମ ନିଜ ଘର କଥା ଆଗେ ବୁଝନ୍ତୁ । ଅଣଓଡ଼ିଆ ଅଫିସରଙ୍କୁ ଘୃଣା କରୁଥିବା ଗଣମାଧ୍ୟମର ମାଲିକ ଏବଂ ପରିଚାଳକମାନେ ଓଡ଼ିଆ ନା ଅଣଓଡ଼ିଆ ଆଗେ ବିଚାର କରନ୍ତୁ ।
ବହୁତ ସୁନ୍ଦର ଭାବରେ ବିଶ୍ଳେଷଣ କରାଯାଇଛି । ଧନ୍ୟବାଦ
Very nice and true.Odisha is a place where we feel proud of being a citizen of non discrimination and brotherhood..we must keep this intact and not to support such media house.