ଭୁବନେଶ୍ୱର: ଓଡ଼ିଆ ଦୂରଦର୍ଶନରେ ଚାଲିଛି ବିଜେପିରାଜ୍ । କ’ଣ ଖବର ଯିବ ନ ଯିବ, କ’ଣ ପ୍ରୋଗ୍ରାମ ହେବ, କିଏ ସେଥିରେ ଆଙ୍କରିଂ କରିବେ, କେଉଁମାନଙ୍କୁ ଗେଷ୍ଟ କରି ଡକାଯିବ ସବୁକିଛି ନିୟନ୍ତ୍ରଣ ହେଉଛି ବିଜେପି ସେଣ୍ଟରରୁ । ବିଜେପିର ଏଭଳି ହସ୍ତକ୍ଷେପ ଦୂରଦର୍ଶନ କେନ୍ଦ୍ରର କର୍ମକର୍ତ୍ତାଙ୍କୁ ଅତିଷ୍ଠ କରିଛି । ସେଥିରୁ କିଭଳି ବର୍ତ୍ତିବେ ତ୍ରାହି ତ୍ରାହି ଡାକୁଛନ୍ତି ।
ଦୂରଦର୍ଶନ କେନ୍ଦ୍ରରେ କାର୍ଯ୍ୟରତ କିଛି ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ଷେ ତଳେ ବିଜେପିର ସେଭଳି ଜବରଦସ୍ତ ହସ୍ତକ୍ଷେପ ନ ଥିଲା । ମାତ୍ର ବର୍ଷେ ହେଲାଣି ଏହା ମାତ୍ରାଧିକ ହୋଇଯାଇଛି । ଗତ ଡିସେମ୍ବର ମାସରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଭୁବନେଶ୍ୱର ଆସିଥିବା ବେଳେ ଗୋଟେ ବିଜେପି ଟିମ୍ ତାଙ୍କୁ ସାକ୍ଷାତ କରି ଦୂରଦର୍ଶନକୁ ନିଜ ସପକ୍ଷରେ ରଖିବା ପାଇଁ ସ୍ୱତନ୍ତ୍ର ଆଦେଶନାମା ଚାହିଁଥିଲେ । କେନ୍ଦ୍ରମନ୍ତ୍ରୀ ତାହାକୁ ତଥାସ୍ତୁ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ଏମିତିରେ ବର୍ଷେ ହେଲାଣି ଓଡ଼ିଆ ଦୂରଦର୍ଶନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ କବଜାକୁ ନେଇସାରିଥିବା ଦୂରଦର୍ଶନ କର୍ମଚାରୀ ମହଲରେ ଆଲୋଚନା ହେଉଛି । ବିଭାଗୀୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହା ଆହୁରି ଶାଣିତ ହୋଇଛି । ବତ୍ତର୍ମନ ଅବସ୍ଥାରେ ଦୂରଦର୍ଶନ ନିଉଜ୍ ଓ କରେଣ୍ଟ ଆଫାୟାର୍ସ କାର୍ଯ୍ୟକ୍ରମଗୁଡ଼ିକ ବିଜେପିକୁ ସୁହାଇଲା ଭଳି ପ୍ରସ୍ତୁତ ହେଉଛି । ସେଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କ ‘କା’ ଅଫିସରୁ ନିର୍ଦ୍ଦେଶାନାମା ଯାଉଛି । ଦୈନନ୍ଦିନ କାର୍ଯ୍ୟକ୍ରମ, ଆଲୋଚନା ଟପିକ, କାର୍ଯ୍ୟକ୍ରମ ସଂଚାଳକ ଏବଂ ଅତିଥି ତାଲିକା ଯାଉଛି ଏହି ‘କା’ ଅଫିସରୁ । ବିଜେପି ପ୍ରତି ଅନୁରକ୍ତ କିଛି ଅଣ ପ୍ରଫେସନାଲ୍ ଲୋକଙ୍କୁ ସୁଯୋଗ ଦେଇ ଏଥିରେ ଲାଭବାନ କରାଯାଉଛି ।
ଏହା କାର୍ଯ୍ୟକ୍ରମର ଖାଲି ମାନ ଖରାପ କରୁନାହିଁ ବରଂ ଦୂରଦର୍ଶନ ଉପରୁ ଦର୍ଶକ ମୁହଁ ଫେରାଉଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି । ଦୂରଦର୍ଶନ ଭଳି ପ୍ରତିଷ୍ଠିତ ସଂସ୍ଥାରେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଟିମ୍ ର ରାଜ୍ ସଂସ୍ଥାର ସ୍ୱାଧୀନତାକୁ ହରଣ କରିବା ସହ ଗାରିମା ନଷ୍ଟ କରିଛି ବୋଲି ସଂପୃକ୍ତ ଅଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି । ଦୂରଦର୍ଶନର ନାଁ ବଦଳେଇ ବିଜେପିଦର୍ଶନ କରିଦେଲେ କାମ ଛିଣ୍ଡନ୍ତା ବୋଲି ସେ କଟାକ୍ଷ କରିଛନ୍ତି ।