ଭୁବନେଶ୍ୱର: ଆତଙ୍କବାଦର ଶିକାର ଦୁଇ ଓଡ଼ିଆ ସହିଦ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରାଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିକୁ ଅଣାଯାଇଛି । ବୀର ସହିଦଙ୍କ କଫିନ ଧରି ଦିଲ୍ଲୀରୁ ଆସିଥିବା ସ୍ୱତନ୍ତ୍ର ବିମାନ ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହଜାର ହଜାର ଜନତା ବହୁ ଆଗରୁ ଆସି ଅପେକ୍ଷା କରିଥିଲେ । ଦେଶମାଟି ପାଇଁ ବଳିଦାନ ଦେଇଥିବା ଏହି ବୀର ଜବାନଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ ସାଙ୍ଗକୁ ପ୍ରବଳ କ୍ରୋଧ ବି ଥିଲା । ପାକିସ୍ଥାନର ନିପାତ ପାଇଁ ସତେ ଯେମିତି ଶପଥ ନେଇ ଆସିଥିଲେ । ଭାରତମାତା ଜିନ୍ଦାବାଦ, ପାକିସ୍ଥାନ ମୁର୍ଦ୍ଦାବାଦ ଧ୍ୱନିରେ ଫାଟି ପଡୁଥିଲା ବିମାନବନ୍ଦର ଅଞ୍ଚଳ । ବିମାନ ପହଞ୍ଚିଲା କ୍ଷଣି ସେଠାରେ ଏକ ଭାବଗମ୍ଭୀର ପରିବେଶ ଦେଖିବାକୁ ମିଳିଥିଲା । ସୁରକ୍ଷା ବାହିନୀ ପକ୍ଷରୁ ସେମାନଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ସେଠାରେ ଉପସ୍ଥିତ ସହିଦଙ୍କ ପରିବାରବର୍ଗଙ୍କ କାନ୍ଦବୋବାଳି ଅନ୍ୟ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲା । ସମବେତ ଜନତାଙ୍କ ମୁହଁରୁ ସହିଦ ପ୍ରସନ୍ନ ସାହୁ ଅମର ରହେ.. ସହିଦ ମନୋଜ ବେହେରା ଅମର ରହେ.. ଧ୍ୱନି ପରିବେଶକୁ ଆହୁରି ଗମ୍ଭୀର ଓ ନିଆରା କରିଦେଇଥିଲା ।
ସହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସବୁ ରାଜନୈତିକ ଦଳର ନେତାମାନେ ସେଠାରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ଦଳର ଅନେକ ନେତା ଓ ଶହ ଶହ କର୍ମୀ ସେଠାରେ ଉପସ୍ଥିତ ରହି ଦେଶର ଏହି ବୀର ଜବାନଙ୍କୁ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦଙ୍କ ନିଜ ଅଞ୍ଚଳ ଓ ଦୂର ଦୂରାନ୍ତରୁ ଅନେକ ଲୋକ ଦୁଇ ସହିଦଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଭୁବନେଶ୍ୱର ଛୁଟି ଆସିଥିଲେ । ପୁରୁଣା ବିମାନ ବନ୍ଦରରେ ପ୍ରାୟ ଅଧଘଣ୍ଟା ପାର୍ଥିବ ଶରୀର ରହିବା ପରେ ଦୁଇଟି ସ୍ୱତନ୍ତ୍ର ଗାଡ଼ିରେ ଦୁଇ ସହିଦଙ୍କ ଗାଁ ଅଭିମୁଖେ ଯାତ୍ରା କରିଥିଲା ।
ସହାୟତା ରାଶି ୨୫ ଲକ୍ଷକୁ ବଢ଼ିଲା







