ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ସମେତ ୪୦ ଜବାନଙ୍କ ପାଇଁ ଆଜି ଭାରତ କାନ୍ଦୁଛି । ଦେଶର କୋଣ ଅନୁକୋଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ସହିଦଙ୍କ ସ୍ମୃତିରେ କେଉଁଠି ମହମବତୀ ଜାଳି ଲୋକେ ରାଲି କରୁଛନ୍ତି ତ କେଉଁଠି ସଭା, ସମିତି ଜରିଆରେ ସହିଦଙ୍କୁ ସମ୍ମାନ ଦିଆଯାଉଛି । ଓଡ଼ିଶା ବି ଏଥିରୁ ବାଦ୍ ପଡ଼ିନି । ଗତକାଲିଠାରୁ ଓଡ଼ିଶାର ସହର ମଫସଲ ସବୁଆଡ଼େ ଲୋକମାନଙ୍କ ଭିତରେ ଏହି ଚର୍ଚ୍ଚା ସାଙ୍ଗକୁ ସହିଦଙ୍କୁ ସମ୍ମାନ ଜଣାଇ ବିଭିନ୍ନ ଆୟୋଜନ ଜାରି ରହିଛି । ୪୦ ସିଆରପିଏଫ୍ ଜବାନଙ୍କ ନୃଶଂସ ହତ୍ୟାକୁ ଜଣେ ସଚ୍ଚା ଭାରତୀୟ ଭାବେ କେହି ଗ୍ରହଣ କରିପାରୁନାହାନ୍ତି ।
ବୀର ସହିଦଙ୍କୁ ସମ୍ମାନ ଜଣାଇ ଆଜି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କିଛି ସ୍କୁଲ ଓ କଲେଜରେ ସହିଦଙ୍କ ପାଇଁ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ସହିଦଙ୍କ ସମ୍ମାନାର୍ଥେ ଶିକ୍ଷାନୁଷ୍ଠାନରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ତେବେ ଖାଲି ଶିକ୍ଷାନୁଷ୍ଠାନ ନୁହେଁ, ରାଜ୍ୟର ବିଭିନ୍ନ ସଂଗଠନ, କ୍ଲବ ପକ୍ଷରୁ ମଧ୍ୟ ସହିଦଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିବା ଖବର ମିଳିଛି ।
ସାମିଲ ହେଲା ‘ନିଉଜ୍ ୱାଲର୍ଡ ଓଡ଼ିଶା’







