ଭୁବନେଶ୍ୱର: ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୪,୫୨୩ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଅରଗୁଳ ଆଇଆଇଟି କ୍ୟାମ୍ପସ୍ କୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକର୍ପିତ କରିବା ସହ ସେଠାରୁ ଅନ୍ୟ ସବୁ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଓଡ଼ିଶାର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ଦୋହରାଇ ରାଜ୍ୟର ବିକାଶ ପାଇଁ କାମ କରିବାର ସଂକଳ୍ପ ନୂଆସ୍ତରକୁ ଯାଇଥିବା କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ସମେତ ପୂର୍ବ ଭାରତର ବିକାଶକୁ ଗୁରୁତ୍ୱ ଦିଆଯାଉଛି । ସବ୍ କା ସାଥ୍ ସବ କା ବିକାଶ ମନ୍ତ୍ରରେ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି ।
ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ କେନ୍ଦ୍ର ସରକାରଙ୍କ ଏହିସବୁ ପ୍ରକଳ୍ପ ସଠିକ୍ ସମୟରେ ଶେଷ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାଶ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବକ୍ସି ଜଗବନ୍ଧୁଙ୍କୁ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ବକ୍ସି ଜଗବନ୍ଧୁ ଓଡ଼ିଶା ମାଟିର ମହାନ ସନ୍ତାନ ଥିଲେ । ତାଙ୍କ ବୀରତ୍ୱ ଓ ବଳିଦାନର ତୁଳନା ନାହିଁ । ବରୁଣେଇରେ ବକ୍ସିଙ୍କ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଓ ଅନ୍ୟାନ୍ୟ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ ।
୩ ଘଣ୍ଟିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ନିର୍ଦ୍ଧାରିତ ସମୟର ୧୦ ମିନିଟ୍ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ସରକାରୀ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରରେ ମାତ୍ର ୫ ମିନିଟ୍ ରହି ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସିଧା ଯାଇଥିଲେ ଜଟଣୀର ଅରଗୁଳ ।