ଭୁବନେଶ୍ୱର: ବିଜେଡ଼ି ସରକାରକୁ ଆଉ ନିସ୍ତାର ନାହିଁ । ଏଥର ଓଡ଼ିଶାରେ ନିର୍ବାଚନ ପ୍ରଚାରର ଶୁଭ ପକାଇବେ ମୋଦୀ । ନବୀନ ପଟ୍ଟନାୟକଙ୍କ ଧ୍ୱଜା ଉଡ଼ାଇବେ । ଏମିତି କେତେ କ’ଣ ଗପିଥିଲେ ବିଜେପିର କୁହାଳିଆ ନେତାମାନେ । କର୍ମୀମାନଙ୍କୁ ମୋଦୀ ଗଦ ଶୁଙ୍ଘାଇ ନବୀନଙ୍କ ବିରୋଧରେ ମାତାଲ କରିଦେଇଥିଲେ । ଏଠିକାର ବିଜେପି ନେତୃତ୍ୱ ମୋଦୀଙ୍କ ତୁଣ୍ଡରୁ ବିଜେଡ଼ି ବିରୋଧୀ ପ୍ରଚଣ୍ଡ ଆକ୍ରମଣକୁ ଚାହିଁ ବସିଥିଲେ । ମାତ୍ର ସବୁ ଫୁସୁକି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋର୍ଦ୍ଧା ବରୁଣେଇ ସମାବେଶ ବିଜେପି ନେତା ଓ କର୍ମୀଙ୍କୁ ନିରାଶ କରିଛି ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଓଡ଼ିଶାର ବିକାଶର ସ୍ୱପ୍ନ ଦେଖାଇଲେ । ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି, ପିସି କାରବାର କଥା ଚୁମ୍ବକରେ ଉଠାଇଲେ । ଆୟୁଷ୍ମାନ ଯୋଜନା କଥା ଉଠାଇଲେ । ଶିଶୁଙ୍କ କୁପୋଷଣ, ଚାଷୀ ଓ ବେକାରୀଙ୍କ ଦୁଃଖ କଥା ଉଠାଇଲେ । ମାତ୍ର ସିଧାସଳଖ ରାଜ୍ୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଧରିଲେନି । ପବନକୁ ଗୁଳି ମାରିଲା ଭଳି ଭାଷଣ ଦେଇଥିଲେ । ଦୁଇମାସ ତଳେ ପ୍ରଧାନମନ୍ତ୍ରୀ ତାଳଚେର ଓ ଝାରସୁଗୁଡ଼ା ଆସି ଦଳୀୟ ସମାବେଶରେ ଭାଷଣ ଦେଇଥିଲେ । ସିଧା ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ନାଁ ନେଇ ଧୂମ୍ ବର୍ଷିଥିଲେ । ମାତ୍ର ଏଥର ମୋଦୀଙ୍କ ଭାଷା ବଦଳିଯାଇଥିଲା । ସମାଲୋଚନାର କିଛି ଶବ୍ଦ ଥିଲା ହେଲେ ତାହା ଶାଣିତ ନ ଥିଲା । ପୂର୍ବଥର ଭଳି ସିଧାସଳଖ ନାଁ ନେଇ ଗାଳି କରି ନ ଥିଲେ ମୋଦୀ । ପୂର୍ବ ଭାରତ ଦଖଲର ବଳ ଦେଖାଉଥିବା ମୋଦୀଙ୍କ ଏଭଳି ନରମ ଭାଷଣ ବିଜେପି ନେତା ଓ କର୍ମୀଙ୍କ ମୁହଁ ଶୁଖାଇ ଦେଇଥିଲା । ମୋଦୀଙ୍କ ଭାଷଣ ସରିଲା ପରେ ନେତାମାନେ ପରଷ୍ପର ମୁହଁକୁ ଚାହୁଁଥିଲେ ।
ପୂର୍ବରୁ ଅରୁଗୁଳ ଆଇଆଇଟି କ୍ୟାମ୍ପସ୍ ଉତ୍ସବରେ ମୋଦୀ ଓ ନବୀନଙ୍କ ଭାବଭଙ୍ଗୀ ସମସ୍ତେ ଦେଖିଥିଲେ । ଦୁହିଁଙ୍କ ମଧ୍ୟରେ କିଛି ସମୟ ଅନ୍ତରଙ୍ଗ ଆଳାପ ବି ହୋଇଥିଲା । ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତେ ସ୍ୱାଭାବିକ ଭାବିନେଇଥିଲେ । ମାତ୍ର ବରୁଣେଇଠାରେ ଦଳୀୟ ସମାବେଶରେ ମୋଦୀଙ୍କ ସ୍ୱଭାବରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନ ଥିଲା । ନବୀନ ପଟ୍ଟନାୟକ ଓ ବିଜେଡ଼ି ସରକାର ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ତାଳି ମାରିବାକୁ ଅପେକ୍ଷା କରିଥିବା ବିଜେପି ନେତା ଓ କର୍ମୀମାନେ ନିରାଶ ହୋଇଥିଲେ ।