ଭୁବନେଶ୍ୱର: ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାଳରେ ଅପରାଜିତା ଷଡ଼ଙ୍ଗୀଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ଥିଲା । ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା ବିଜେପିକୁ ଆସିବା ପଛରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଆର୍ଶିବାଦ ଥିବା ଚର୍ଚ୍ଚା ହେଉଥିବାରୁ ତାଙ୍କ ଉପରେ ନଜର କେନ୍ଦ୍ରୀଭୂତ ହୋଇଥିଲା । ମାତ୍ର କାଇଁ ସେଭଳି କିଛି ଦେଖିବାକୁ ମିଳିଲାନି । ବରୁଣେଇ ସମାବେଶ ଜାଗାରେ ଅନ୍ୟ କର୍ମୀଙ୍କ ଗହଣରେ ଅପରାଜିତା ମୋଦୀଙ୍କୁ ଫୁଲତୋଡ଼ାଟିଏ ଦେଇ ଚାଲିଆସିଲେ । ସଭାମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହିତ ବସିବା ପାଇଁ ତାଙ୍କୁ ଜାଗା ବି ମିଳିଲାନି । ଭୁବନେଶ୍ୱର ବିମାନବନ୍ଦରରେ ମୋଦୀ ପହଞ୍ଚିଲା ପରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଅପରାଜିତା ବି ନ ଥିଲେ ।
ସେହିଭଳି ବରୁଣେଇରେ ଅନ୍ୟ ରାଜ୍ୟସ୍ତରୀୟ ନେତାଙ୍କ ପାଇଁ ବସିବା ପାଇଁ ଦ୍ୱିତୀୟ ମଞ୍ଚର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅପରାଜିତାଙ୍କୁ ପ୍ରଥମରୁ ସେଠାରେ ଦେଖିବାକୁ ମିଳି ନ ଥିଲା । ପ୍ରଧାନମନ୍ତ୍ରୀ ପହଞ୍ଚିଲା ପରେ ଯାଇ ଅପରାଜିତା ସେହି ମଞ୍ଚରେ ବସିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚରେ ଅପରାଜିତା ବସିବାର ସୁଯୋଗ ନ ଥିଲା ବୋଲି ବିଜେପି ସୂତ୍ରରୁ କୁହାଯାଇଛି । ସେଠାରେ ୧୭ ଜଣ ପଦାଧିକାରୀଙ୍କ ପାଇଁ ସିଟ୍ ବ୍ୟବସ୍ଥା ହୋଇଥିଲା । ଅପରାଜିତା କୌଣସି ପଦପଦବୀରେ ନ ଥିବାରୁ ସେଠି ସେ ଉପସ୍ଥିତି ନ ହେବା ସ୍ୱାଭାବିକ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।
ଖାଲି ଅପରାଜିତା ନୁହଁନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବି ଆଜି ସେଭଳି ଗୁରୁତ୍ୱ ଦେଖିବାକୁ ମିଳିଲା ନାହିଁ । ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ ମଧ୍ୟ ଆଗପରି ମାମଲତି ନ ଥିଲା । ପ୍ରଧାନମନ୍ତ୍ରୀ ବି ତାଙ୍କୁ ବିଶେଷ ନଜର ଦେଇ ନ ଥିଲେ । ଅନ୍ୟପକ୍ଷରେ ବିଜେପି ଅଫିସରେ କାମ କରୁଥିବା ଜେନାବାବୁଙ୍କ ସହ ପ୍ରଧାନମନ୍ତ୍ରୀ ସେଠାରେ କିଛି ସମୟ ମନଖୋଲି କଥା ହୋଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ବରୁଣେଇ ସମାବେଶରେ । ସେଠାରେ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ଦଳର ତୁଙ୍ଗ ନେତାମାନେ ଭାଷଣ ଦେଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନ ଆସି ପହଞ୍ଚିବା ପରେ ଭାଷଣ ଦେବାକୁ ସୁଯୋଗ ପାଇ ନ ଥିଲେ । ଜୁଏଲ୍ ଓରାମ ସ୍ୱାଗତ ଭାଷଣ ଦେଲା ପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସରିଗଲା ସଭା । ଧର୍ମେନ୍ଦ୍ରଙ୍କ ଭାଷଣ ଶୁଣିବାକୁ ଅପେକ୍ଷା କରିଥିବା ସମର୍ଥକମାନେ ଏଥିରେ ନିରାଶ ହୋଇଥିଲେ ।
ଚର୍ଚ୍ଚା ହେଉଛି, ବରୁଣେଇ ସମାବେଶର ଆୟୋଜନ ଦାୟିତ୍ୱ ଧର୍ମେନ୍ଦ୍ର ନେଇଥିଲେ ମଧ୍ୟ ନିଜକୁ ପ୍ରଚାରଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ । ତାଙ୍କର ନେତୃତ୍ୱ ଓ ପରିଚାଳନାକୁ ନେଇ ଦଳରେ ଅସନ୍ତୋଷ ଥିବାରୁ ଦିଲ୍ଲୀରୁ ତାଙ୍କୁ ତାଗିଦ୍ ମିଳିଛି । ସେଥିପାଇଁ ସେ ନିଜକୁ ଲୋ ପ୍ରୋଫାଇଲ୍ ରେ ରଖି ଏକ ବାର୍ତ୍ତା ଦେବାକୁ କୁଆଡ଼େ ଚାହିଁଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ଏଥିପ୍ରତି ଯତ୍ନବାନ ଥିବା କୁହାଯାଉଛି । ରାଜ୍ୟରେ ବିଜେପି ଫେସ୍ ହିସାବରେ ଅପରାଜିତାଙ୍କୁ ବି ପ୍ରୋଜେକ୍ଟ କରିବାକୁ ହାଇକମାଣ୍ଡ ଚାହିଁ ନ ଥିବା ପ୍ରଧାନମନ୍ତ୍ରୀଙ୍କ ଗସ୍ତକାଳରେ ସ୍ପଷ୍ଟ ହୋଇଛି ।