ଭୁବନେଶ୍ୱର: ବିଜେପିକୁ ଯିବେ ଯିବେ ବୋଲି ଚର୍ଚ୍ଚାରେ ଥିବା ବୈଜୟନ୍ତ ପଣ୍ଡା ସେହି ଦଳ ଉପରୁ ମୋହ ଛାଡ଼ିଦେଲେ କି? ଓଡ଼ିଶାରେ ବିଜେପିର କାର୍ଯ୍ୟକଳାପରୁ ସେ ଏହାର ଭବିଷ୍ୟତ ଦେଖୁନାହାନ୍ତି କି? ଗତକାଲି ଓଡ଼ିଶା ଗସ୍ତ କାଳରେ ପ୍ରଧାନମନ୍ତ୍ରୀଙ୍କ ନରମ ଭାବ ତାଙ୍କୁ ପସନ୍ଦ ହୋଇନାହିଁ କି? ଆଜି ବୈଜୟନ୍ତ ପଣ୍ଡାଙ୍କ ଏକ ଟୁଇଟ୍ ଏଭଳି ଅନେକ ପ୍ରଶ୍ନ ଛିଡ଼ା କରାଇଛି । ପରୋକ୍ଷରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ସେ ଚାଲେଂଜ କରିବା ସହ ରାଜ୍ୟ ବିଜେପି ୟୁନିଟ୍ କୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ କଲିଜା ଥିବା ଦରକାର ବୋଲି ସେ କହିବାକୁ ପଛାଇ ନାହାନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି ସପକ୍ଷରେ ଏବିପି ନିଉଜ୍ ଚାନେଲ ଏକ ଟୁଇଟ୍ କରିଥିଲା । ୨୦୧୯ ନିର୍ବାଚନରେ ଓଡ଼ିଶାରେ ମୋଦୀ ମ୍ୟାଜିକ୍ କାମ କରିବ ଏବଂ ବିଜେପି ବିପୁଳ ଫାଇଦା ହାସଲ କରିବାକୁ ଯାଉଛି ବୋଲି ଉକ୍ତ ଟୁଇଟ୍ ରେ କୁହାଯାଇଥିଲା । ଆଶ୍ଚର୍ଯ୍ୟର କଥା, ଅତ୍ୟନ୍ତ ତାତ୍ସଲ୍ୟ ଢ଼ଙ୍ଗରେ ବୈଜୟନ୍ତ ପଣ୍ଡା ଏହା ଉପରେ ରିଟୁଇଟ୍ କରିଛନ୍ତି । ଲେଖିଛନ୍ତି, ଏଥିରେ ବଡ଼ ରିସ୍କ ଥିବା ମନେହେଉଛି । ଏହା କ’ଣ ହୋଇପାରେ? ଯଦିଓ ଏଥିପାଇଁ ସାମର୍ଥ ଅଛି, କିନ୍ତୁ ଅଟୋପାଇଲଟ୍ ମୋଡ୍ ରେ ଏହା ସମ୍ଭବ ନୁହେଁ । ସରକାର ବିରୋଧରେ ସଚ୍ଚା ଲଢ଼େଇ ପାଇଁ ଚାଲେଂଜର(ବିଜେପି) ର କଲିଜା ଥିବା ଦରକାର । କେବଳ ଓଡ଼ିଶାରେ ବଢ଼ି ଚାଲିଥିବା ଅପରାଧ ଏବଂ ଦୁର୍ନୀତି ବିରୋଧରେ କହିଦେଲେ ଚଳିବ ନାହିଁ । ଏଥିପାଇଁ କାମ କରିବାକୁ ପଡ଼ିବ ।






