ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନିର୍ଦ୍ଧାରତ ସମୟରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତାଙ୍କ ସହ ପତ୍ନୀ ସବିତା କୋବିନ୍ଦ ଆସିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ରାଷ୍ଟ୍ରପତି ଦମ୍ପତ୍ତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟପାଳ ଡ. ଏସ.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ଡିଜି ଆର.ପି.ଶର୍ମା ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା ।
ଭୁବନେଶ୍ୱର ବିମାନବନ୍ଦରରୁ ରାଷ୍ଟ୍ରପତି ସିଧା କଟକ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଥମେ ଓଡ଼ିଆବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରାହଳୟ ବୁଲି ଦେଖିବେ । ଏହାପରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମାରକୀ ବହନ କରୁଥିବା ‘ଆନନ୍ଦ ଭବନ ସଂଗ୍ରାଳୟ ଓ ଜ୍ଞାନକେନ୍ଦ୍ର’କୁ ରାଷ୍ଟ୍ରପତି ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରି ସାଧାରଣ ସମାଗମରେ ଅଭିଭାଷଣ ପ୍ରଦାନ କରିବେ । ରାଷ୍ଟ୍ରପତି କଟକରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ବକ୍ତୃତା ପ୍ରଦାନ କରିବେ । ସଂଧ୍ୟାରେ ପୁରୀ ଯାଇ ସେଠା ସର୍କିଟ୍ ହାଉସ୍ ରେ ରାତ୍ରୀଯାପନ କରିବେ ।
ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଦମ୍ପତ୍ତି ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ତାହାପରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀରେ ଯୋଗଦେଇ ଭୁବନେଶ୍ୱର ଫେରିବେ । ରାଜଭବନରେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନ ସାଢ଼େ ତିନିଟାରେ ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବେ । ସେଠାରୁ ଆଇଆଇଟି କ୍ୟାମ୍ପସ୍ ଯାଇ ଇଣ୍ଡିଆନ୍ ଅଏଲ୍ ଓଡ଼ିଶା କ୍ୟାମ୍ପସ୍ ଏବଂ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ର ଭୂମିପୂଜା କରିବେ । ଅପରାହ୍ନ ୫.୩୦ରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ ।