ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି । ଓଡ଼ିଶା ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ସକାଳ ୯ଟାରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ କୋଲକତା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେଠାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସାରି ପଶ୍ଚିମବଙ୍ଗ ସରକାରଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ । କୋଲକତା ବିମାନବନ୍ଦରରୁ ୧.୪୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।
୨.୫୦ ମିନିଟ୍ ରେ ଭୁବନେଶ୍ୱର ବନ୍ଦରରେ ପହଞ୍ଚି ୨.୫୫ ମିନିଟ୍ ରେ ଏମଆଇ-୧୭ ହେଲିକପ୍ଟରରେ ସିଧା ବାତ୍ୟାଞ୍ଚଳ ପରିଦର୍ଶନରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ସହିତ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟ ସରକାରଙ୍କ କିଛି ଉଚ୍ଚପଦାଧିକାରୀ ଉପସ୍ଥିତ ରହିବେ । ପାଖାପାଖି ଦୁଇଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୪ ପ୍ରଭାବିତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ । ୪.୫୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଫେରି ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହ ରିଲିଫ୍ ଓ ମରାମତି କାର୍ଯ୍ୟର ସମୀକ୍ଷା କରିବେ । ୬.୧୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ ।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗତ ରାତିରେ ଯଶବନ୍ତ ସିଂ ଜେଠୱାଙ୍କ ନେତୃତ୍ୱରେ ଏକ ୨୬ ଜଣିଆ ଏସପିଜି ଟିମ୍ ଭୁବନେଶ୍ୱରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ରାଜ୍ୟ ସରକାରଙ୍କ ପୁଲିସ ଉଚ୍ଚ ପଦାଧିକାରୀମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ।
ମମତାଙ୍କ ସହ କଥା ହେଲେ ନବୀନ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଜି ସକାଳୁ ଟେଲିଫୋନ୍ ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନବୀନ ନିଜ ଆଡୁ ପ୍ରତିଶ୍ରୁତି ଦେଇଛନ୍ତି ।