– ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ମୋଦି
– ସାଙ୍ଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ
– ରାଜ୍ୟ ସରକାରଙ୍କ ସହ ନେଲେ ସମୀକ୍ଷା ବୈଠକ
ଭୁବନେଶ୍ୱର: ଓଡ଼ିଶାର ‘ଅମ୍ଫନ’ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ୫୦୦ କୋଟିର ଆଗୁଆ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ପ୍ରାଥମିକ ଆକଳନ, କେନ୍ଦ୍ରୀୟ ଟିମ୍ ର ଅନୁଧ୍ୟାନ ସହ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ପରବର୍ତ୍ତୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ବାତ୍ୟା ମୁକାବିଲାରେ ରାଜ୍ୟବାସୀ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ବି ଢ଼େର୍ ପ୍ରଶଂସା କରିଛନ୍ତି ମୋଦି ।
“‘ଅମ୍ଫନ’ ଓଡ଼ିଶା ପାଇଁ ବହୁତ ବଡ଼ ଚିନ୍ତାର ବିଷୟ ଥିଲା । କିନ୍ତୁ ସଙ୍କଟର ମୁକାବିଲା ପାଇଁ ସରକାର ବହୁତ ସୁନ୍ଦର ବ୍ୟବସ୍ଥା କଲେ । ଜନସାଧାରଣ ସହଯୋଗ କଲେ । ସାମୁହିକ ଉଦ୍ୟମ ଯୋଗୁଁ ଜୀବନ ବଞ୍ଚାଇବାରେ ସଫଳତା ମିଳିଲା । ଏଥିପାଇଁ ଓଡ଼ିଶାର ଜନସାଧାରଣ, ରାଜ୍ୟ ପ୍ରଶାସନ, ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କର ପୂରା ଟିମ୍ ଅଭିନ୍ଦନର ପାତ୍ର ।”
ପ୍ରଧାନମନ୍ତ୍ରୀ କହିଥିଲେ, ଏତେବଡ଼ ପ୍ରାକୃତିକ ବିପର୍ଯ୍ୟୟ ହେଲେ କ୍ଷତି ହେବ ହିଁ ହେବ । ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାରେ ଏତେ କ୍ଷତି ହୋଇନି । ତେବେ ବାତ୍ୟା ଯୋଗୁଁ ଲୋକଙ୍କ ଘରଦ୍ୱାର, ଚାଷ, ବିଜୁଳି, ଯୋଗାଯୋଗ, ଭିତ୍ତିଭୂମିରେ ଯେଉଁ କ୍ଷତି ହୋଇଛି ତାହାର ବିସ୍ତୃତ ସମୀକ୍ଷା କଲି । ରାଜ୍ୟ ସରକାର ବିସ୍ତାର ଭାବେ ତାଙ୍କ ତଥ୍ୟ ରଖିଛନ୍ତି । ସରକାରୀ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ବାତ୍ୟା କ୍ଷୟକ୍ଷତି ଆକଳନ ରିପୋର୍ଟ ଭାରତ ସରକାରଙ୍କୁ ପଠାଇବେ । କେନ୍ଦ୍ରୀୟ ଟିମ୍ ତୁରନ୍ତ ଏଠାକୁ ଆସି ଏହାର ଅନୁଧ୍ୟାନ କରିବେ । ସେ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍, ଥଇଥାନ କାର୍ଯ୍ୟ ପାଇଁ ତକ୍ରାଳ ଆବଶ୍ୟକତା ଦୃଷ୍ଟିରୁ ୫୦୦ କୋଟି ଦେବାକୁ ନିଷ୍ପତ୍ତି ନେଇଛୁ ।
ସମ୍ପୂର୍ଣ୍ଣ ସର୍ଭେ ସରି ଥଇଥାନର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହେଲା ପରେ ଭାରତ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ‘ଭାରତ ସରକାର କାନ୍ଧରେ କାନ୍ଧ ମିଳାଇ ଓଡ଼ିଶାର ବିକାଶଯାତ୍ରାକୁ ଆଗକୁ ନେବେ । ସଙ୍କଟ ଘଡ଼ିରୁ ଲୋକଙ୍କୁ ରକ୍ଷା କରିବା କାର୍ଯ୍ୟରେ ପୂରା ସହଯୋଗ କରିବୁ” ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।






