ନୂଆଦିଲ୍ଲୀ: ପାକିସ୍ଥାନ କରାଚୀରେ ଆଜି ଏକ ଲୋମଟାଙ୍କୁରା ବିମାନ ଦୁର୍ଘଟଣା ଘଟିଛି । ଲ୍ୟାଣ୍ଡିଂ କରିବାର ମାତ୍ର ଗୋଟିଏ ମିନିଟ୍ ପୂର୍ବରୁ ବିମାନରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ଆବାସିକ ଅଞ୍ଚଳ ଉପରେ ଖସିପଡ଼ିଛି । ସେଥିରେ ଥିବା ସମସ୍ତ ୯୮ ଯାତ୍ରୀ ଓ ୯ କର୍ମଚାରୀ ଜଳିଯାଇଛନ୍ତି । ବିମାନ ନିଆଁରେ ବହୁ ଘର ଜଳିଯାଇଛି । ୩୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ଗୁରୁତର ଆହତ ହୋଇଛନ୍ତି ।
ପାକିସ୍ଥାନ ଇଣ୍ଟର ନ୍ୟାସନାଲ୍ ଏୟାରଲାଇନ୍ସ(ପିଆଇଏ) ର ଏକ ଯାତ୍ରୀବାହୀ ବିମାନ ପିକେ-୩୦୩ ଆଜି ୯୮ ଯାତ୍ରୀଙ୍କୁ ଧରି ଦିନ ୧ଟାରେ ଲାହୋରରୁ କରାଚୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ପାଇଲଟ୍ ଙ୍କ ସମେତ ସେଥିରେ ୯ ଜଣ କର୍ମଚାରୀ ଥିଲେ । ୨.୪୫ ମିନିଟ୍ ରେ କରାଚୀର ଜିନ୍ନା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବାର ମାତ୍ର ୧ ମିନିଟ୍ ପୂର୍ବରୁ ଜିନ୍ନା ଗାର୍ଡେନ୍ ଅଞ୍ଚଳ ଉପରେ ବିମାନଟି ପ୍ରଚଣ୍ଡ ବିସ୍ଫୋରଣରେ ଜଳିଯାଇଥିଲା । ମାଲିର୍ ର ମଡେଲ୍ କଲୋନି ଉପରେ ଜଳନ୍ତା ବିମାନ ଖସି ପଡ଼ିବାରୁ ସ୍ଥାନୀୟ ବିଲଡିଂ ଗୁଡ଼ିକରେ ନିଆଁ ଲାଗିଯାଇଥିଲା ।
ରମଦାନ ଶେଷପର୍ବ ପାଳିବା ପାଇଁ ଲାହୋରରୁ ନିଜ ଘର କରାଚୀକୁ ଯାତ୍ରୀମାନେ ଫେରୁଥିବା କୁହାଯାଉଛି । ଯାହା ସେମାନଙ୍କର ଶେଷ ଯାତ୍ରା ପାଲଟିଛି ।