ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନ ସମେତ୯ଟି ବିଧାନସଭା ଆସନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ପୂର୍ବରୁ ଘୋଷିତ ୩ ପ୍ରାର୍ଥୀଙ୍କୁ ବଦଳି କରାଯାଇଛି । ପୂର୍ବ ତାଲିକାରେ ବେଗୁନିଆ ଆସନରୁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନାଁ ଆସିଥିଲା । ମାତ୍ର ପଟ୍ଟନାୟକ ପରିବାରର କେଁ ଭିତରେ ସେ ଓହରି ଆସିଛନ୍ତି । ପଟ୍ଟନାୟକ ବ୍ରଦର୍ସଙ୍କ ପୂର୍ବ ଯୋଜନା(!) ଅନୁଯାୟୀ ସେଠାରେ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ପ୍ରଦୀପ ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ । ଗତଥର ସେ ବେଗୁନିଆରୁ ଆମ ଓଡ଼ିଶାର ପ୍ରାର୍ଥୀ ହୋଇଥିଲେ ।
ସେହିଭଳି କଟକ ସଦର ଆସନରୁ ପୂର୍ବେ ରତ୍ନାକର ବେହେରାଙ୍କ ନାଁ ଘୋଷଣା ହୋଇଥିଲା । ତାଙ୍କୁ ବଦଳି କରାଯାଇ ଅଭିଷେକ ମହାନନ୍ଦଙ୍କୁ ସେହି ଆସନ ଦିଆଯାଇଛି । ସମ୍ବଲପୁରରେ ଅଶ୍ୱିନୀ କୁମାର ଗୁରୁଙ୍କୁ ବଦଳାଯାଇ ଭୀମସାର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରାଯାଇଛି ।
ଘଷିପୁରା ଆସନ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ନାଁ ଏହି ତାଲିକାରେ ସ୍ଥାନ ପାଇଛି । ଭୁବନେଶ୍ୱର ମଧ୍ୟ ଆସନରୁ ରାଜୀବ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ଭୁବନେଶ୍ୱର ଉତ୍ତର ଆସନରୁ ଇତିଶ୍ ପ୍ରଧାନ ହୋଇଛନ୍ତି ପ୍ରାର୍ଥୀ । ଜୟଦେବ ଆସନରୁ ସୁକାନ୍ତ ତିଆଡ଼ି ଭୋଇ, କଟକ ଚୌଦ୍ୱାରରୁ ଜଗଦୀଶ ମହାନ୍ତି, କଟକ ସଦରରୁ ଅଭିଷେକ ମହାନନ୍ଦ ଏବଂ ଚିଲିକାରୁ ପ୍ରଦୀପ ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି ।
ସମ୍ବଲପୁର ଲୋକସଭା ଆସନରୁ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ପିପିଲିରୁ ପ୍ରାର୍ଥୀ ଘୋଷଣା ହୋଇଥିବା ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବହୁ ବିଳମ୍ବରେ ତାଙ୍କ ନାଁ ଘୋଷଣା ହୋଇଥିବାରୁ ପିସିସି ସଭାପତିଙ୍କ ଉପରେ ରାଗ ଝାଡ଼ିଛନ୍ତି ସେ । କଂଗ୍ରେସରେ କୋଟି କୋଟି ଟଙ୍କାରେ ଟିକେଟ ବିକ୍ରୀ ହୋଇଛ ବୋଲି ସେ ଅଭିଯୋଗ କରିଛନ୍ତି ।