ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ରାଜ୍ୟ ଉପଦେଷ୍ଟା,ପୂର୍ବତନ କର୍ପୋରେଟର ତଥା ଟାଣୁଆ ଯୁବନେତା ଅମରେଶ(ବାଇଁଆ) ଜେନାଙ୍କ ଭରସାରେ ଭୁବନେଶ୍ୱର ଜିଲ୍ଲା ସଂଗଠନକୁ ଛଡ଼ାଯାଇଛି । ତାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟତମ ଟାଣୁଆ ନେତା ସୁବାସ ପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱର ତିନୋଟି ଯାକ ନିର୍ବାଚନମଣ୍ଡଳୀରେ ବିଜେଡ଼ିକୁ ଅଧିକ ସଂଗଠିତ କରିବା ସହ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ୁଥିବା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଚେକ୍ ଦେବେ ବାଇଁଆ । ଠିକଣା ସମୟରେ ବାଇଁଆଙ୍କ ହାତରେ ଏହି ଗୁରୁ ଦାୟିତ୍ୱ ଦେଇ ସୁପ୍ରିମୋ ବିଜେପି ଶିବିର ପାଇଁ ଟେନସନ୍ ବଢ଼ାଇଛନ୍ତି ।
ଭୁବନେଶ୍ୱରରେ ବାଇଁଆଙ୍କ ସଂଗଠନ ବେଶ୍ ମଜବୁତ ରହିଆସିଛି । ମାତ୍ର ତାଙ୍କୁ ଦଳରେ ଯେଭଳି ଗୁରୁତ୍ୱ ଦିଆଯିବା ସେଭଳି ଦିଆଯାଉ ନାହିଁ ବୋଲି ତାଙ୍କ ସମର୍ଥକମାନେ ଅଭିଯୋଗ କରି ଆସୁଥିଲେ । ଭୁବନେଶ୍ୱର ମଧ୍ୟ ଆସନରେ ପ୍ରାର୍ଥୀ ହୋଇଥିବା ପୂର୍ବତନ ମେୟର ଅନନ୍ତ ନାରାୟଣ(ବୁନୁ) ଜେନାଙ୍କ ସହ ତାଙ୍କର ମତଭେଦ ଥିବା ଚର୍ଚ୍ଚା ହେଉଥିଲା । ତେବେ ଏହାକୁ ଅଣଦେଖା କରି ଆସୁଥିଲେ ଦଳୀୟ ନେତୃତ୍ୱ । ନିର୍ବାଚନ ବେଳେ ଏବେ ଡେରିରେ ବୁଦ୍ଧି ପଶିଛି । ଭୁବନେଶ୍ୱରରେ ଦଳ ପାଇଁ ରହିଥିବା ଚାଲେଂଜକୁ ସାମନା କରିବାରେ ବାଇଁଆ ସମର୍ଥ ହେବେ ସେହି ବିଶ୍ୱାସରେ ତାଙ୍କୁ ସାମନାକୁ ଛଡ଼ାଯାଇଛି ।
ଇତିମଧ୍ୟରେ ଭୁବନେଶ୍ୱରରେ ବିଜେପିର ଶକ୍ତି ମଧ୍ୟ କମ ନାହିଁ । ମଧ୍ୟ ଆସନରୁ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ନିର୍ବାଚନମଣ୍ଡଳୀରେ ନିଜର ସ୍ଥିତିକୁ ବେଶ ସୁଦୃଢ଼ ରଖିଛନ୍ତି । ଏକାମ୍ର ଆସନରେ ଅମୀୟ ଦାଶ ମଧ୍ୟ ବିଜେପି ସଂଗଠନକୁ ସୁଦୃଢ଼ କରିଥିଲେ । ମାତ୍ର ତାଙ୍କୁ ଟିକେଟ ନ ମିଳିବା ଯୋଗୁଁ ସେଠାରେ ସ୍ଥିତି ବିଗିଡ଼ି ଯାଇଛି । ସେପଟେ ଉତ୍ତରରେ ଦିଲ୍ଲୀପ ମହାନ୍ତି ଓ ଯୁଗାଂଶୁ ପଣ୍ଡା ନିଜ ନିଜ ଶକ୍ତିରେ ବିଜେପି ସଂଗଠନକୁ ମଜବୁତ ରଖିଥିଲେ ମଧ୍ୟ ଅପରାଜିତା ମହାନ୍ତିଙ୍କୁ ଟିକେଟ ମିଳିଥିବାରୁ ଦଳ ଦୋହଲି ଯାଇଛି । ତେବେ ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗୋଟିଚାଳନା ବିଜେଡ଼ି ପାଇଁ ଚାଲେଂଜ ଛିଡ଼ା କରାଇଛି । ବାଇଁଆଙ୍କ ନେତୃତ୍ୱରେ ବିଜେଡ଼ି ଜିଲ୍ଲା ସଂଗଠନ ଏହି ଚାଲେଂଜକୁ ସାମନା କରିପାରିବେ ବୋଲି ଦଳ ଭରସା କରିଛି ।