ଭୁବନେଶ୍ୱର: ଏ.. ପୁଲିସ ଭାଇ..ହେ.. ଆରେ.. ତୁମେ ଫଟୋ କାହା ତରଫରୁ ଉଠୋଉଛ? ତମେ କ’ଣ ନିର୍ବାଚନ କମିଶନ? ବନ୍ଦ କର ଫଟୋ । ବନ୍ଦ କର ଫଟୋ । ନିର୍ବାଚନ କମିଶନ ଫଟୋ ଉଠାଇ ପାରିବନି । କିଏ ତୁମେ?
ମୋର ଗୋଟେ ଅନୁରୋଧ ଅଛି ପ୍ରଶାସନିକ ଅଧିକାରୀ ଭାଇମାନଙ୍କୁ । ଯୋଉମାନେ କିଛି ଅସାଧୁ ଅଫିସରମାନେ ଏମାନଙ୍କର ଚାମଚାଗିରି କରିବା ପାଇଁ, ଓଡ଼ିଶାର ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ଯୋଉମାନେ.. । ଆରେ ଭାଇ ତମେ ତ ଓଡ଼ିଆ ଲୋକ । ଓଡ଼ିଆ ଲୋକ ନା ନାଇଁ?
ପ୍ରଶାସନିକ ଅଧିକାରୀମାନେ ଯୋଉମାନେ ପୁଲିସରେ ଅଛ, ତୁମକୁ ନରେନ୍ଦ୍ର ମୋଦିଙ୍କ ଆୟୁଷ୍ମାନ ଭାରତ ଦରକାର ନାହିଁ? ତୁମେ ଟାଟା ମେମୋରିଆଲ୍ ରେ ତମ ପରିବାର ଲୋକଙ୍କୁ ଚିକିତ୍ସା କରିବା ପାଇଁ ଗଲାବେଳେ ତମକୁ ସହାୟତା ଦରକାର ନାହିଁ? ତମ ବାପା ଯୋଉ ଚାଷ କରୁଛନ୍ତି, ତମ ଭାଇ ଯୋଉ ଚାଷ କରୁଛି ତାକୁ ନରେନ୍ଦ୍ର ମୋଦିଙ୍କ କିଷାନ ଯୋଜନା ଦରକାର ନାହିଁ? ତୁମ ଘରେ ପାଇଖାନା ଦରକାର ନାହିଁ? ତୁମ ପିଲାମାନେ ଭଲ କଲେଜରେ ପାଠ ପଢ଼ିବେ ଏଇଟା କ’ଣ ତୁମକୁ ଦରକାର ନାହିଁ?
ଏହା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗର୍ଜନ ତର୍ଜନ । ଗତକାଲି ଲକ୍ଷ୍ମୀପୁରରେ ସେ ବିଜୟ ସଂକଳ୍ପ ସଭା କରିଥିଲେ । ସଭାସ୍ଥଳରେ ଡ୍ୟୁଟି କରୁଥିବା ଜଣେ ପୁଲିସ କର୍ମଚାରୀ ତାଙ୍କ ମୋବାଇଲ୍ ରେ କେନ୍ଦ୍ରମନ୍ତ୍ରୀଙ୍କ ଏକ ଫଟୋ ଉଠାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କଠାରୁ ଏଭଳି ଭାବେ ଗାଳି ଶୁଣିଥିଲେ । ଚଢ଼ା ଗଳାରେ ନାଲିଆଖି ଦେଖାଇ ବର୍ଷିଥିଲେ ଧର୍ମେନ୍ଦ୍ର । ପୂର୍ବରୁ ବିଜେପୁର ଉପନିର୍ବାଚନ ବେଳେ ଏସପି, କଲେକ୍ଟରଙ୍କୁ ତାଙ୍କର ନାଲିଆଖି ସମସ୍ତେ ଦେଖିଛନ୍ତି । ବିଭିନ୍ନ ପ୍ରେସମିଟ୍, ସଭାସମିତିରେ ପୁଲିସ, ସରକାରୀ ଅଧିକାରୀ ଏପରିକି ସାମ୍ବାଦିକଙ୍କୁ କେନ୍ଦ୍ରମନ୍ତ୍ରୀ ଧମକେଇବାର ଅନେକ ନଜିର ରହିଛି । ଏବେ ଲକ୍ଷ୍ମୀପୁର ସଭାର ଭିଡ଼ିଓ ଫୁଟେଜ୍ ଭାଇରାଲ୍ ହେଲାଣି ।
ନିକଟରେ ତାଙ୍କ ଦଳର ଉପସଭାପତି ତଥା ହିଂଜିଳି ବିଧାନସଭା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ନିର୍ବାଚନ ଦାୟିତ୍ୱରେ ଥିବା ପୁଲିସ ଓ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଙ୍କୁ ଦରବାରୀ ଠାଣିରେ ଧମକେଇବାର ଭିଡ଼ିଓ ଭାଇରାଲ୍ ହୋଇଥିଲା । ମାମଲାଟି ଥାନାକୁ ଯାଇଛି ଏବଂ ଶ୍ରୀ ଆଚାର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିଜର ଆଚରଣ ପାଇଁ ସେ ଦୁଃଖ ପ୍ରକାଶ କରିବା ପରିବର୍ତ୍ତେ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବାରୁ ପୁଲିସକୁ ଚାଲେଂଜ କରିଛନ୍ତି ।