ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଶନିଦଶା ପଡ଼ିଛି । ଜଣଙ୍କ ପରେ ଜଣେ ନେତା ଦଳରୁ ବିଦା ହେଉଛନ୍ତି ଅଥବା ଦଳ ଛାଡୁଛନ୍ତି । ନବ ଦାସ, ଯୋଗେଶ ସିଂଙ୍କ ପରେ ପଶ୍ଚିମ ଓଡ଼ିଶାର ଆଉ ଜଣେ ଟାଣୁଆ ନେତା ପ୍ରଣୟ ସାହୁ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଗତ ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଣୟ ସେ ଅଞ୍ଚଳର ଜଣେ ଲୋକପ୍ରିୟ ଓ ଟାଣୁଆ ନେତା । ନିଜର ସାଂଗଠନିକ ଦକ୍ଷତା ଓ ଲୋକପ୍ରିୟତା ବଳରେ ସେ ଅଞ୍ଚଳରେ କଂଗ୍ରେସକୁ ବଞ୍ଚେଇ ରଖିଥିଲେ । ବିଜେପୁର ଉପନିର୍ବାଚନରେ ତାଙ୍କର ପ୍ରାର୍ଥୀତ୍ୱକୁ ସମସ୍ତେ ଗ୍ରହଣ କରିଥିଲେ । ମାତ୍ର ଆଜି ସେ ଦଳ ଛାଡ଼ି ଚାଲିଯିବା ଅଞ୍ଚଳର କଂଗ୍ରେସ ସଂଗଠନକୁ ଶକ୍ତ ଆଘାତ ଆଣିଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରଣୟ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି । ନିଜର ପ୍ରତିକ୍ରିୟାରେ ପ୍ରଣୟ କହିଛନ୍ତି, ବିଜେପୁର ଉପନିର୍ବାଚନ ପରାଜୟ ସମୀକ୍ଷା ପାଇଁ ମୁଁ କହିଥିଲି । ମାତ୍ର ନେତୃତ୍ୱ ତାହା କଲେନି । ପରାଜୟର କାରଣ ବି ଖୋଜିଲେନି । କଂଗ୍ରେସର ସାଂଗଠନିକ ପୁର୍ନବିନ୍ୟାସରେ ତାଙ୍କୁ ପଚରାଗଲାନି । ଦଳରେ ଆଭ୍ୟନ୍ତରୀଣ କନ୍ଦଳ ରହିଛି । ଦଳର ଯାହା ସ୍ଥିତି ସେଠି ରହିଲେ ଲୋକଙ୍କ ବିକାଶ କରାଯାଇପାରିବନି । ତାଙ୍କୁ ଦଳରେ ଅଣଦେଖା କରାଯାଇଛି । ତେଣୁ ଦଳ ପାଇଁ ସେ ନିଜକୁ ଅଦରକାରୀ ବୋଲି ଭାବିଲେ । ଏବେ କେଉଁ ଦଳକୁ ଯିବେ ପ୍ରଣୟ ତାହା ସ୍ପଷ୍ଟ କରିନାହାନ୍ତି । ତେବେ ସେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।