– ଖାରବେଳ-ବ୍ରଜ ଗଠନ କଲେ ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’
– ଦାମଙ୍କ ନୂଆ ଦଳ ନାଁ ‘ଜନତା କ୍ରାନ୍ତି’
– ଧରା ଦେଉନାହାନ୍ତି ବୈଜୟନ୍ତ, ବିଜୟ, ଦିଲ୍ଲୀପ,ପଞ୍ଚାନନ
ଭୁବନେଶ୍ୱର: ବିଜେଡ଼ିରୁ ବିତାଡ଼ିତ ତଥାକଥିତ ବିଜୁପ୍ରେମୀଙ୍କୁ ଏକଜୁଟ କରି ବିଜେଡ଼ି ବିରୋଧରେ ମହାମେଣ୍ଟ କରିବାକୁ ଖାରବେଳ ସ୍ୱାଇଁ ଯୋଜନା କରିଥିଲେ । ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କୁ ଗୋଟିଏ ମଞ୍ଚକୁ ଆଣିବାକୁ ବହୁ ଚେଷ୍ଟା କଲେ । ହେଲେ ତାହା ସମ୍ଭବ ହେଲାନି । କେବଳ ବ୍ରଜକିଶୋର ତ୍ରିପାଠୀ ହିଁ ହାତ ବଢ଼ାଇଲେ । ଆଜି ଖାରବେଳ ଓ ବ୍ରଜ ଏକାଠି ହୋଇ ଘୋଷଣା କରିଛନ୍ତି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ । ଏଥିରେ ଖାରବେଳଙ୍କ ଉତ୍କଳ ଭାରତ ଓ ବ୍ରଜଙ୍କ ସମତାକ୍ରାନ୍ତି ମିଶିଯାଇଛନ୍ତି । ସେପଟେ ବ୍ରଜଙ୍କ ସହ ମିଶି ପୂର୍ବରୁ ବିଜୁ ସମତା କ୍ରାନ୍ତି ଦଳ ଘୋଷଣା କରିଥିବା ଦାମୋଦର ରାଉତ ଆଜି ସେଥିରେ କବର ଚଢ଼େଇଛନ୍ତି । ‘ଜନତା କ୍ରାନ୍ତି’ ନାଁରେ ସେ ଏକ ନୂଆ ଦଳ ନାଁ ଘୋଷଣା କରିଛନ୍ତି । ମଜ୍ଜାର କଥା, ବିଜେଡ଼ି ବିରୋଧରେ ଲଢ଼େଇ ପାଇଁ ଉଭୟ ଉଭୟଙ୍କୁ ଆମନ୍ତ୍ରଣ କରିଛନ୍ତି ।
ଆଜି ପ୍ରଥମେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଖାରବେଳ ଓ ବ୍ରଜ । ଉତ୍କଳ ଭାରତ ଓ ସମତାକ୍ରାନ୍ତି ମିଶି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ ହେଲା ବୋଲି ଘୋଷଣା କରିଥିଲେ । ବିଜେଡ଼ିକୁ କ୍ଷମତାରୁ ହଟାଇବା ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପଞ୍ଚାନନ କାନୁନଗୋ କୁଆଡେ ଗଲେ ବୋଲି ସାମ୍ବାଦିକମାନେ ପ୍ରଶ୍ନ କଲାରୁ ଉଭୟ ଖାରବେଳ ଓ ବ୍ରଜ ଥତମତ ହୋଇଥିଲେ । କହିଥିଲେ, ସେମାନଙ୍କ ସହ କଥାବାର୍ତ୍ତା ଚାଲିଛି । ସେମାନେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଆଶା କରୁଛୁ ।
ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ଖାରବେଳ ବିଜେଡ଼ି ବିରୋଧୀ ମହାମେଣ୍ଟ ଗଠନର ସୂଚନା ଦେଇଥିଲେ । ଏ ନେଇ ବୈଜୟନ୍ତ, ଦାମ, ବିଜୟ, ଦିଲ୍ଲୀପ ପ୍ରଭୃତିଙ୍କ ସହ ଆଲୋଚନା ଚାଲିଛି ଏବଂ ସମସ୍ତେ ବିଜେଡ଼ି ବିରୋଧରେ ଏକାଠି ହେବାକୁ ରାଜି ଥିବା କହିଥିଲେ । ତେବେ ଆଜି ନୂଆ ସାମ୍ମୁଖ୍ୟ ଘୋଷଣା କରିଥିଲେ ମଧ୍ୟ କାହାରିକୁ ଦେଖିବାକୁ ମିଳିଲାନି । ଖାସ୍ କରି ଦାମ ଓ ବୈଜୟନ୍ତଙ୍କୁ ସେମାନେ ମନାଇପାରିନାହାନ୍ତି । ଦାମ ବିଜେଡ଼ିରୁ ବହିଷ୍କୃତ ହେଲା ପରେ ବ୍ରଜ ତ୍ରିପାଠୀଙ୍କ ସହ ମିଶି ବିଜୁ ସମତା କ୍ରାନ୍ତି ଦଳ ଘୋଷଣା କରିଥିଲେ । ମାତ୍ର ତାହା ସପ୍ତାହେ ବି ଚାଲିପାରିଲାନି । ଉଭୟ ଉଭୟଙ୍କଠାରୁ ମୁହଁ ଫେରାଇ ନେଇଥିଲେ ।
ଆଜି ସାମ୍ବାଦିକ ସମ୍ମିଳନୀରେ ବ୍ରଜ ଏହି ପ୍ରଶ୍ନର ସାମନା କରିଥିଲେ । ହେଲେ ବାଆଁରେଇବାକୁ ଚେଷ୍ଟା କରିଥିଲେ । ଖାରବେଳ ବି ସେଇ ପ୍ରଶ୍ନକୁ ଏଡାଇ ଦେଇଥିଲେ । ଦାମ, ବୈଜୟନ୍ତ, ବିଜୟ , ଦିଲ୍ଲୀପ, ପଞ୍ଚାନନ ଓ ଶ୍ରୀକାନ୍ତ ଜେନାଙ୍କ ସହ ଆଲୋଚନା ଚାଲିଛି ବୋଲି ଦୋହରାଇଥିଲେ । ତେବେ ସମସ୍ତେ ଯେ ଏକାଠି ହେବେ ସେ ବିଶ୍ୱାସ ଖାରବେଳଙ୍କର ନ ଥିବା ବାରି ହୋଇପଡ଼ିଥିଲା ।
ଠିକ୍ ଏହି ସମୟକୁ ଦାମ ତାଙ୍କର ନିଜସ୍ୱ ଦଳ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ‘ଜନତା କ୍ରାନ୍ତି’ ନାମରେ ସେ ଦଳ ଗଠନ କରିବେ । ନିର୍ବାଚନ କମିଶନଙ୍କୁ ଆବେଦନ କରିଛନ୍ତି । ବିଜୁ ଅନୁଗାମୀମାନେ ଏହି ଦଳକୁ ଆସିବା ପାଇଁ ସେ ଆହ୍ୱାନ ଦେଇଥିଲେ । ତେବେ ସେ ଖାରବେଳ ଏବଂ ବ୍ରଜ ତ୍ରିପାଠୀଙ୍କ ନାଁ ନେଇ ନ ଥିଲେ । ବୈଜୟନ୍ତ, ଦିଲ୍ଲୀପ, ବିଜୟ ଓ ପଞ୍ଚାନନ ତାଙ୍କ ସାଙ୍ଗରେ ରହିବେ ବୋଲି ଆଶା ଦେଖାଇଥିଲେ । ଖାଲି ସେତିକି ନୁହେଁ, ସେମାନଙ୍କୁ ଦଳୀୟ ପଦପଦବୀର ଥୋପ ଛାଡ଼ିଥିଲେ । ସଭାପତି ଓ ବିଭିନ୍ନ ପଦପଦବୀରେ ଲୋଭ ଦେଖାଇ ଆମନ୍ତ୍ରଣ ଜଣାଇଥିଲେ ।
ଖାରବେଳ ଓ ବ୍ରଜଙ୍କ ଦ୍ୱାରା ଗଠିତ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ସେ କାହିଁକି ମିଶିଲେନି ବୋଲି ସାମ୍ବାଦିକମାନେ ପଚାରିବାରୁ ଦାମ କହିଥିଲେ, ମୋର କୌଣସି ଦଳ ନାହିଁ । ତେଣୁ ମୁଁ ସେହି ମେଣ୍ଟକୁ କାହିଁକି ଯିବି? ସେମାନେ ନବୀନଙ୍କ ବିରୋଧରେ ଲଢ଼େଇ କଲେ ମୁଁ ସମର୍ଥନ ଦେବି ।