ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଚମକ ଓ ଲୋକପ୍ରିୟତା କମିନାହିଁ । ବିଜେଡ଼ି ସେଇ ଏକ ନମ୍ବର ଦଳ ହୋଇରହିଛି । ଆସନ୍ତା ନିର୍ବାଚନରେ ବିଜେଡ଼ି ପୁଣି ଥରେ ବାଜିମାତ୍ କରିବ । ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ କ୍ଷମତା ଦଖଲ କରିବେ । ଦୈନିକ ଇଂରାଜୀ ଖବରକାଗଜ ଡେକାନ୍ ହେରାଲଡ୍ ର ନିର୍ବାଚନ ସର୍ଭେ ରିପୋର୍ଟ ଏହି ଆକଳନ ଦେଇଛି । ଖାଲି ସେତିକି ନୁହେଁ, ଓଡ଼ିଶାରେ ଆଜିକା ଦିନରେ ବିଜେଡ଼ିର ସ୍ଥିତି କେତେ ସୁଦୃଢ଼ ତାହା ବି ଜଣାଇ ଦେଇଛି ସର୍ଭେ । ଏବେ ନିର୍ବାଚନ ହେଲେ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେଡ଼ି ଅନ୍ୟୁନ ୧୮ ଟି ଆସନ ପୋଛିନେବ । କଂଗ୍ରେସ ଓ ବିଜେପିକୁ ଗୋଟିଏରୁ ଦୁଇଟି ଲେଖାଏଁ ଆସନ ମିଳିପାରେ ବୋଲି ସର୍ଭେରେ ଦର୍ଶାଯାଇଛି ।
ଶ୍ରୀ ମୋଦି ପୁରୀରୁ ନିର୍ବାଚନ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଯଦି ସତ ହୁଏ ତେବେ ନବୀନ ଏବଂ ତାଙ୍କ ବିଜେଡ଼ିର କିଛି କ୍ଷତି ହେବନି । ବିଜେଡ଼ି ଉପରେ ମୋଦି ହାୱା ପଡ଼ିବ ନାହିଁ ବୋଲି ସର୍ଭେରେ କୁହାଯାଇଛି । ରିିପୋର୍ଟକୁ ବିଶ୍ୱାସ କରାଗଲେ ଏୟା ବୁଝାପଡୁଛି କି ଓଡ଼ିଶାରେ ନବୀନଙ୍କ ପ୍ରଭାବ ଓ ଲୋକପ୍ରିୟତା ଏତେ ଅଧିକ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଫିକା ପଡ଼ିଯିବେ ।
ସାଧାରଣ ନିର୍ବାଚନ ପାଇଁ ମଝିରେ ତିନି ମାସରୁ କମ ସମୟ । ଏଭଳି ସମୟରେ ଏଭଳି ଏକ ସର୍ଭେ ରିପୋର୍ଟ ରାଜ୍ୟ ରାଜନୀତିରେ ଉଷ୍ଣତା ଖେଳାଇଛି । ଅତୀତରେ ଏଭଳି କିଛି ସର୍ଭେ ରିପୋର୍ଟ ଭୁଲ୍ ପ୍ରମାଣିତ ହୋଇଥିଲେ ମଧ୍ୟ ଓଡ଼ିଶାରେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ବି ଶୀର୍ଷରେ ବୋଲି ନିକଟର ପ୍ରାୟ ସବୁ ଆକଳନରେ କୁହାଯାଇଛି । ଗତ ଅଗଷ୍ଟ ମାସରେ ଇଣ୍ଡିଆ ଟୁଡ଼େର ମୁଡ୍ ଅଫ ନେସନ୍ ପୋଲ୍ ରେ ଓଡ଼ିଶାରେ ନବୀନ ପଟ୍ଟନାୟକ ନମ୍ବର ୱାନ୍ ବୋଲି ଦର୍ଶାଯାଇଥିଲା । ଅକ୍ଟୋବର ମଧ୍ୟଭାଗରେ ସେଇ ଇଣ୍ଡିଆ ଟୁଡ଼େ ସର୍ଭେ ନବୀନ ପଟ୍ଟନାୟକଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ ବୋଲି ଦର୍ଶାଇଥିଲା । ନବୀନଙ୍କ ସପକ୍ଷରେ ୫୯ ପ୍ରତିଶତ ଜନସମର୍ଥନ ଦର୍ଶାଇଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷରେ୨୧ ପ୍ରତିଶତ ଜନସମର୍ଥନ ଦର୍ଶାଇଥିଲା । ବିଜେଡ଼ି ସରକାରଙ୍କ କାର୍ଯ୍ୟକ୍ରମ ଉପରେ ୪୪ ପ୍ରତିଶତ ଲୋକ ସନ୍ତୁଷ୍ଟ ଏବଂ ୧୯ ପ୍ରତିଶତ ଲୋକ ଅସନ୍ତୁଷ୍ଟ ବୋଲି ଦର୍ଶାଇଥିଲା ।
ଗତ ଅକ୍ଟୋବରରେ ଏବିପି ନିଉଜ୍- ସି ଭୋଟର ସଂସ୍ଥାର ସର୍ଭେ ରିପୋର୍ଟରେ ବିଜେପି ୧୩, ବିଜେଡ଼ି ୬ ଏବଂ କଂଗ୍ରେସ ୨ଟି ଆସନ ପାଇବ ବୋଲି ଦର୍ଶାଇଥିବା ବେଳେ ନଭେମ୍ବରରେ ଇଣ୍ଡିଆ ଟିଭି ଓପନିଅନ୍ କରିଥିବା ଓପନିଅନ୍ ପୋଲ୍ ରେ ବିଜେଡ଼ି ୧୬ ଲୋକସଭା ଆସନ ପାଇବ ବୋଲି ଆକଳନ କରିଥିଲା । ବିଜେପିକୁ ୫ ଟି ଆସନ ମିଳିପାରେ ବୋଲି କୁହାଯାଇଥିଲା ।
କିଛି ସର୍ଭେ ଆକଳନରେ ରାଜନୀତିର ଗନ୍ଧ ରହିଥିବା କୁହାଯାଉଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଶୀର୍ଷ ଲୋକପ୍ରିୟତା ଉପରେ ରାଜନୈତିକ ପଣ୍ଡିତମାନଙ୍କର ଦ୍ୱିମତ ନାହିଁ । ତାଙ୍କ ନେତୃତ୍ୱରେ ବିଜେଡ଼ି ପୁଣି ଥରେ କ୍ଷମତାକୁ ଫେରିବାରେ କେହି ଆଶ୍ଚର୍ଯ୍ୟ ନାହାନ୍ତି । ସେପଟେ ନିଜର ଲୋକପ୍ରିୟତାରେ ଭାସି ଯାଇନାହାନ୍ତି ନବୀନ । ପଞ୍ଚମ ଥର ପାଇଁ ଶାସନଗାଦି ରଖିବାକୁ ଫୁଲ ଦମ୍ ଖଟାଇଛନ୍ତି । ଭୋଟରଙ୍କ ମନକୁ ଛୁଇଁଲା ଭଳି ଗୁଡ଼ାଏ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ହାତ ଖୋଲି ଦେଇଛନ୍ତି । ନବୀନଙ୍କ ଲୋକପ୍ରିୟତା ଓ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ପୁଞ୍ଜି କରି ବିଜେଡ଼ି ଆଗକୁ ବଢ଼ୁଛି ।
ଅନ୍ୟପକ୍ଷରେ ବିଜେଡ଼ିକୁ ଗାଦିଚ୍ୟୁତ କରିବା ଉଦ୍ୟମରେ ବିରୋଧୀ ପଛରେ ନାହାନ୍ତି । ସରକାରଙ୍କ ବିଭିନ୍ନ ବିଫଳତାକୁ ଧରି ପ୍ରତିଦିନ ବିଜେପି ସରକାରଙ୍କୁ ଘେରୁଛି ଏବଂ ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଉଦ୍ୟମ ଚଳାଇଛି । ସେହିପରି ୧୯ ବର୍ଷ ଧରି କ୍ଷମତାରୁ ଦୂରରେ ଥିବା କଂଗ୍ରେସ ଆଭ୍ୟନ୍ତରୀଣ ଝାମେଲାରୁ ମୁକ୍ତ ହୋଇ ନ ଥିଲେ ମଧ୍ୟ ଶାସନଗାଦି ଅକ୍ତିଆର କରିବାକୁ ମନ ବଳାଇଛି । ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ଭଳି ବିଜେଡ଼ିରୁ ବିତାଡ଼ିତ ନେତାମାନେ ଏକାଠି ହୋଇପାରୁ ନ ଥିଲେ ମଧ୍ୟ ନବୀନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଉଣ୍ଡିଛନ୍ତି ।
Our CM our HERO