ଭୁବନେଶ୍ୱର: ଆଜିର ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ର ମୁଖ୍ୟ ଆକର୍ଷଣ ଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଦ୍ୱିତୀୟ ଅଧିବେସନ ବିଜିନେସ୍ ଲିଡରସିପ୍ ସମିଟ୍ ରେ ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ସମୟ ଅଭାବରୁ ସେହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ତେବେ ପ୍ଲିନାରି ସେସନ୍ ରେ ନିଜର ଅଭିଭାଷଣ ରଖିଥିଲେ ଅମ୍ବାନୀ ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ କୁ ଆମନ୍ତ୍ରିତ ହୋଇ ନିଜକୁ ଗୌରାବାନ୍ୱିତ ମନେ କରୁଥିବା ମୁକେଶ ଆରମ୍ଭରୁ କହିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କୁ ବିଶ୍ୱର ରକ୍ଷାକର୍ତ୍ତା କହି ପ୍ରଣାମ ଜଣାଇବା ପରେ ତାଙ୍କର ଭାଷଣ ଆରମ୍ଭ କରିଥିଲେ । ମୁକେଶ କହିଥିଲେ, ମୋ ବାପା ଧୀରୁଭାଈ ଅମ୍ବାନୀ ଏବଂ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ନିବିଡ଼ ବ୍ୟକ୍ତିଗତ ବନ୍ଧୁତା ଥିଲା । ଦୁନିଆରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି ଦୁହିଁଙ୍କର ସମାନ ଭାବନା ଥିଲା । ଏହା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଦେଉଥିଲା ।
ନବୀନଙ୍କୁ ପ୍ରଶଂସା: ମୁକେଶ କହିଥିଲେ, ଆଜି ଓଡ଼ିଶାର ବାର୍ଷିକ ଅଭିବୃଦ୍ଧି ହାର ୮ ପ୍ରତିଶତ । ଜାତୀୟ ହାର ଠାରୁ ଅଧିକ । ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ପୁଞ୍ଜିନିବେଶ ପାଇଁ ଓଡ଼ିଶା ଆଦର୍ଶ ସ୍ଥାନ ପାଲଟିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ କୁ ସେ ଅଭିନ୍ଦନ ଜଣାଇଥିଲେ ।
୩ ବର୍ଷରେ ୩୦୦୦କୋଟି ପୁଞ୍ଜିର ସଂକଳ୍ପ: ରିଲାଏନସ୍ ଏବଂ ଜିଓ ମେକ୍ ଇନ୍ ଓଡ଼ିଶାର ନିର୍ଭରଯୋଗ୍ୟ ପାର୍ଟନର । ନୂଆ ଓଡ଼ିଶା ଭିଜନ୍ ରେ ମଧ୍ୟ ଏମାନଙ୍କ ଯୋଗଦାନ ଅଛି । ଆଜି ଓଡ଼ିଶାରେ ରିଲାଏନସ୍ ସର୍ବବୃହତ୍ତ ଇନଭେଷ୍ଟର୍ ହୋଇପାରିଛି । ରିଲାଏନସ୍ ଓଡ଼ିଶାରେ ୬,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିଛି । ଆଜି ମୁଁ ସଂକଳ୍ପ କରୁଛି ଓଡ଼ିଶାରେ ଆଗାମୀ ୩ ବର୍ଷରେ ଅତିରିକ୍ତ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଜିଓ ନେଟୱାର୍କ ପ୍ରତିଷ୍ଠାରେ ଆମର ଅଧିକାଂଶ ଇନଭେଷ୍ଟମେଣ୍ଟ ରହୁଛି । ରିଲାଏନସ୍ ପାଇଁ ଜିଓ ଅନ୍ୟ ଏକ ବ୍ୟବସାୟ ନୁହେଁ । ଭାରତକୁ ବଦଳେଇବା କିମ୍ବା ଓଡ଼ିଶାକୁ ବଦଳେଇବା ପାଇଁ ଏହା ଏକ ମିଶନ୍ । ଜିଓ ନେଟୱାର୍କ ପ୍ରତିଷ୍ଠା ଜରିଆରେ ଆମେ ଓଡ଼ିଶାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୩୦ ହଜାରରୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ ବୋଲି ମୁକେଶ କହିଥିଲେ।
ଡିଜିଟାଲ୍ ଓଡ଼ିଶା: ଆଜି ଭାରତ ବିଶ୍ୱରେ ଏକ ଦ୍ରୁତ ଡିଜିଟାଇଜିଂ ଇକୋନମି ହୋଇପାରିଛି । ଆଉ ଜିଓ ଡିଜିଟାଲ୍ ଟ୍ରାନସଫରମେସନ୍ ର ନେତୃତ୍ୱ ନେଉଛି । ଓଡ଼ିଶାରେ ବିଶେଷକରି ଗ୍ରାମାଞ୍ଚଳରେ ଡିଜିଟାଲ୍ ଲାଇଫ୍ କୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ । ଓଡ଼ିଶାର ପ୍ରତି ସହର ଏବଂ ୪୩ ହଜାର ଗାଁରେ ଜିଓ ସଂଯୋଗ ହୋଇସାରିଲାଣି । ଓଡ଼ିଶାରେ ମୁଣ୍ଡ ପିଛା ଡାଟା ବ୍ୟବହାର ସମଗ୍ର ଦେଶରେ ସର୍ବାଧିକ । ଡିଜିଟାଲ୍ କ୍ଷେତ୍ରରେ ଓଡ଼ିଶାକୁ ଆହୁରି ଆଗକୁ ନେବାକୁ ଆମେ କାର୍ଯ୍ୟ କରୁଛୁ । ଓଡ଼ିଶାକୁ ଭାରତ ଓ ବିଶ୍ୱର ଉନ୍ନତ ଡିଜିଟାଲ୍ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଆମର ସଂକଳ୍ପ ଅଛି । ଆମେ ସମସ୍ତେ ମିଶି ଓଡ଼ିଶାରେ ନୂଆ ବିସ୍ମୟ ଗଢ଼ିବା । ଯାହା କୋଣାର୍କ ସୂର୍ଯ୍ୟମନ୍ଦିରକୁ ମ୍ୟାଚ୍ କରିବ ବୋଲି ମୁକେଶ କହିଥିଲେ ।