ଭୁବନେଶ୍ୱର: ଆସନ୍ତୁ, ଆପଣ ଏକ ୧୦ ବର୍ଷିଆ ଦୀର୍ଘମିଆଦୀ ଯୋଜନା କରନ୍ତୁ । ମୋ ସରକାରର ଡେଡିକେଟେଡ୍ ଟିମ୍ ଏହାର କାର୍ଯ୍ୟକାରିତାର ଦାୟିତ୍ୱ ସମ୍ଭାଳିବେ । ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ମୋ ସରକାର ସବୁ ପ୍ରକାର ସାହାଯ୍ୟ ସମର୍ଥନ ଯୋଗାଇ ଦେବ । ବୃହତ୍ତ ଇନମେଣ୍ଟମେଣ୍ଟ ସମିଟ୍ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ଶୁଭାରମ୍ଭ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ବିଦେଶରୁ ଆସିଥିବା ବିଶିଷ୍ଟ ଶିଳ୍ପପତିମାନଙ୍କୁ ଏଭଳି ଗ୍ୟାରେଣ୍ଟି ଦେଇଛନ୍ତି । ଓଡ଼ିଶାକୁ ବିକାଶ ପଥରେ ଆଗକୁ ନେଇ ଦକ୍ଷିଣ ଏସିଆର ମାନଫ୍ୟାକଚିରଂ ହବ୍ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଡ଼ିଶାର ବିକାଶର ଚିତ୍ର ଉପସ୍ଥାପନ କରିବା ସହ ଆଗାମୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ୨୦୨୫ କୁ ଆଖିରେ ରଖି ରାଜ୍ୟ ସରକାର ଶିଳ୍ପ ବିକାଶ ଯୋଜନା ପ୍ରସ୍ତୁତ କରିଛନ୍ତି । ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୬ ଟି ସେକ୍ଟରକୁ ଫୋକସ୍ କରାଯାଇ ୩୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରହିଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ୨୦୧୬ ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ର ପ୍ରଥମ ସଂସ୍କରଣ ସଫଳତା ଉଲ୍ଲେଖ କରିଥିଲେ । ସେଥିରେ ୧୨୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଥିଲା ଯାହାର ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା । ୧ ଲକ୍ଷ କର୍ମନିଯୁକ୍ତି ସୃଷ୍ଟିର ସୁଯୋଗ ସୃଷ୍ଟି କରିଥିଲା । ବର୍ତ୍ତମାନ ସୁଦ୍ଧା ଦୁଇ ତୃତୀୟାଂଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି । ଏହି ପୃଷ୍ଠଭୂମିରେ ପୁଞ୍ଜିନିବେଶକାରୀଙ୍କୁ ବିଶ୍ୱାସ ଦେବା ସହ ଓଡ଼ିଶାରେ ସୁଯୋଗର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ଓଡ଼ିଶାରେ ତାଙ୍କ ସରକାରଙ୍କ ଦ୍ୱାରା ବିକାଶ ରାସ୍ତାର ଲମ୍ବା ତାଲିକା ରଖିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ରାଜ୍ୟର ଇକୋ-ସିଷ୍ଟମ୍ ରୁ ଫାଇଦା ଉଠାଇ ପୁଞ୍ଜି ଆକର୍ଷଣ ପାଇଁ ଆମେ ପ୍ରୋଗେସିଭ୍ ଏରୋସ୍ପେସ୍ ଆଣ୍ଡ ଡିଫେନ୍ସ ମାନଫ୍ୟାକଚରିଂ ପଲିସି ଆରମ୍ଭ କରିଛୁ । ବନ୍ଦରମୁଖୀ ବିକାଶ ପାଇଁ ପୂର୍ବତଟ ଅର୍ଥନୈତିକ କରିଡରରେ ଗୁଡ଼ାଏ ବନ୍ଦର ପ୍ରତିଷ୍ଠା କରିବାକୁ ଯୋଜନା କରିଛୁ । ବିଶ୍ୱସ୍ତରୀୟ ଦକ୍ଷତା ହାସଲ ପାଇଁ ସ୍କିଲ୍-ଇନ୍-ଓଡ଼ିଶା ମିଶନ୍ ଆରମ୍ଭ କରିଛୁ । ଭୁବନେଶ୍ୱରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଖଞ୍ଜିତ ୧୮ ମହଲାର ୱାଲର୍ଡ ସ୍କିଲ୍ ସେଣ୍ଟର ସ୍ଥାପନ କରିଛୁ । ଉକ୍ତ ପ୍ରକଳ୍ପରେ ଆଗାମୀ ୪ ବର୍ଷରେ ଦେଢ଼ ଲକ୍ଷ ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଓଡ଼ିଶାର ଷ୍ଟାଟ୍ ଅପ୍ ପଲିସି ଦେଶର ଅନ୍ୟତମ ସର୍ବୋକୃଷ୍ଟ । ବିଗତ ୧୮ ମାସରେ ୩୧୦ ଷ୍ଟାଟ୍ ଅପସ୍ ପଂଜିକୃତ ହୋଇଛି ଏବଂ ୨୦୨୦ ସୁଦ୍ଧା ୧୦୦୦ ଷ୍ଟାଟ୍ ଅପ୍ ର ଲକ୍ଷ୍ୟ ରଖାଯାଇଛି । ଏମଏସ୍ଏମଇ ସେକ୍ଟରକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୨୦୧୪-୧୫ରୁ ୨ ଲକ୍ଷ ୨୫ ହଜାରରୁ ଅଧିକ ଏମଏସଏମଇ ଉତ୍ପାଦନ ଆରମ୍ଭ କରିଛନ୍ତି । ଏଥିରେ ୬ ଲକ୍ଷ ୭୦ ହଜାରରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇଛି । ଯୋଗଯୋଗ କ୍ଷେତ୍ରରେ ମଧ୍ୟ ବହୁ ଉନ୍ନତି ହୋଇଛି ।
କନକ୍ଲେଭ୍ ର ଉଦଘାଟନୀ ସମାରୋହରେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ କେନଜି ହିରାମସ୍ତୁ, ରିଲାଏନସ୍ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ, ଆଦିତ୍ୟ ବିରଳା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ୍, ଟାଟା ସନସ୍ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ୍, ଏକ୍ସନ୍ ମୋବାଇଲ୍ ର ୱିଲିୟମ୍ ପି.ଡାଭିସ୍, ନାଲକୋ ଅଧ୍ୟକ୍ଷ ଟି.କେ.ଚାନ୍ଦ, ହିଣ୍ଡାଲକୋ ସିଇଓ ସତୀଶ୍ ପାଇ, ଓୟୋ ରୁମସ୍ ସିଇଓ ରିତେଶ ଅଗ୍ରୱାଲ୍, ସେଲ୍ ର ଅନୀଲ କୁମାର, ଜେଏସଢବ୍ଲୁ ଗ୍ରୁପ୍ ଏମଡ଼ି ସଜ୍ଜନ ଜିନ୍ଦଲ୍, ଏସବିଆଇର ଅଧ୍ୟକ୍ଷ ରଜନୀଶ କୁମାର, ଆଇଟିସି ଏମଡି ସଞ୍ଜୀବ ପୁରି, ଜିନ୍ଦଲ ଷ୍ଟିଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ୍ ପ୍ରମୁଖ ଯୋଗଦେଇଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।