ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ୍
ଭୁବନେଶ୍ୱର: ଡାକ୍ତର ଦାମୋଦର ରାଉତ ବିଜେଡ଼ିରୁ ବହିଷ୍କୃତ ହେଲା ପରେ ତାଙ୍କ ଘରକୁ ଯାଇ ପ୍ରଥମେ ସଙ୍ଖୋଳିଥିଲେ ବୈଜୟନ୍ତ ପଣ୍ଡା । ମିଡ଼ିଆକୁ ଆସି ଦୁହେଁ ଦୁହିଁଙ୍କୁ ସମବେଦନା ଜଣାଇଥିଲେ । ଦାମ ଗଠନ କରୁଥିବା ନୂଆ ଦଳରେ ବୈଜୟନ୍ତଙ୍କୁ ନେବେ ବୋଲି କହି ବୁଲିଲେ । ସିଆଡେ ଦାମଙ୍କୁ ଓଡ଼ିଶା ବୁଲାଇବା ପାଇଁ ‘ଦାମ ରଥ‘ ତିଆରି କଲେ ବୈଜୟନ୍ତ । ତେବେ ଏତେ ସମ୍ପର୍କ ଭିତରେ ବି ବୈଜୟନ୍ତଙ୍କ ଅସଲ ଚେହେରା କ’ଣ ତାହା ମନଖୋଲି କହିଛନ୍ତି ଦାମ । ଏକ ନ୍ୟୁଜ୍ ପୋର୍ଟାଲ୍ ରେ ଭାଇରାଲ୍ ହୋଇଥିବା ଭିଡ଼ିଓରେ ବୈଜୟନ୍ତଙ୍କ ସମ୍ପର୍କରେ ବହୁ ଗୁମର ଖୋଲିଛନ୍ତି ସେ ।
ଦାମ କହିଛନ୍ତି, ବୈଜୟନ୍ତ ଜଣେ ବେପାରୀ । ବେପାରୀ ହେଲେ ଯାହା ଅବସ୍ଥା ହୁଏ । ତାଙ୍କର ପଲିଟିକାଲ୍ ଏଜେଣ୍ଡା ନାହିଁ ।
ସେ ବିଭିନ୍ନ ଜାଗାକୁ ପଇସା ଓ ଲୋକ ପଠାଇ ଚା ଖଟି କରୁଛନ୍ତି । ତାଙ୍କ ଚା ଖଟି ନେଇ ଆଗୁଆ ପ୍ରଚାର କରୁଥିବାରୁ ବିଜେପି ବାଲା ବି ଲୋକ ପଠାଉଛନ୍ତି । ତେବେ ତାହାର ପଲିଟିକାଲ୍ ଭାଲ୍ୟୁ କ’ଣ ବୋଲି ଦାମ ପ୍ରଶ୍ନ କରିଛନ୍ତି । ବୈଜୟନ୍ତଙ୍କ ଚା ଖଟି ଚାଲ୍ କୁ ତାଳଚେରରେ ବିଜେଡ଼ି ଟୋକା ଭଣ୍ଡୁର କରି ତାଙ୍କୁ ବେଜିତ୍ କଲେ । ବୈଜୟନ୍ତ ବୁଝିପାରୁନାହାନ୍ତି ।
ବାରିପଦା ସଭା ଉପରେ ଦାମ କହିଛନ୍ତି, ‘ବୈଜୟନ୍ତ ଓ ମୁଁ ବାଲେଶ୍ୱରରୁ ଏକାଠି ବାହାରିବାକୁ ସ୍ଥିର କରିଥିଲୁ । ତା ପୂର୍ବଦିନ ମୁଁ ବାଲେଶ୍ୱରରେ ରହିଲି । ବୈଜୟନ୍ତ ଦେବଗଡ଼ରୁ ବାଲେଶ୍ୱର ଆସି ଅନ୍ୟ ଏକ ହୋଟେଲରେ ରହିଲେ । ସକାଳୁ ଏକାଠି ବାହାରିବାକୁ ଥିଲେ ବି ସେ ଡେରି କଲେ । ମୁଁ ଆଗୁଆ ବାହାରିଗଲି । ବେତନଟୀରେ ପ୍ରାୟ ୪୫ ମିନିଟ୍ କାଳ ଅପେକ୍ଷା କଲା ପରେ ବି ବୈଜୟନ୍ତଙ୍କ ଦେଖା ମିଳିଲାନି । ତାଙ୍କ ସାଙ୍ଗରେ ଯାଇଥିବା ନବୀନ ନନ୍ଦଙ୍କୁ ଫୋନ୍ କଲାରୁ ସେ କହିଲେ, ବୈଜୟନ୍ତଙ୍କର ପେଟ ଖରାପ ଅଛି । ବାଲେଶ୍ୱରରୁ ୧୨ କିମି ଆସିଲା ପରେ ତାଙ୍କୁ ଝାଡା ଲାଗିବାରୁ ସେ ପୁଣି ଫେରିଯାଇଛନ୍ତି । ଝାଡା ସାରି ଆସୁଛନ୍ତି । ତେବେ ବାରିପଦା ପୂର୍ବରୁ ବି ତାଙ୍କୁ କିଛି ସମୟ ଅପେକ୍ଷା କଲୁ । ମାତ୍ର ସେ ଆସିଲେନି । ବୁଝୁ ବୁଝୁ ଜାଣିଲି ଯେ କୁଆଡ଼େ ନବୀନ ନନ୍ଦ ବାରିପଦାରେ ଡେରା ପକାଇ ତାଙ୍କ ପାଇଁ ଗୁଇନ୍ଦା ଗିରି କରୁଥିଲେ । ଅରୁଣ ସାହୁ ବାରିପଦାରେ ଦୁଇ ଦିନ ରହି ଟୋକା ସେଟ୍ କରିଛନ୍ତି । ସେମାନେ ମଞ୍ଚରେ ବୈଜୟନ୍ତଙ୍କୁ ତାଙ୍କର ୮୦୦ କୋଟି ଟଙ୍କା ବକେୟା ବିଜୁଳି ବିଲ୍ ର ହିସାବ ମାଗିବେ । ନବୀନ ନନ୍ଦଙ୍କଠାରୁ ଏ ସୂଚନା ପାଇ ବୈଜୟନ୍ତ ଡରିଗଲେ । ବାରିପଦା ଆସିଲେନି ।’
‘ଏମିତି ହେଲେ କେମିତି ହେବ । ଲୋକଙ୍କୁ ନିଜେ ସାମନା କଲେ ହେବ ନା!!’
ଦାମ କହିଛନ୍ତି, ମୁଁ ବୈଜୟନ୍ତଙ୍କ ସାଙ୍ଗରେ କେବେ କଥା ହୁଏନି । କାରଣ ସେ ସହଜରେ ଫୋନ୍ ରେ ମିଳନ୍ତିନି । ତାଙ୍କୁ ଟେଲିଫୋନ୍ ରେ କେହି ପାଆନ୍ତିନି । ଥରେ ବୈଜୟନ୍ତ କହୁଥିଲେ ଯେ ମୋଦୀଙ୍କ ସହ ନବୀନଙ୍କର ବୁଝାମଣା ହୋଇଛି ତାଙ୍କୁ ବିଜେପିରେ ନ ମିଶାଇ ଦେବାକୁ । ତେଣୁ ତାଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ । ଇଆଡ଼େ ବୈଜୟନ୍ତ ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ରିବେଟ୍ ନେଇଛନ୍ତି । ଆଉ ୪୦୦ କୋଟି ରିବେଟ୍ ପାଇବେ ବୋଲି ଆଶା ବାନ୍ଧିଛନ୍ତି । ସେତିକି ହାସଲ କରିବା ପାଇଁ ନଙ୍ଗ ପଙ୍ଗ ହେଉଛନ୍ତି । କ’ଣ କରାଯିବ? ସେ ବେପାରୀ ନା..
ବୈଜୟନ୍ତଙ୍କ ଉପରେ କଟୁକ୍ତି କରି ଦାମ ଏୟା ବି କହିଛନ୍ତି ଯେ.. ମୁଁ ଖଣ୍ଡାୟତ । ସେଥିପାଇଁ ନବୀନଙ୍କୁ ଆଟାକ୍ କରୁଛି । ହେଲେ ବୈଜୟନ୍ତ ପରା ବ୍ରାହ୍ମଣ ।