ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିରୋଧରେ ଧାନର ସହାୟକ ମୂଲ୍ୟ ବିଜେଡ଼ି ପାଇଁ ଆଉ ଏକ ରାଜନୈତିକ ପ୍ରସଙ୍ଗ ଆଣିଛି । ଆଜି ଦଳର ବ୍ରହ୍ମପୁର ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ଶାଣିତ କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ପାଇଁ କାନ୍ଦିଛନ୍ତି । କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଚାଷୀମାନେ ରାଜରାସ୍ତା ଆସିବାକୁ ଦଳର ନେତାମାନେ ଆହ୍ୱାନ ଦେଇଛନ୍ତି । ମହାନଦୀ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଆନ୍ଦୋଳନକୁ ବିଜେଡ଼ି ଉଜ୍ଜୀବିତ ରଖିଥିବା ବେଳେ ଧାନର ସହାୟକ ମୂଲ୍ୟ ପ୍ରସଙ୍ଗ ଏଥିରେ ଯୋଡିହୋଇଛି । ଆସନ୍ତାକାଲିଠାରୁ ନିଶ୍ଚିତ ଭାବେ ବିଜେଡ଼ି ରାଜଭବନଠାରୁ ଆରମ୍ଭ କରି ସବୁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଏଥିପାଇଁ ଆନ୍ଦୋଳନ କରିବ । ନରେନ୍ଦ୍ର ମୋଦି ସରକାରଙ୍କ ସାତ ପୁରୁଷ ଉଦ୍ଧାର କରିବ ।
ଦୁଇଦିନ ତଳେ ନବୀନଙ୍କୁ ଫୋନ୍ କରିଥିଲେ ମୋଦି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ପ୍ରତି ସମର୍ଥନ ମାଗିଥିଲେ । ମୋଦି ଫୋନ୍ କାଟୁ କାଟୁ ନବୀନ ଅତି ତତ୍ପରତାର ସହ କୋବିନ୍ଦଙ୍କୁ ବିଜେଡ଼ିର ସମର୍ଥନ ଘୋଷଣା କରିଥିଲେ । ଦଳିତ ପ୍ରାର୍ଥୀ କୋବିନ୍ଦଙ୍କୁ ସମର୍ଥନ ରାଜନୀତିର ଉଦ୍ଧ୍ୱର୍ରେ ବୋଲି ସଫେଇ ଦେଇଥିଲେ । ଖାଲି ସେତିକି ନୁହେଁ, ଗତଥର ବିଜେଡ଼ି ପ୍ରସ୍ତାବିତ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗମାଙ୍କୁ ଏନଡ଼ିଏ ସମର୍ଥନ ଦେଇଥିବା କହି ନବୀନ କୃତ୍ କୃତ୍ ହୋଇଥିଲେ । ପ୍ରଧାନମନ୍ତ୍ରୀ ସେଦିନ ସଂଧ୍ୟାରେ ସବୁ ବିରୋଧୀ ଦଳ ମୁଖ୍ୟଙ୍କୁ ଫୋନ୍ କରି ସମର୍ଥନ ମାଗିଥିଲେ । ମାତ୍ର ଆମ ମୁଖ୍ୟମନ୍ତ୍ରୀଙ୍କ ଛଡ଼ା କେହି ବି ତତ୍ପରତା ଦେଖାଇ ନ ଥିଲେ । ନୀତିଶ କୁମାରଙ୍କଠାରୁ ଆରମ୍ଭ କରି ମମତା ବାନାର୍ଜୀ ସମସ୍ତଙ୍କର ଅପେକ୍ଷା ଥିଲା । ରାଷ୍ଟ୍ରପତି ନିର୍ବାଚନର ରଣନୀତି ସମ୍ପର୍କରେ ମିଳିତ ବିରୋଧୀ ଦଳର ୨୨ ତାରିଖ ବୈଠକ ପର୍ଯ୍ୟନ୍ତ ଅପେକ୍ଷା ନ କରି ମୋଦି-ଅମିତ୍ ଶାହାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ନବୀନ ଯେଭଳି ବ୍ୟାକୁଳ ହେଲେ ତାହା ସ୍ୱାଭାବିକ ଭାବେ ବିଜେପି ପ୍ରତି ବିଜେଡ଼ିର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ଏ ପ୍ରସଙ୍ଗରେ ଦଳର ସାଂସଦ ତଥାଗତ ଶତପଥୀ ନିଜ ଖବରକାଗଜ ସମ୍ପାଦକୀୟରେ ବିଜେଡ଼ିକୁ ଲଙ୍ଗଳା କରିସାରିଛନ୍ତି ।
ନବୀନଙ୍କ ଦଳିତ ଆନୁଗତ୍ୟ ନୁହେଁ, ମୋଦି ଆନୁଗତ୍ୟକୁ ଏହା ଏକପ୍ରକାର ସ୍ପଷ୍ଟ କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଖାଲି ରାମନାଥ କୋବିନ୍ଦ ନୁହଁନ୍ତି, ଏନଡିଏ ଯାହାକୁ ବି ରାଷ୍ଟ୍ରପତି ପ୍ରାର୍ଥୀ କରିଥାନ୍ତା, ନବୀନ ତାଙ୍କୁ ସମର୍ଥନ ଦେଇଥାଆନ୍ତେ ବୋଲି ଯାହା ଅନୁମାନ କରାଯାଉଥିଲା ତାହା ବି ସତ୍ୟ ହୋଇଛି । ସଂଯୋଗକୁ ନବୀନଙ୍କ ପାଇଁ ଦଳିତ ଏକ ବାହାନା ହୋଇଯାଇଛି । ଉଲ୍ଲେଖଯୋଗ୍ୟ, ମୋଦି ସରକାରଙ୍କୁ କଥାରେ ଗାଳି କରୁଥିବା ବିଜେଡ଼ି ପାଇଁ ରାଷ୍ଟ୍ରପତି ନିର୍ବାଚନ ଏକ ପ୍ରମୁଖ ଅସ୍ତ୍ର ଥିଲା । ମାତ୍ର ମୋଦିଙ୍କୁ ଟକ୍କର ଦେବା ପାଇଁ ନବୀନ ସାହାସ କରିନାହାନ୍ତି । ଏଥିରେ କେଉଁ ରାଜନୈତିକ ବାଧ୍ୟବାଧକତା ରହିଛି ତାହା ଅବଶ୍ୟ ଓଡ଼ିଶାବାସୀଙ୍କୁ ଅଛପା ନାହିଁ ।
ମୋଦି ସରକାର ବା ବିଜେପି ସହ ବିଜେଡ଼ିର ସମୀକରଣ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ମୋଦି ବିରୋଧୀ ନାରାବାଜି କରି ଲୋକଙ୍କ ଭୋଟ ହାତେଇବାକୁ ବିଜେଡ଼ି ଉଦ୍ୟମ ଜାରି ରଖିଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଯାଏଁ ନବୀନଙ୍କ ବିଜୁ ଜନତା ଦଳ ମୋଦି ଓ ତାଙ୍କ ବିଜେପି ବିରୋଧରେ କମ୍ପମାନ କରୁଛନ୍ତି । ମୋଦିଙ୍କ ଚାଷୀମାରଣ ନୀତି ବଖାଣି ଚାଷୀଙ୍କ ସମବେଦନା ଗୋଟାଇବା ଉଦ୍ୟମ ହେଉଛି । ଏଥିରେ କେତେ ଦମ୍ ତାହା ଲୋକ ବୁଝିିସାରିଲେଣି । ଓଡ଼ିଶାର ହକ୍ ନୁହେଁ ବରଂ ଦଳର ସ୍ୱାର୍ଥ ଓ ସୁରକ୍ଷା ପାଇଁ ବିଜେଡ଼ି କାନ୍ଦୁଛି ବୋଲି ଲୋକଙ୍କ ଧାରଣା ଦୃଢ଼ୀଭୂତ ହେଲାଣି । ମମତା ବାନାର୍ଜୀଙ୍କଠାରୁ ବିଜେଡ଼ି ଜାତିପ୍ରୀତିର ସ୍ୱାଭିମାନ ଶିଖିବାକୁ ଲୋକେ କୁହାକୁହି ହେଉଛନ୍ତି ।