ନୂଆଦିଲ୍ଲୀ: ୟୁପିଏ ନେତୃତ୍ୱାଧୀନ ମିଳିତ ବିେରୋଧୀ ଦଳ ଶ୍ରୀମତୀ ମୀରା କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ପରେ ଜାତୀୟ ରାଜନୀତି ସରଗରମ ହୋଇଛି । ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସହ ମୀରା କୁମାର ଲଢ଼େଇ କରିବେ । ସଂଖ୍ୟା ଦୃଷ୍ଟିରୁ ରାମନାଥଙ୍କ ବିଜୟ ନିଶ୍ଚିତ ହୋଇଥିଲେ ମଧ୍ୟ ଏନଡିଏ ଦଳିତ କାର୍ଡର ରାଜନୈତିକ ମୁକାବିଲା କରିବାକୁ ୟୁପିଏ ସମର୍ଥ ହୋଇଛି ।
ଭାରତ ବର୍ଷର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବର୍ଷିୟାନ୍ ଦଳିତ କଂଗ୍ରେସ ନେତା ସ୍ୱର୍ଗତ ଜଗଜ୍ଜୀବନ ରାମଙ୍କ ଝିଅ ହେଉଛନ୍ତି ମୀରା କୁମାର । ଆଇଏଏସ୍ ଚାକିରି ଛାଡ଼ି ବାପାଙ୍କ ପଦାଙ୍କ ଅନୁସରଣ କରିଥିବା ମୀରା ୧୯୮୫ ରୁ ଏ ପର୍ଯ୍ୟନ୍ତ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ମନମୋହନ ସିଂଙ୍କ ପ୍ରଥମ ସରକାରରେ ସେ ଥିଲେ ମହିଳା କଲ୍ୟାଣ ଏବଂ ସାମାଜିକ ନ୍ୟାୟ ମନ୍ତ୍ରୀ । ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଲୋକସଭାର ବାଚସ୍ପତି ଥିଲେ । ଦଳିତ ବର୍ଗର ପ୍ରତିନିଧିତ୍ୱ କରୁଥିବା ମୀରାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମିଳିତ ବିରୋଧୀ ଦଳ ଉଚିତ୍ ଚାଲ୍ ଖେଳିଛନ୍ତି । ଯୋଗ୍ୟତାର ମାପକାଠିରେ ରାମନାଥଙ୍କଠାରୁ ମୀରା କାହିଁ କେତେଗୁଣା ଯୋଗ୍ୟ । ମାତ୍ର ରାଜନୀତି ଖେଳରେ ରାମନାଥ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ହେବାକୁ ଯାଉଛନ୍ତି ।
ମୀରା କୁମାରଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ରାମନାଥଙ୍କୁ ସମର୍ଥନ ଘୋଷଣା କରିଥିବା ବିଜେଡ଼ି ଓ ଜେଡ଼ିୟୁ ଭଳି ଆଞ୍ଚଳିକ ଦଳ ଅଡୁଆରେ ପଡ଼ିଛନ୍ତି । ନବୀନ ପଟ୍ଟନାୟକ ଯେଉଁ ବିଚାରରେ ରାମନାଥଙ୍କୁ ସମର୍ଥନ ଘୋଷଣା କଲେ ମୀରା କୁମାରଙ୍କ କ୍ଷେତ୍ରରେ ସେହି ଆଭିମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସତ ଯେ ଏନଡିଏ ରାମନାଥଙ୍କ ନାଁ ଘୋଷଣା କଲା ପରେ ବିରୋଧୀ ଦଳ ମୀରା କୁମାରଙ୍କୁ ପ୍ରାର୍ଥୀ କରିବେ ବୋଲି ଜଣାଥିଲା । ତେଣୁ ନବୀନ ଅତର୍ଚ୍ଛିଆ ହୋଇ ରାମନାଥଙ୍କୁ ବିଜେଡ଼ିର ସମର୍ଥନ ଘୋଷଣା କରି ବିଜେପି ପ୍ରତି ତାଙ୍କର ଦିଲ୍ ଦେଖାଇଥିଲେ । ମୋଦି ସରକାରଙ୍କ ପ୍ରତି ନବୀନଙ୍କର ଦୁର୍ବଳତାକୁ ଏହା ସ୍ପଷ୍ଟ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି ।
ସେପଟେ ନୀତିଶ କୁମାରଙ୍କର ବି ମୋଦି ପ୍ରୀତି ଧରାପଡ଼ିଛି । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ନ କରି ତାଙ୍କ ଜେଡ଼ିୟୁ ରାମନାଥଙ୍କ ପ୍ରତି ସମର୍ଥନ ଘୋଷଣା କରିଛି । ଜଣେ ଦଳିତ ଏବଂ ନିଜ ରାଜ୍ୟ ବିହାରର ରାଜ୍ୟପାଳ ହୋଇଥିବାରୁ ରାମନାଥଙ୍କୁ ସମର୍ଥନ କଲେ ବୋଲି ତାଙ୍କର ଯୁକ୍ତି କିନ୍ତୁ ଦୁର୍ବଳ ହୋଇଯାଇଛି । ମୀରା କୁମାର ଜଣେ ଦଳିତ ଏବଂ ଖାସ୍ ତାଙ୍କ ରାଜ୍ୟ ବିହାରର ବାସିନ୍ଦା ହୋଇଥିବାରୁ ନୀତିଶ କୁମାରଙ୍କର ଅକଲ ଗୁଡୁମ୍ ହୋଇଛି । ମୋଦିଙ୍କ ପାଇଁ ତାଙ୍କ ଆନ୍ତରିକତା ଧରାପଡ଼ିଯାଇଛି ।