ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ ଥିଲା ଡାକ୍ତର ନିଯୁକ୍ତି ପାଇଁ ମାନୁଆଲ୍ କାଉନସେଲିଂ ବନ୍ଦ କରିବାକୁ । ହେଲେ ଅଫିସରଙ୍କ ଜିଦ୍ ଭୁବନେଶ୍ୱରକୁ ଡାକି ସେମାନଙ୍କୁ କାଉନସେଲିଂ କରାଯିବ । ଆଉ ସେୟା ହିଁ ହେଲା । ଓପିଏସସି ଦ୍ୱାରା ମନୋନୀତ ୫୭୫ ଡାକ୍ତରଙ୍କ କାଉନସେଲିଂ ଆସନ୍ତା ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ଯୁଗ୍ମ ସଚିବଙ୍କ ଦସ୍ତଖତରେ ବିଭାଗ ପକ୍ଷରୁ ଚିଠି ହୋଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର କନଫରେନ୍ସ ହଲରେ ୫ ଦିନ ଧରି ନିଯୁକ୍ତିପ୍ରାପ୍ତ ଡାକ୍ତରଙ୍କୁ ପର୍ଯ୍ୟାୟକ୍ରମେ କାଉନସେଲିଂ କରାଯିବ । କିଏ କେଉଁ ଜାଗାରେ ପୋଷ୍ଟିଂ ହେବେ ସେଠାରେ ନିଷ୍ପତ୍ତି ହେବ ।
ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତାପ ଜେନା ବିଭାଗୀୟ ଅଫିସରଙ୍କ ସହ ଆଲୋଚନା ବେଳେ ରାଜ୍ୟରେ ଖାଲିପଡ଼ିଥିବା ଡାକ୍ତର ପଦବୀ ଓ ଏହାର ପୂରଣ ଉପରେ ବିଚାର ଆଲୋଚନା କରିଥିଲେ । ଡାକ୍ତର ପଦବୀ ପୂରଣର ପ୍ରକ୍ରିୟା ଜାଣିବାକୁ ଚାହିଁଥିଲେ । ଅଫିସରମାନେ ତାଙ୍କୁ ସେମାନଙ୍କ ଯେଝା ବାଟରେ ସେହି ପ୍ରକ୍ରିୟାକୁ ବୁଝାଇଥିଲେ । ଓପିଏସସି ଦ୍ୱାରା ମନୋନୀତି ଡାକ୍ତରଙ୍କୁ କାଉନସେଲିଂ କରାଯାଇ ଖୁବ୍ ଶୀଘ୍ର ନିଯୁକ୍ତି ଦେବାର ଯୋଜନା ରହିଥିବା ମନ୍ତ୍ରୀଙ୍କୁ ଜଣାଇଥିଲେ । ତେବେ ମନ୍ତ୍ରୀ ଏହି ପ୍ରକ୍ରିୟାକୁ ଗ୍ରହଣ କରି ନ ଥିଲେ । ଆଜିକାର ହାଇଟେକ୍ ଅନଲାଇନ୍ ଯୁଗରେ ଦୂରଦୂରାନ୍ତରୁ ଡାକ୍ତରଙ୍କୁ ଭୁବନେଶ୍ୱର ଡାକି କାଉନସେଲିଂ କରିବାର ଆବଶ୍ୟକତା କ’ଣ ବୋଲି ସେ ପ୍ରଶ୍ନ କରିଥିଲେ । ଅଯଥାରେ ସେମାନଙ୍କୁ ଖର୍ଚ୍ଚାନ୍ତ ଓ ହଇରାଣ ନ କରି ଅନଲାଇନରେ ପୋଷ୍ଟିଂ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ମାତ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରିବାକୁ ସାହାସ କରିଛନ୍ତି ତାଙ୍କ ଅଫିସର । ଓପିଏସସି ଦ୍ୱାରା ମନୋନୀତ ୫୭୫ ଡାକ୍ତରଙ୍କୁ ଭୁବନେଶ୍ୱର ଡକାଇ କାଉନସେଲିଂ ପାଇଁ ଅଫିସରମାନେ ନିଷ୍ପତ୍ତି ଦେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗତକାଲି(୨୨ ତାରିଖରେ) ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଏଥିରୁ ସ୍ପଷ୍ଟ ଯେ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଫିସରମାନେ ବାସିରେ ଖାତିର କରିବାକୁ ଚାହିଁନାହାନ୍ତି । ସବୁଠାରୁ ବଡ଼କଥା ହେଉଛି ଖୋଦ୍ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରି ଡାକ୍ତରମାନଙ୍କୁ ଭୁବନେଶ୍ୱର ଡାକି କାଉନସେଲିଂ କରିବା ପଛରେ କ’ଣ ଉଦ୍ଦେଶ୍ୟ ? ଏଥିରେ ହାତ ଚିକ୍କଣର ବାଟ ଥାଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗର ତଳିଆ ମହଲରେ ଆଲୋଚନା ହେଉଛି ।
Physical councelling is much better and transparemt. It also rmoves red tapisim and back door posting to willful places