ଭୁୁବନେଶ୍ୱର: କନ୍ଧମାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ିବେ ଖାରବେଳ ସ୍ୱାଇଁ । ବିଜେପି ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା ଛିଣ୍ଡିଲା ପରେ ରାତି ଅଧରେ ଏହା ଚୂଡ଼ାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଆଜି ଖାରବେଳ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗେଦେଇ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ । ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଲଢ଼ିବେ ବିଜେପିର ଏହି ପୂର୍ବତନ ସାଂସଦ ଖାରବେଳ ।
ଅତୀତରେ ଧର୍ମେନ୍ଦ୍ର ପ୍ରଧନଙ୍କ ସହ ତାଙ୍କର ମନୋମାଳିନ୍ୟ କାରଣରୁ ସେ ବିଜେପିରୁ ଇସ୍ତଫା ଦେଇ ‘ଉତ୍କଳ ଭାରତ’ ଦଳ ଗଠନ କରିଥିଲେ । ୨୦୧୪ ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଓଡ଼ିଶା ଦଳ ସହ ବୁଝାମଣା କରି ନିର୍ବାଚନ ଲଢ଼ିଥିଲେ । ‘ଉତ୍କଳ ଭାରତ’ ଦଳ ଜରିଆରେ ରାଜନୀତିରେ ତିଷ୍ଠିବା ଅସମ୍ଭବ ବୋଲି ସେ ବୁଝି ଯାଇଥିଲେ । ସେପଟେ ବିଜେପିକୁ ତାଙ୍କୁ ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡା ଓ ଅନ୍ୟମାନେ ଲାଗିପଡ଼ିଥିଲେ । ଖାରବେଳ ବିଜେପି ଫେରିବାକୁ ଆଗ୍ରହୀ ହୋଇଥିଲେ ମଧ୍ୟ କିଛି ସର୍ତ୍ତ ରଖିଥିଲେ । ତେବେ ସେହି ସର୍ତ୍ତ କ’ଣ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଖାରବେଳ ବିଜେପିକୁ ଫେରି କନ୍ଧମାଳ ଆସନରୁ ପ୍ରାର୍ଥୀ ହେବାକୁ ରାଜି ହୋଇଛନ୍ତି ।