ଭୁବନେଶ୍ୱର: ବରଗଡ଼ ଲୋକସଭା ଆସନ ପ୍ରାର୍ଥୀତ୍ୱରୁ ବଞ୍ଚିତ ସୁବାସ ଚୌହାନ୍ ତାଙ୍କ ମନ ଖୋଲିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଷ ଓଗାଳିବା ସହ ତାଙ୍କୁ ଚାଲେଞ୍ଜ ଦେଇଛନ୍ତି । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ସହ ନିର୍ବାଚନ ଲଢ଼ିଥିଲେ ତାଙ୍କ ଦମ୍ ଜଣାପଡ଼ିଥାଆନ୍ତା ବୋଲି ସୁବାସ ଜଣାଇ ଦେଇଛନ୍ତି । ଏକ ମୋବାଇଲ୍ ମେସେଜ୍ ରେ ସୁବାସ ଲେଖିଛନ୍ତି ଯେ ବିଜେପୁରରେ ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ରବାବୁଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲି । କିନ୍ତୁ ସେଥିପାଇଁ ମତେ ଭୟଙ୍କର ଅପମାନ ଓ ଧମକ ମିଳିଛି । ମୁଁ ମୋ ସମ୍ମାନ ରକ୍ଷା କରି ଦଳର ସମସ୍ତ ପଦପଦବୀରୁ ମତେ ଅବ୍ୟାହତି ଦେବାକୁ ଦଳର ସଭାପତିଙ୍କୁ ଜଣାଇ ଦେଇଛି । ଏଥର କୌଣସି ନିର୍ବାଚନ ଲଢ଼ିବି ନାହିଁ ।
ଶ୍ରୀ ଚୌହାନ୍ ଦର୍ଶାଇଛନ୍ତି.. ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି । ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ପାଇଥିଲି । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତର ୫ ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ଜନତାଙ୍କ ସୁଖ ଦୁଃଖର ସାଥୀ ହେଲି । ବିଜେପିକୁ ଅକୁଣ୍ଠ ସମର୍ଥନ ଦେବା ପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକେଟ କାଟି ଦିଆଗଲା । ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପତିକ୍ରିୟା ତଥା ସମାଲୋଚନା ହେଲା । ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତ୍ତା ତଥା ଜନତାଙ୍କୁ ଧମକଚମକ ଦେଲେ ।
ଯାହା ବି ହେଉ, ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦିଆଗଲା ଏବଂ ବିଜେପୁର ବିଧାନସଭା ଲଢ଼ିବା ପାଇଁ ନିଦେ୍ର୍ଦଶ ଦିଆଗଲା । କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି । ହେଲେ ମତେ ସେଥିପାଇଁ ଭୟଙ୍କର ଅପମାନ ଓ ଧମକ ମିଳିଲା ।
ସୁବାସ ଚୌହାନ୍ ତାଙ୍କ ମୋବାଇଲ୍ ରୁ ହ୍ୱାଟସ୍ ଅପ ମେସେଜ୍ ରେ ଏସବୁ ଲେଖିଥିଲେ ମଧ୍ୟ ଗଣମାଧ୍ୟମ ସାମନାକୁ ଆସିନାହାନ୍ତି । ଖୁବ୍ ଶୀଘ୍ର ସେ ଗଣମାଧ୍ୟମ ସାମନାକୁ ଆସି ମୁହଁ ଖୋଲିବେ ବୋଲି ତାଙ୍କ ସମର୍ଥକମାନଙ୍କ ସୂତ୍ରରୁ ଜଣାପଡ଼ିଛି । ଧର୍ମେନ୍ଦ୍ରଙ୍କ ଦ୍ୱାରା ଅପମାନିତ ହୋଇଥିବା ସୁବାସ ଦଳ ଛାଡ଼ିଦେବା ପାଇଁ ତାଙ୍କର ବହୁ ସମର୍ଥକ ଜିଦ୍ ଧରିଛନ୍ତି । ତେବେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ ଥିବାରୁ ସୁବାସଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଜଣାପଡ଼ିନାହିଁ ।
ସମର୍ଥକମାନଙ୍କ କହିବାନୁଯାୟୀ, ଗତଥର ମଧ୍ୟ ବରଗଡ଼ରୁ ସୁବାସ ଚୌହାନ୍ ଙ୍କ ଟିକେଟ କାଟିବା ପାଇଁ ଧର୍ମେନ୍ଦ୍ର ଜାଲ ବିଛାଇଥିଲେ । ମାତ୍ର ତାହା ସଫଳ ହୋଇ ନ ଥିଲା । ଶେଷ ମୁହୁର୍ତ୍ତରେ ସୁବାସ ଟିକେଟ ନେଇ ଆସିଥିଲେ । ତେବେ ଏଥର ତାଙ୍କୁ ଟିକେଟରୁ ବଞ୍ଚିତ କରିବା ପାଇଁ ଧର୍ମେନ୍ଦ୍ର ତାଙ୍କ ଯୋଜନାରେ ସଫଳ ହୋଇଛନ୍ତି । ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସୁବାସଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି ।