ଭୁବନେଶ୍ୱର: ସେୟା ହେଲା । ବିଜେପିକୁ ଫେରି କନ୍ଧମାଳରୁ ପ୍ରାର୍ଥୀ ହୋଇଛନ୍ତି ଖାରବେଳ ସ୍ୱାଇଁ । ଯେଉଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ଦଳ ଛାଡ଼ିଥିଲେ ସେହି ଧର୍ମେନ୍ଦ୍ରଙ୍କ ହାତରୁ ଗାମୁଛା ଓ ଫୁଲତୋଡ଼ା ପାଇ ବିଜେପିକୁ ଫେରି ଆସିଛନ୍ତି । କିଛି ଦିନ ତଳେ ଖାରବେଳ ତାଙ୍କ ଉତ୍କଳ ଭାରତ ପାଇଁ ସର୍ବସାଧାରଣଙ୍କଠାରୁ ପାଣ୍ଠି ସଂଗ୍ରହର ଅପିଲ୍ କରିଥିଲେ । ଯଦି ପାଣ୍ଠି ସଂଗ୍ରହ କରିଥାଆନ୍ତି ଏବେ ଦାତାଙ୍କୁ ଫେରାଇବାକୁ ପଡ଼ିବ ।
ଗତକାଲି ବିଜେପିରେ ଯୋଗଦେଇଥିବା ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ । ପ୍ରକାଶ ବିଜେପିରେ ଯୋଗଦେଇ କଟକରୁ ପ୍ରାର୍ଥୀ ହେବେ ବୋଲି ଦୁଇମାସ ହେଲା ଚର୍ଚ୍ଚା ହେଉଥିଲା । ତାହା ସତ୍ୟ ହୋଇଛି । କନ୍ଧମାଳ ଓ କଟକ ଲୋକସଭା ଆସନ ସମେତ ୯ଟି ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ହୋଇଛି ।
ବିଜେଡ଼ି ରାଜ୍ୟସଭା ସାଂସଦ ତଥା ବିଜେଡ଼ି ଷ୍ଟାର ପ୍ରଚାରକ ନିଯୁକ୍ତି ପାଇଥିବା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବେଗୁନିଆରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ବିଜେଡ଼ିରୁ ଟିକେଟ ପାଇବା ପାଇଁ ରିଷଭ ଆଶା କରିଥିଲେ । ହେଲେ ସିଗନାଲ୍ ନ ମିଳିବାରୁ କୁଆଡ଼େ ବାପାଙ୍କ ସମ୍ମତିରେ ବିଜେପିରେ ମିଶିଯାଇଥିଲେ । ବାପା ବିଜେଡ଼ିରେ ରହି ସାଂସଦ ମଜା ନେଉଥିବା ବେଳେ ପୁଅକୁ ବିଜେପି ଟିକେଟରେ ବିଧାୟକ କରି ଆଣିବାକୁ ଚାହିଁଛନ୍ତି । ପରଦା ଅଭିନୟରେ ପୋଖତ ପ୍ରଶାନ୍ତ ନନ୍ଦ ରାଜନୀତି ମଇଦାନରେ ବି ତାଙ୍କ ଅଭିନୟର ପରାକାଷ୍ଠା ଦେଖାଇଛନ୍ତି ।
ରିଷଭଙ୍କ ସମେତ ୬ ଜଣ ନୂଆ ମୁହଁଙ୍କୁ ବିଜେପି ଟିକେଟ୍ ମିଳିଛି । ସେମାନେ ହେଲେ ଝାରସୁଗୁଡ଼ାରୁ ଦୀନେଶ ଜୈନ, ପାରାଦ୍ୱୀପରୁ ସମ୍ପଦ ସ୍ୱାଇଁ, ଜୟଦେବରୁ ନରେନ୍ଦ୍ର ନାୟକ, ଫୁଲବାଣୀରୁ ଦେବନାରାୟଣ ପ୍ରଧାନ ଏବଂ ଜଟଣୀରୁ ବିଶ୍ୱରଞ୍ଜନ ବଡ଼ଜେନା । ଜଟଣୀରୁ ଗତଥର ପ୍ରାର୍ଥୀ ତଥା ଦଳର ଟାଣୁଆ ନେତା ସୁଦୀପ୍ତ ରାୟଙ୍କୁ ବସାଇ ଦିଆଯାଇ ତାଙ୍କ ସ୍ଥାନରେ ବଡ଼ଜେନାଙ୍କୁ ପ୍ରାର୍ଥୀ କରାଯାଇଛି ।
ଭଦ୍ରକରୁ ଗତଥରର ପ୍ରାର୍ଥୀ ଡ. ପ୍ରଦୀପ ନାୟକ ପୁଣିଥରେ ପ୍ରାର୍ଥୀ ହୋଇଥିବା ବେଳେ ଭଣ୍ଡାରୀପୋଖରରୀୁ ବଦ୍ରିନାରାୟଣ ଧଳ ଏବଂ ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ।
ଏଥିସହ ବର୍ତ୍ତମାନ ସୁଦ୍ଧା ୧୭ଟି ଲୋକସଭା ଏବଂ ୧୩୦ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି ।
ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଲୋକସଭା ପ୍ରାର୍ଥୀ
କନ୍ଧମାଳ- ଖାରବେଳ ସ୍ୱାଇଁ
କଟକ- ପ୍ରକାଶ ମିଶ୍ର
ବିଧାନସଭା ପ୍ରାର୍ଥୀ
ଝାରସୁଗୁଡ଼ା- ଦୀନେଶ ଜୈନ
ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର
ଭଣ୍ଡାରିପୋଖରୀ- ବଦ୍ରିନାରାୟଣ ଧଳ
ଭଦ୍ରକ- ଡ. ପ୍ରଦାପ ନାୟକ
ପାରାଦ୍ୱୀପ- ସମ୍ପଦ ସ୍ୱାଇଁ
ବେଗୁନିଆ- ରିଷଭ ନନ୍ଦ
ଜୟଦେବ- ନରେନ୍ଦ୍ର ନାୟକ
ଫୁଲବାଣୀ- ଦେବନାରାୟଣ ପ୍ରଧାନ
ଜଟଣୀ- ବିଶ୍ୱରଞ୍ଜନ ବଡ଼ଜେନା