କନ୍ଧମାଳ: କନ୍ଧମାଳ ଲୋକସଭା ଆସନର ବିଜେଡ଼ି ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଆଜି ମନୋନୟନ ପତ୍ର ଦାଖଲ କରିଛନ୍ତି । ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କ ନିକଟରେ ସେ ତାଙ୍କର ମନୋନୟନ ପତ୍ର ଦାଖଲ କରିଛନ୍ତି । ବିଜେଡ଼ିର ଜିଲ୍ଲା ଓ ତୃଣମୂଳସ୍ତରର କର୍ମକର୍ତ୍ତା, ଶତାଧିକ କର୍ମୀ ତଥା ସ୍ଥାନୀୟ ଅଞ୍ଚଳବାସୀ ପ୍ରାର୍ଥୀପତ୍ର ଦାଖଲ ସମୟରେ ଜିଲ୍ଲାପାଳଙ୍କ ଅଫିସଠାରେ ଉପସ୍ଥିତ ଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡ. ସାମନ୍ତଙ୍କ ପ୍ରାର୍ଥୀତ୍ୱକୁ ପ୍ରଥମରୁ ବିରୋଧ କରିଥିବା କନ୍ଧମାଳ ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ ଆଜି ଡ. ସାମନ୍ତଙ୍କ ସମର୍ଥନରେ ବାହାରିଥିଲେ । ପ୍ରାର୍ଥୀପତ୍ର ଦାଖଲ ବେଳେ ସେ ଡ. ସାମନ୍ତଙ୍କ ସାଙ୍ଗରେ ଉପସ୍ଥିତ ଥିଲେ । ଆଜି ପ୍ରାର୍ଥୀପତ୍ର ଦାଖଲ ସମୟରେ କନ୍ଧମାଳ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ କର୍ମୀମାନେ ଉତ୍ସବ ମନାଇବାର ଦେଖିବାକୁ ମିଳିଥିଲା ।