ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଆଜିର ତମାଣ୍ଡୋ ଭାଷଣକୁ ନେଇ ସବୁଆଡ଼େ ଚର୍ଚ୍ଚା । ରାହୁଲ ଚମତ୍କାର ଶୈଳୀରେ ମୋଦି ଓ ନବୀନଙ୍କ ସମ୍ପର୍କ ବଖାଣିଲେ । ଦୁହିଁଙ୍କ ବିଚାରଧାରା ସମାନ ବୋଲି ଦର୍ଶାଇ କଟୁ ଆକ୍ଷେପ କଲେ । ମୋଦିଙ୍କୁ ସବୁଦିନ ଗାଳି କରୁଥିବା ରାହୁଲ ପ୍ରଥମ ଥର ପାଇଁ ମୋଦିଙ୍କୁ ସାଙ୍ଗରେ ମିଶାଇ ନବୀନଙ୍କୁ ପ୍ରବଳ ବର୍ଷିଲେ । ଓଡ଼ିଶାରେ ଖଣି, ଚିଟଫଣ୍ଡ ଦୁର୍ନୀତି କଥା ଉଠାଇଲେ । ନବୀନ ସରକାରଙ୍କୁ ଭ୍ରଷ୍ଟାଚାର ସରକାର ବୋଲି କହିଲେ । ନବୀନଙ୍କ ଓଡ଼ିଶାବାସୀଙ୍କୁ ତାଙ୍କର ଆହ୍ୱାନ ଥିଲା, କେନ୍ଦ୍ରରେ ବିଜେପି ସରକାରକୁ ହଟାଓ ଏବଂ ରାଜ୍ୟରେ ବିଜେଡ଼ି ସରକାରକୁ ହଟାଓ । କଂଗ୍ରେସ ହିଁ ଏକ ସୁସ୍ଥ ଓ କଳଙ୍କମୁକ୍ତ ଶାସନ ଦେବ ବୋଲି ବିଶ୍ୱାସ ଦେଲେ । କ୍ଷମତାକୁ ଆସିଲେ ୧୦ ଦିନ ଭିତରେ କୃଷି ଋଣ ଛାଡ଼ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ମାଗିଲେ ।
ମୋଟାମୋଟି ରାହୁଲଙ୍କ ଆଜିର ଭାଷଣରେ ରାଜନୈତିକ ପରିପକ୍ୱତା ବେଶ୍ ବାରି ହୋଇପଡ଼ିଥିଲା । ଓଡ଼ିଶାରେ କଂଗ୍ରେସକୁ ଦହନୀୟ ସ୍ଥିତିରୁ ଉଦ୍ଧାର କରିବା ପାଇଁ ରାହୁଲ ନୂଆ ରଣନୀତି ଧରିଥିଲେ । ଦୀର୍ଘ ୧୯ ବର୍ଷ ହେଲା ଓଡ଼ିଶାରେ ହଜିଯାଇଥିବା କଂଗ୍ରେସକୁ ଉଦ୍ଧାର କରିବାକୁ ନବୀନ ହିଁ ଏକମାତ୍ର ଅସ୍ତ୍ର ବୋଲି ବୋଧହୁଏ ଡେରିରେ ବୁଝିଲେ । ସେଥିପାଇଁ ନବୀନଙ୍କୁ ଶାଣିତ ଆକ୍ରମଣ କଲେ । ପୂର୍ବରୁ ଜାତୀୟସ୍ତରର କୌଣସି କଂଗ୍ରେସ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ଏଭଳି କହି ନ ଥିଲେ । ରାହୁଲ ପ୍ରଥମ ନଜିର ସୃଷ୍ଟି କଲେ । କଂଗ୍ରେସ ନେତୃତ୍ୱରେ ସମ୍ଭାବ୍ୟ ମହାମେଣ୍ଟ ବିଫଳ ହେବା ପରେ ରାହୁଲ ଏହି ରଣନୀତି ଆପଣେଇଥିବା କୁହାଯାଉଛି ।
ରାହୁଲଙ୍କ ଭାଷଣ ଆଜି କଂଗ୍ରେସ କର୍ମୀଙ୍କୁ ବେଶ୍ ଉତ୍ସାହିତ କରିଛି । ସବୁଠାରୁ ବେଶୀ ଆନନ୍ଦିତ ହୋଇଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ । ରାହୁଲଙ୍କଠାରୁ ସେ ଆଜି ଭଲ ସାର୍ଟିଫିକେଟ୍ ପାଇଛନ୍ତି । ଏମିତିରେ ସେ ଭାବିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ସେ ହେବେ ମୁଖ୍ୟମନ୍ତ୍ରୀ । ଏହି ସ୍ୱପ୍ନ ତାଙ୍କୁ ଆହୁରି ବିଭୋର କରିଛି । ସବୁଠାରୁ କୌତୁହଳର କଥା, ରାହୁଲ ତାଙ୍କ ଭାଷଣରେ ଓଡ଼ିଶାର ଖଣି ଦୁର୍ନୀତି କଥା ଉଠାଇଥିଲେ । ତେବେ ଖଣି ଦୁର୍ନୀତିରେ ନିରଞ୍ଜନ ପଟ୍ଟନାୟକ ମହାନାୟକ ବୋଲି ନିକଟରେ ତାଙ୍କ ଦଳରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନା କହି ଆସୁଛନ୍ତି । ଖଣି ଚୋରି କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ୬୦୦ କୋଟି ଟଙ୍କା ଜରିମାନା ଦେଇଥିବା ସେ ଦର୍ଶାଇଥିଲେ । ଖଣି କାରବାର ମାମଲାରେ ରାଜ୍ୟବାସୀଙ୍କ ବି ପଟ୍ଟନାୟକ ପରିବାର ଉପରେ ଖରାପ ଧାରଣା ରହିଆସିଛି । ସୁତରାଂ ସେହି ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବ । ଏହା କି ପ୍ରକାର ଆଦର୍ଶବୋଧ ବୋଲି ସାଧାରଣ ଲୋକ ପ୍ରଶ୍ନ କଲେଣି । ଖାଲି ସେତିକି ନୁହେଁ ଏକ ଫ୍ରଡ୍ କେସ୍ ରେ ନିରଞ୍ଜନ ଓ ତାଙ୍କ ପୁଅ ଦିଲ୍ଲୀ ପୁଲିସ ଦ୍ୱାରା ସମନ ହୋଇଥିବା ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି ।
ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ କଂଗ୍ରେସ ସୁଧୁରି ଯାଇଥିବା ରାହୁଲ ଗାନ୍ଧୀ ଆଜି କହିଥିଲେ । ନିରଞ୍ଜନଙ୍କ ନେତୃତ୍ୱରେ ସଂଗଠନ ମଜବୁତ ହୋଇଥିବା ଟିପ୍ପଣୀ ଦେଇଥିଲେ । ମାତ୍ର ନିକଟରେ ଦଳର ଦୁଇ ଦୁଇ ଜଣ ବିଧାୟକ ନବ ଦାସ ଓ ଯୋଗେଶ ସିଂ କଂଗ୍ରେସ ଛାଡ଼ିଛନ୍ତି । ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ସଗରିଆ ଦଳ ଛାଡ଼ିବେ ବୋଲି ଆଜି ସୂଚନା ଦେଇଛନ୍ତି । କଂଗ୍ରେସର ଆଉ କିଛି ବିଧାୟକ ଦଳ ଛାଡ଼ିବେ ବୋଲି ବି ଚର୍ଚ୍ଚା ହେଉଛି । ଏମିତିରେ ନିରଞ୍ଜନଙ୍କ ଏକଛତ୍ରବାଦ ଦଳୀୟ ଶାସନ ବ୍ୟବସ୍ଥାକୁ ନେଇ ବହୁ ନେତା ଅସନ୍ତୁଷ୍ଟ । ଅଧିକାଂଶସ୍ଥାନରେ ତଳସ୍ତରର କର୍ମୀମାନେ କେଉଁଠୁ ନା କେଉଁଠୁ ପ୍ରତିଦିନ ଦଳ ଛାଡ଼ି ବିଜେଡ଼ି କିମ୍ବା ବିଜେପିରେ ମିଶୁଛନ୍ତି । ଏଭଳିସ୍ଥଳେ କଂଗ୍ରେସରେ ଦଳୀୟ ଅସନ୍ତୋଷ ଦୂର ହୋଇଯାଇଛି ବୋଲି ରାହୁଲଙ୍କ ଦମ୍ଭ ବିସ୍ମୟ ସୃଷ୍ଟି କରିଛି । ଆଜି ବୁଦ୍ଧିଜୀବୀ ସମ୍ମିଳନୀରେ ରାହୁଲ ଏଭଳି ପ୍ରଶ୍ନ ଅବଶ୍ୟ ପାଇ ନ ଥିଲେ ।
ସେହିପରି,ମୋଦି ଓ ନବୀନଙ୍କ ରାସ୍ତା ଏକା ବୋଲି କହିଥିବା ରାହୁଲ ବେଶ୍ ତାତ୍ସଲ୍ୟ ଭଙ୍ଗୀରେ ଦୁହିଁଙ୍କ ମଧୁର ସମ୍ପର୍କ ବ୍ୟାଖ୍ୟା କରିଥିଲେ । ରାଜ୍ୟ ସରକାରଙ୍କ ବଟନ୍ ମୋଦିଙ୍କ ପାଖରେ ରହିଛି ଏବଂ ମୋଦିଙ୍କ ଇସାରାରେ ନବୀନ ଚାଲୁଛନ୍ତି ବୋଲି କଟାକ୍ଷ କରିଥିଲେ । ତେବେ ନବୀନଙ୍କ ସହ ନିରଞ୍ଜନଙ୍କ ସମ୍ପର୍କ ଅତି ମଧୁର ବୋଲି ଖୋଦ୍ ତାଙ୍କ ଦଳର ନେତା ଅଭିଯୋଗ କରିଛନ୍ତି । ନବୀନଙ୍କ ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମଧୁର ସମ୍ପର୍କ ଅଭିଯୋଗ ବି ଉଠାଇଛନ୍ତି ତାଙ୍କ ଦଳ ବିଧାୟକ । ରାଜ୍ୟରେ ହେଉଥିବା ଏହି ଚର୍ଚ୍ଚାକୁ ରାହୁଲ ଜାଣନ୍ତି ନା ନାଇଁ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।
ତେବେ ସେ ଯାହା ହେଉ, ରାହୁଲଙ୍କ ଆଗ୍ରେସିଭ୍ ଓ ଆଟାକିଂ ରୂପ ଆଜି ଓଡ଼ିଶାବାସୀ ଦେଖିଛନ୍ତି । ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କର ଅଭିଯାନ ଚାଲୁ ରହିବ ବୋଲି ରାହୁଲ ଇସାରା ଦେଇ ଫେରିଛନ୍ତି । ତାଙ୍କ ଆଶା ଓ ଭରସାକୁ ନିରଞ୍ଜନ କେତେଦୂର ସଫଳ କରିବେ ତାହା ଏବେ ଦେଖିବାର କଥା ।