ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ସହ ବିଶିଷ୍ଟ ସଙ୍ଗୀତକାର ଭୁପେନ ହଜାରିକା ଏବଂ ବିଶିଷ୍ଟ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ଭାରତ ରତ୍ନ ସମ୍ମାନରେ ଭୂଷିତ କରାଯିବ । ଏହି ଦୁଇଜଣଙ୍କୁ ମରଣୋତ୍ତର ଭାବେ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ । ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଏହି ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବ । ଆଜି ରାଷ୍ଟ୍ରପତି ଭବନରୁ ଏହି ସୂଚନା ମିଳିଛି ।
ଏଥିସହ ଚଳିତବର୍ଷର ପଦ୍ମ ସମ୍ମାନ ଘୋଷିତ ହୋଇଛି । ପଦ୍ମଶ୍ରୀ ତାଲିକାରେ ଅଛନ୍ତି ବିଶିଷ୍ଟ ଲେଖିକା ଶ୍ରୀମତୀ ଗୀତା ମେହେଟ୍ଟା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ଜଣେ ପ୍ରସିଦ୍ଧ ଲେଖିକା ଭାବେ ଜଣାଶୁଣା । ତାଙ୍କର ଲେଖା ଆର୍ନ୍ତଜାତୀୟସ୍ତରରେ ଖୁବ୍ ଆଦୃତ ଲାଭ କରିଛି । ପ୍ରବାସୀ ଭାରତୀୟ ଭାବେ ସେ ନ୍ୟୁୟର୍କରେ ଅବସ୍ଥାନ କରୁଛନ୍ତି । ପଦ୍ମଶ୍ରୀ ତାଲିକାରେ ଓଡ଼ିଶାରୁ ତିନିଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ବିଶିଷ୍ଟ ସମାଜସେବୀ ଦୈତାରୀ ନାୟକ, ଡି.ପ୍ରକାଶ ରାଓ ଏବଂ କୃଷି କ୍ଷେତ୍ରରେ ଅବଦାନ ରଖିଥିବା କମଳା ପୂଝାରୀ । ଡି. ପ୍ରକାଶ ରାଓ କଟକରେ ଚା ବିକୁଛନ୍ତି ଏବଂ ଜଣେ ସମାଜସେବୀ ଭାବେ ସାରା ରାଜ୍ୟ ତାଙ୍କୁ ଜାଣିଛି । ଦୁଇବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସିଥିଲା ବେଳେ ଶ୍ରୀ ରାଓଙ୍କୁ ଭେଟିଥିଲେ ।
ଚଳିତବର୍ଷ ୪ ଜଣଙ୍କୁ ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଥିବା ବେଳେ ୧୪ ଜଣ ପଦ୍ମଭୂଷଣ ସମ୍ମାନ ତାଲିକାରେ ଅଛନ୍ତି । ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି ।
ପଦ୍ମଶ୍ରୀ ସମ୍ମାନ ଖବର ପାଇବା ପରେ ଶ୍ରୀମତୀ କମଳା ପୂଝାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରକ୍ତଚାପ ବଢ଼ିଯିବା ଯୋଗୁଁ ସେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।