ଜୟ ଜଗନ୍ନାଥ,
୧୯୯୯ ମହାବାତ୍ୟା ସାରା ଓଡିଶାକୁ ଛାରଖାର କରିଦେଇଥିଲା । ସବୁଆଡେ ଥିଲା ହତାଶା । ଚାଷବାସ ସବୁ ନଷ୍ଟ ହୋଇଯାଇଥିଲା । ହଜାର ହଜାର ଲୋକ ବେସାହାରା ହୋଇ ଯାଇଥିଲେ । ଏହିପରି ଏକ ପରିସ୍ଥିତିରେ ୨୦୦୦ ମସିହାରେ ମୋ ସରକାର ଶାସନ ଦାୟିତ୍ୱ ନେଇଥିଲା । ଆଗରେ ଥିଲା ଅନେକ ଆହ୍ୱାନ । ଆପଣମାନଙ୍କ ସହଯୋଗରେ ଏହି ଆହ୍ୱାନର ମୁକାବିଲା ପାଇଁ ମୁଁ ସାହସର ସହ କାମ ଆରମ୍ଭ କରିଥିଲି ।
ଆପଣଙ୍କର ମନେଥିବ ୨୦୦୦ ମସିହାରେ ଆମେ ଖାଦ୍ୟଶସ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଓଡିଶାକୁ ଚାଉଳ ଯୋଗାଇବା ପାଇଁ ମୁଁ ବହୁବାର ସେତେବେଳର କେନ୍ଦ୍ର ଖାଦ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି । କେବଳ ସେତିକି ନୁହେଁ, ଓଡିଶାରେ ଚାଉଳ ପହଞ୍ଚିବା ପାଇଁ ରେଳ ୱାଗନ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରୁଥିଲି । ବନ୍ୟା ଓ ବାତ୍ୟା ସମୟରେ ଲୋକଙ୍କୁ ରିଲିଫ ଦେବା ପାଇଁ ଆମ ପାଖରେ ଚାଉଳ ନଥିଲା । ବାହାରୁ ଚାଉଳ ଆସିଲେ ଆମ ଲୋକ ଖାଦ୍ୟ ପାଉଥିଲେ । ଏହା ମତେ ବହୁତ ବାଧୁଥିଲା ।
ଓଡିଶାକୁ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମୁଁ ସଂକଳ୍ପ ନେଇଥିଲି । ୨୦୦୭ରୁ ପରିସ୍ଥିତି ବଦଳିଥିଲା । ଜଳସେଚନର ଉନ୍ନତି, ବୈଷୟିକ ଜ୍ଞାନର ପ୍ରୟୋଗ ଓ ସୁବିଧାରେ ଋଣ ବ୍ୟବସ୍ଥା ଯୋଗୁଁ ପରିସ୍ଥିତିରେ ଉନ୍ନତି ଆସିଥିଲା । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମର ଚାଷୀଭାଇଙ୍କ ସହଯୋଗ ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛି । କେବଳ ସେତିକି ନୁହେଁ, ଆଜି ଆମେ ଅନ୍ୟ ରାଜ୍ୟମାନଙ୍କୁ ଖାଦ୍ୟ ଯୋଗାଉଛୁ । ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସବୁଠାରୁ ଅଧିକ ଚାଉଳ ଓଡିଶା ହିଁ ଦେଉଛି । ଏହାର ସବୁଶ୍ରେୟ ଆପଣମାନଙ୍କର । ଆମ ଚାଷୀ ଭାଇ ଭଉଣୀଙ୍କର । ଖୁସିର କଥା, ଆମ ଚାଷୀ ଭାଇଙ୍କର ନିଷ୍ଠା ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ପାଞ୍ଚ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ପାଇପାରିଛି ।
ଆପଣ ଜାଣି ଖୁସି ହେବେ ଯେ, ଜଳସେଚନ କ୍ଷେତ୍ରରେ ଓଡିଶା ଅନେକ ଉନ୍ନତି କରିଛି । ବିଭିନ୍ନ ଜଳସେଚନ ପ୍ରକଳ୍ପ ସହ ମେଗା ଉଠାଜଳସେଚନ ଜରିଆରେ ଆମେ ଅଧିକ ଜମିକୁ ପାଣି ଯୋଗାଇ ପାରିଛୁ । ଗତ ୪ ବର୍ଷରେ ଆମେ ଜଳସେଚନ ପାଇଁ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛୁ । ଆମେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଆମେ ଅଧିକ ୮ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇ ପାରିଛୁ ।
ଗରିବୀ ଆଜି ଆଉ ଓଡିଶାର ପରିଚୟ ହୋଇ ରହିନାହିଁ । ଗରିବୀ ହ୍ରାସ କରିବା ଦିଗରେ ଓଡିଶା ସାରା ଦେଶରେ ସବୁଠାରୁ ଆଗରେ । ଏହା ଭାରତ ସରକାରଙ୍କର ରିପୋର୍ଟ ହିଁ କହୁଛି ।
ଆପଣ କାଳିଆ ଯୋଜନାରେ ସାମିଲ ହୋଇଥିବା ଜାଣି ମୁଁ ବହୁତ ଖୁସି । ରାଜ୍ୟରେ କୃଷିର ବିକାଶ ପାଇଁ ଆପଣଙ୍କର, ଆମ ଚାଷୀ ଭାଇଭଉଣୀଙ୍କର କଲ୍ୟାଣ ପାଇଁ ଓଡିଶା ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ସାରା ଦେଶରେ ଚାଷୀମାନଙ୍କ ପାଇଁ କାଳିଆ ଯୋଜନା ଏକ ଆଦର୍ଶ ଯୋଜନା । ଏହା ଚାଷୀ ଓ ଚଷାର ସମସ୍ୟା ଦୂର କରିବା ସହିତ ଗରିବୀ ଦୂର କରିବା ଦିଗରେ ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ କାମ କରିବ ।
କାଳିଆ ଯୋଜନାରେ ରାଜ୍ୟର ସବୁ ଚାଷୀ ଉପକାର ପାଇବେ । ଛୋଟ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ସମସ୍ତେ ଏଥିରେ ସୁବିଧା ପାଇବେ । ଜମିର ପରିମାଣ କମ୍ ଥାଉ ବା ବେଶୀ, ସହାୟକ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଖରିଫ ଓ ରବି ଦୁଇଟି ଫସଲ ଋତୁ ପାଇଁ ଆପଣ ୫ ହଜାର ଟଙ୍କା ଲେଖାଏଁ ପାଇବେ । ଆପଣ ବିନା ସୁଧରେ ୫୦ ହଜାର ଟଙ୍କା ପର୍ୟ୍ୟନ୍ତ ଫସଲ ଋଣ ପାଇପାରିବେ । ଚାଷକାମ କରିପାରୁନଥିବା ଚାଷୀ, କୃଷି ଶ୍ରମିକମାନଙ୍କ ଜୀବନ ଜୀବିକା ପାଇଁ ୧୨ ହଜାର ୫ଶହ ଟଙ୍କାର ସହାୟତା ମଧ୍ୟ କାଳିଆ ଯୋଜନାରେ ଅଛି । ମୁଁ ଆଶା କରୁଛି, ଏହି ସହାୟତାକୁ ଆପଣ ଚାଷକାମରେ ଲଗାଇବେ ଏବଂ କୃଷିକ୍ଷେତ୍ରରେ ଓଡିଶାକୁ ଆହୁରି ଆଗକୁ ନେବେ ।
ମୁଁ ସବୁବେଳେ ଆପଣମାନଙ୍କ ସୁଖ ଦୁଃଖରେ ଅଛି । ଆମ ଚାଷୀ ଭାଇ ଭଉଣୀଙ୍କ ସାଥିରେ ଅଛି । ଜଣେ ବି ଯୋଗ୍ୟ ଚାଷୀ ଯେପରି କାଳିଆ ଯୋଜନାରୁ ବଞ୍ଚିତ ନହୁଏ, ତା ଉପରେ ମୁଁ ନଜର ରଖିଛି । ଆପଣଙ୍କ ଖୁସିରେ ମୋର ଖୁସି ।
ବନ୍ଦେ ଉତ୍କଳ ଜନନୀ
ଆପଣଙ୍କର
(ନବୀନ ପଟ୍ଟନାୟକ)