ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ନିଖୋଜ ଘଟଣାର ତଦନ୍ତ ପାଇଁ ଜଷ୍ଟିସ୍ ରଘୁବୀର ଦାଶ କମିଶନଙ୍କ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୮ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହାର ଟର୍ମ ଆଣ୍ଡ ରେଫରେନସ୍ ଧାର୍ଯ୍ୟ ହୋଇଛି । ସେହି ଅନୁଯାୟୀ, କମିଶନ ତିନୋଟି ଦିଗକୁ ନେଇ ତଦନ୍ତ କରିବେ । ପ୍ରଥମତଃ କେଉଁ ପରିସ୍ଥିତିରେ ରତ୍ନଭଣ୍ଡାର ଚାବି ହଜିଲା, ଦ୍ୱିତୀୟରେ ରତ୍ନଭଣ୍ଡାର ଚାବି ହଜିବା ପାଇଁ କେଉଁମାନେ ଦାୟୀ ଏବଂ ଶେଷରେ ଏଭଳି ଘଟଣାର ପୁନରାବୃତ୍ତି ଭବିଷ୍ୟତରେ ଯେଭଳି ନ ହୁଏ ତାହାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି । ୩ ମାସ ମଧ୍ୟରେ କମିଶନ ରିପୋର୍ଟ ଦେବେ ।
ଇତିମଧ୍ୟରେ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଜିଲ୍ଲା ରେକର୍ଡ ରୁମ୍ ରୁ ମିଳିଥିବା ନେଇ ଜିଲ୍ଲାପାଳଙ୍କ ସୂଚନା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ରେକର୍ଡ ରୁମ୍ ରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିବାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ରହସ୍ୟ ବି ବଢ଼େଇ ଦେଇଛି । ତେବେ ଆଇନମନ୍ତ୍ରୀ ପ୍ରତାପ ଜେନା ଆଜି ସ୍ପଷ୍ଟ କରିଛନ୍ତି କି ତଦନ୍ତ କମିଶନ ଏହାର ଅନୁଧ୍ୟାନ କରିବେ । ଅର୍ଥାତ୍ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ତଦନ୍ତ କମିଶନଙ୍କ ଉପରକୁ ବଲ୍ ଛାଡ଼ିଛନ୍ତି ଆଇନମନ୍ତ୍ରୀ ।
ସେପଟେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରୁ ରାଜନୈତିକ ଫାଇଦା ଉଠାଇବାକୁ ଅଣ୍ଟା ଭିଡ଼ିଛି ବିଜେପି । ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ମନଇଚ୍ଛା ଗାଳି କରିଛନ୍ତି । ସମୁଦାୟ ଅବ୍ୟବସ୍ଥା ପାଇଁ ସେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ ନେତା ବିଜୟ ମହାପାତ୍ର ପୁରୀ ଜିଲ୍ଲାପାଳଙ୍କ ଭୂମିକାକୁ କାଠଗଡ଼ାକୁ ଟାଣିଛନ୍ତି ।
ଶ୍ରୀମନ୍ଦିର ପରିଚାଳନା ପାଇଁ ଏକ୍ସପର୍ଟ କମିଟି
ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶମତେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀଙ୍କୁ ନେଇ ଏହି କମିଟି ଗଠନ ହୋଇଛି । ବୈଷ୍ଣୋଦେବୀ, ସୋମନାଥ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିର, ତିରୁପତି ଏବଂ ଧର୍ମସ୍ଥାଳ ଆଦି ମନ୍ଦିରର ପରିଚାଳନା ଅନୁଧ୍ୟାନ କରିବେ କମିଟି । ପୁରୀ ଶ୍ରୀମନ୍ଦିର ପାଇଁ କେଉଁ ନିୟମ ଲାଗୁ ହେବ କମିଟି ପରାମର୍ଶ ଦେବେ । କମିଟି ତାହାର ଅନ୍ତରୀଣ ରିପୋର୍ଟ ଜୁନ୍ ୩୦ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି ।